• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଝିଅଟିଏ ବିବାହ ପରେ କେତେ ସ୍ୱପ୍ନ ନେଇ ଶାଶୁଘର ଯାଏ । ନୂଆ ଘର ନୂଆ ପରିବାରକୁ ଆପଣାଇବା ପାଇଁ ବାପାମା’, ଭାଇଭଉଣୀ, ସାଙ୍ଗସାଥୀଙ୍କୁ ଛାଡ଼ି ସେ ସବୁଦିନ ପାଇଁ ଚାଲିଯାଏ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶାଶୁଘର ଲୋକଙ୍କ ସେବାରେ ଲାଗି ସମସ୍ତଙ୍କୁ କ୍ଷଣିକରେ ନିଜର କରନିଏ । ହେଲେ ଏତେ ସବୁ କରିବା ସୱେ ଶାଶୁଘର ଲୋକ କେବେ ବୋହୂକୁ ଝିଅଭାବରେ ଗ୍ରହଣ କରିପାରନ୍ତି ନାହିଁ । ସବୁ ସମୟରେ ଗଞ୍ଜଣା ଦେବା ସହ ମୋଟା ଅଙ୍କର ଯୌତୁକ ଦାବି କରି ମାନସିକ ଆଉ ଶାରିରିକ ଯନ୍ତ୍ରଣା ଦିଅନ୍ତି । ନିତି ପ୍ରତିଦିନ ଏପରି ଅନେକ ପ୍ରକାର ମାମଲା ଶୁଣିବାକୁ ମିଳେ । ଏବେ ଉତ୍ତରପ୍ରଦେଶର ବାନ୍ଦାଠାରେ ଜଣେ ଗର୍ଭବତୀ ମହିଳାଙ୍କ ସହିତ କିଛି ଏପରି ଘଟଣା ଘଟିଛି ।

ଶାଶୁଘର ଲୋକ ତାଙ୍କୁ ସବୁବେଳେ ହଇରାଣ କରୁଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ପୀଡିତାଙ୍କ ଅନୁସାରେ, ତାଙ୍କ ଅଜାଣତରେ ତାଙ୍କୁ ଗର୍ଭପାତ ମେଡିସିନ୍‌ ଦିଆଯାଇଥିଲା, ଫଳରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ଶେଷରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା । ପୀଡିତାଙ୍କ ଅଭିଯୋଗ ପରେ ତାଙ୍କ ସ୍ୱାମୀ ଏବଂ ଶାଶୁ, ଶ୍ୱଶୁରଙ୍କ ସମେତ ଛଅ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ୍ ।

ମୁସଲିମ ରୀତିନୀତି ଅନୁଯାୟୀ ୨୪ ନଭେମ୍ବର ୨୦୨୨ରେ ସେ ବିସଣ୍ଡା ଥାନା ବାଖୋଡା ନିବାସୀ ଶକିଲଙ୍କୁ ବିବାହ କରିଥିଲେ ପୀଡ଼ିତା । ଶାଶୁଘର ଲୋକ ଯୌତୁକ ମୁତାବକ ଏକ ବୁଲେଟ୍ ଗାଡ଼ି ଏବଂ ଦୁଇ ଲକ୍ଷ ଟଙ୍କା ମାଗିଥିଲେ । ହେଲେ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ପୀଡ଼ିତାଙ୍କ ବାପା କୌଣସି ପ୍ରକାରେ ଯୌତୁକ ମୁତାବକ ୫୦ ହଜାର ଟଙ୍କା ଓ ସୁନା ଗହଣା ଦେଇଥିଲେ । ବାକି ଟଙ୍କା ପରେ ଦେବାପାଇଁ ପ୍ରତିଶୃତି ଦେଇଥିଲେ ।

ବିବାହର କିଛି ଦିନ ଖୁବ୍‌ ଖୁସିରେ ଚାଲିଲା ସବୁକିଛି । କିଛି ମାସ ଭିତରେ ପୀଡ଼ିତା ଗର୍ଭବତୀ ଥିବା ଜାଣିବା ପରେ ଶାଶୁଘର ଲୋକ ଅତ୍ୟାଚାର ଆରମ୍ଭ କରିଥିଲା । ବାପଘରୁ ଯାଇ ମୋଟରସାଇକେଲ୍, ବଳକା ଟଙ୍କା ଓ ସୁନା ଆଣିଲେ ହିଁ ପିଲା ଜନ୍ମ କରିବୁ କହିଲେ । ଆଉ ତା’ପରେ ପୀଡ଼ିତାଙ୍କୁ ଜୋରଜବରଦସ୍ତି ଗର୍ଭ ନଷ୍ଟ କରିବା ପାଇଁ ମଧ୍ୟ ଚାପ ପକାଇଥିଲେ ।

ମହିଳା ଜଣକ ଶାଶୁଘର ଲୋକଙ୍କ କଥା ନଶୁଣିବାରୁ ତାଙ୍କର ଖାଇବାପିଇବା ଦେବା ବନ୍ଦ କରିଦେଲେ । ଡିସେମ୍ବର ୧୦ରେ ସ୍ୱାମୀ, ଶାଶୁ, ଶାଶୁ ଏବଂ ବୋହୂ ଏକାଠି ହୋଇ ତାଙ୍କୁ ଗର୍ଭପାତ ପାଇଁ ଔଷଧ ଖାଇବାକୁ ଦେଇଥିଲେ, ଫଳରେ ସେ ଗୁରୁତର ହୋଇପଡ଼ିଥିଲେ ।ମହିଳା ଜଣକ ଏସମ୍ପର୍କରେ ବାପାମା’ଙ୍କୁ ଜଣାଇବା ପରେ ସେମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଏପଟେ ଶାଶୁଘର ଲୋକଙ୍କ ଅତ୍ୟାଚାରରେ ବିବ୍ରତ ହୋଇ ମହିଳା ଜଣକ ASP ରେ ନିକଟରେ ନିଜର ଦୁଃଖ ବଖାଣିଛନ୍ତି । ବର୍ତ୍ତମାନ ଏଏସପିଙ୍କ ନିର୍ଦ୍ଦେଶରେ ମହିଳା ପୋଲିସ ଷ୍ଟେସନରେ ତାଙ୍କ ସ୍ୱାମୀଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।