ଚଢାଉ କରିବାକୁ ଯାଇଥିଲେ, ନିର୍ଧୁମ ଛେଚା ଖାଇ ଫେରିଲେ

ଜଙ୍ଗଲରେ ଚାଲିଥିଲା ଚୋରା ମଦ ବେପାର । ଖବର ପାଇବା ପରେ ଚଢାଉ ପାଇଁ ଯାଇଥିଲା ପୂରା ଟିମ୍‌...ହେଲେ ହାତରେ ଥିଲା ଖାଲି ଲାଠି । କିନ୍ତୁ ଚୋରା ବେପାରୀ ପୂରା ପ୍ରସ୍ତୁତ ଥିଲେ, ମାରଣାସ୍ତ୍ର ସଜେଇ ରଖିଥିଲେ । ଅବକାରୀ ଟିମ୍‌ ପହଞ୍ଚିବା ମାତ୍ରେ ମୁଖା ପିନ୍ଧି ଆସିଲେ, ମାଡ ମାରିଲେ...ହାଣି ପକାଇଲେ

excise team

ଚୋରା ଦେଶୀ ମଦର ହବ ପାଲଟିଛି ଖୁଣ୍ଟୁଣୀ ଅଂଚଳ । ସକାଳୁ ହେଉ କି ସଂଧ୍ୟା ବେଧଡକ ଚାଲିଛି ଦେଶୀ ମଦ ତିଆରି । ମନଇଚ୍ଛା ତିଆରି କରୁଛନ୍ତି , ଚଢା ଦରରେ ବିକ୍ରି କରୁଛନ୍ତି । ବାସ୍‌ ଚୋରାମଦର ଖବର ପାଇବା ପରେ ଚଢାଉ ପାଇଁ ପହଞ୍ଚିଥିଲା ଅବକାରୀ ଟିମ୍‌ । ହେଲେ ହାତରେ ଥିଲା ଖାଲି ବାଡ଼ି କିନ୍ତୁ ମାଫିଆଙ୍କ ପାଖରେ ମହଜୁଦ୍‌ ଥିଲା ମାରଣାସ୍ତ୍ର । ଆଉ ଅବକାରୀ ଟିମ୍‌ ଯେତେବେଳେ ଚଢାଉ କରିବାକୁ ପହଞ୍ଚିଲେ ସେତେବେଳକୁ ସ୍ଥିତି ଏମିତି ହେଲା ଯେ ସିଧା ମେଡିକାଲରେ ଭର୍ତ୍ତି ହେଲେ ଅବକାରୀ ଟିମ୍ ।

ଭାଙ୍ଗିଲା ଗାଡି, ଭାଙ୍ଗିଲା କାଚ । ଆହତ ହେଲେ ଅବକାରୀ ପୋଲିସ ବାବୁ । ଚୋରା ବେପାରୀଙ୍କୁ ଧରିବେ କଣ ବରଂ ନିଜେ ଆହତ ହେଲେ । ଅବକାରୀ ଟିମ୍‌ର କାହା ହାତରେ ଗଭୀର ଆଘାତ ଲାଗିଛି ତ ଆଉ କାହାର ପିଠିରେ । ମାଫିଆ ମୁଖା ପିନ୍ଧି ଆସି ୨ଜଣ ଅବକାରୀ କର୍ମଚାରୀଙ୍କୁ ଖଣ୍ଡା, କଟୁରୀରେ ଆକ୍ରମଣ କରିବା ସହିତ ଅବକାରୀ ବିଭାଗର ୪ଟି ଗାଡିକୁ ସଂପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ କରିଦେଇଛନ୍ତି । ଆହତ କର୍ମଚାରୀଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରିବା ସହ ଖୁଣ୍ଟୁଣୀ ପୋଲିସ ସମେତ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଆଠଗଡ ଉପଖଣ୍ଡର ଖୁଣ୍ଟୁଣୀରେ ଦିନକୁ ଦିନ ବଢୁଛି ଚୋରା ମଦ ମାଫିଆଙ୍କ ଦୌରାତ୍ମ୍ୟ । ନିଘଞ୍ଚ ଜଙ୍ଗଲରେ ଅନାୟସରେ ଚାଲିଛି ଚୋରା ଦେଶୀ ମଦ ପ୍ରସ୍ତୁତି । ଏହାକୁ ବନ୍ଦ କରିବା ପାଇଁ ଗଲେ ହେଉଛି ମରଣାନ୍ତକ ଆକ୍ରମଣ । ଯାହାର ଜ୍ୱଳନ୍ତ ଉଦାହରଣ ଖଣ୍ଡୁଆଳି ଅଂଚଳରେ ଦେଖିବାକୁ ମିଳିଛି । ମାଫିଆମାନେ ଏମିତି ଆକ୍ରମଣ କଲେ ଯେ ଅବକାରୀ ଟିମ୍‌ କୁଆଡେ ଯିବେ ବାଟପାଇଲେନି ।

ଏବେ ନୁହେଁ ବରଂ ଏହି ସଂରକ୍ଷିତ ଜଙ୍ଗଲରେ ଦୀର୍ଘଦିନ ହେବ ଚୋରା ଦେଶୀ ମଦ ରନ୍ଧା ଯାଇ ବିଭିନ୍ନ ସ୍ଥାନକୁ ଚୋରାଚାଲାଣ କରାଯାଉଛି । ବାରମ୍ବାର ଚଢାଉ ସତ୍ତ୍ୱେ ମାନୁନାହାନ୍ତି ମଦ ମାଫିଆ । ସେପଟେ ପୂରା ଘଟଣାର ତଦନ୍ତ ହେବା ସହିତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅବକାରୀ ବିଭାଗ ଅଧିକ୍ଷକ ।