ମନୋଜ ବରିହା କିଏ ? ମନ୍ତ୍ରୀଙ୍କ ନାଁ ନେଇ ଗୋପାଳକୁ ଡରାଇଥିଲେ !!

ପ୍ରଭାବଶାଳୀ ରାଜନେତା ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ଦାସ ? ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟ ଆସିବା ପରେ ଏବେ ନାନା ଚର୍ଚ୍ଚା ।

Naba Das murder case

ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ପଲିଗ୍ରାଫ ରିପୋର୍ଟକୁ ନେଇ ଏବେ ନାନା ଚର୍ଚ୍ଚା । ରିପୋର୍ଟରେ ଥିବା ମନୋଜ ବରିହା ନାମକ ଜଣେ ବ୍ୟକ୍ତିଙ୍କ ନାଁକୁ ନେଇ ସସପେନ୍ସ । ଯିଏ ନବ ଦାସଙ୍କ ଆଡୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଗୋପାଳକୁ ଭୟଭୀତ କରାଇଥିଲେ। ସେହି ଭୟରେ ଗୋପାଳ, ନବ ଦାସଙ୍କୁ ହତ୍ୟା ପାଇଁ ତିଆରି କରିଥିଲା ବ୍ଲୁ ପ୍ରିଣ୍ଟ। ତେବେ କିଏ ସେହି ମନୋଜ ବରିହା ? ଗୋପାଳକୁ ଭୟଭୀତ କରାଇବା ପଛର ଉଦ୍ଦେଶ୍ୟ କ’ଣ ? ଜୀବନ ପ୍ରତି ବିପଦ ନେଇ ଧମକ ଦେଇଥିବା ବରିହାଙ୍କୁ କାହିଁକି କାର୍ଯ୍ୟାନୁଷ୍ଠାନ ନେଇନି କ୍ରାଇମବ୍ରାଞ୍ଚ ? ସେନେଇ ଏବେ ନାନା ପ୍ରଶ୍ନ ଛିଡ଼ା ହୋଇଛି।...

ଗୁଜରାଟ ଗାନ୍ଧୀନଗରରେ ହୋଇଥିବା ପଲିଗ୍ରାଫ ଟେଷ୍ଟବେଳେ ୨ ସେଟ୍ ବିଶିଷ୍ଟ ୨୬ଟି ପ୍ରଶ୍ନର ଉତ୍ତର କେବଳ ହଁ ନାରେ ଦେଇଥିଲା ଗୋପାଳ। ତାର କହିବା କଥା, ମୋ ବଡ଼ଭାଇଙ୍କ ଉପସ୍ଥିତିରେ ମନୋଜ ବରିହା ନବ ଦାସଙ୍କ ନାଁ ନେଇ ତାଗିଦ୍ କରିଥିଲେ। ଆଉ ବାରମ୍ବାର କହିଥିଲେ, ନବ ଦାଦା ତମ ଉପରେ ରାଗିକି ଅଛନ୍ତି, ତମ ଜୀବନ ପ୍ରତି ବିପଦ ଅଛି। ଏହାକୁ ନେଇ ଭୟଭୀତ ହେବା ସହ ମାନସିକ ଭାବେ ବିବ୍ରତ ହୋଇଥିଲା , ଏପରିକି ପ୍ୟାଣ୍ଟରେ ଝାଡ଼ା ପରିସ୍ରା କରିଦେଇଥିଲା ଗୋପାଳ। ପଲିଗ୍ରାଫ୍ ସହ ୧୬୧ ବୟାନ ରେକର୍ଡରୁ ଏହି ତଥ୍ୟ ମିଳିଛି । ଗାଡ଼ି ଅଟକାଇବା ଓ ସମର୍ଥକଙ୍କୁ ତାଗିଦ୍ ଘଟଣାକୁ ନେଇ ନବ ଖପ୍ପା ଥିବା ଭାବୁଥିଲା ଗୋପାଳ । ଏସବୁ କାରଣକୁ ନେଇ ନବଙ୍କ ଆଡୁ ବିପଦ ଥିବା ଭାବୁଥିଲା ଗୋପାଳ । ତେଣୁ ମନ୍ତ୍ରୀଙ୍କୁ ହତ୍ୟା ଯୋଜନା କରିଥିଲା ବୋଲି ଚାର୍ଜସିଟରେ ଦର୍ଶାଯାଇଛି । ତେବେ ପ୍ରତିକ୍ରିୟାରେ ମନୋଜ କହିଛନ୍ତି, ଭୟଭୀତ କରିବା ସମ୍ପର୍କରେ ତାଙ୍କୁ କ୍ରାଇମବ୍ରାଞ୍ଚ କିଛି ପଚାରିନି କିମ୍ବା ଗୋପାଳଙ୍କୁ ସେ ଏପରି କହିନାହାଁନ୍ତି।

କେବଳ ଏତିକି ନୁହେଁ, ନିୟମିତ ଝାରସୁଗୁଡ଼ାର ଏକ ହୋଟେଲରେ ଖାଇବା ସହ ପାର୍ସଲ ଆଣୁଥିଲେ ବି ଗୋପାଳ । କୁଆଡ଼େ ଟଙ୍କା ଦେଉନଥିବାରୁ ମନୋଜ ତାଗିଦ୍ ବି କରିଥିଲେ । ଏପରିକି ନବଙ୍କ ପିଲାମାନଙ୍କୁ ଗୋପାଳ ବାଡ଼ିଆପିଟା କରୁଥିବାରୁ ନବ ଦାସ ରାଗିଛନ୍ତି ବୋଲି ମନୋଜ କହିଥିବା ନେଇ ବି ଦର୍ଶାଇଛି କ୍ରାଇମବ୍ରାଞ୍ଚ । ଏଠି ପ୍ରଶ୍ନ, ନବଙ୍କ ନାଁ ନେଇ ମନୋଜ ଗୋପାଳକୁ ଧମକ ଦେଉଥିଲେ କାହିଁକି ? କାହା ପ୍ରରୋଚନାରେ ଗୋପାଳକୁ ସେ ଭୟଭୀତ କରାଇଥିଲେ ?

ଗୋପାଳକୁ ଡରାଇଥିବା ଅଭିଯୋଗରେ ମନୋଜଙ୍କ ବିରୋଧରେ କାହିଁକି ଏଯାଏଁ କାର୍ଯ୍ୟାନୁଷ୍ଠାନ ହୋଇନି ? ଗୋପାଳକୁ ଯଦି ମନୋଜ ସେଭଳି କିଛି ଧମକ ଦେଇନାହାଁନ୍ତି, ତେବେ କ୍ରାଇମବ୍ରାଞ୍ଚକୁ ଗୋପାଳର ଏଭଳି ବୟାନ ପଛରେ କିଛି ରହସ୍ୟ ଅଛି କି ? ଗୋପାଳର ମାନସିକସ୍ଥିତି ଦିଗ ସହ ଯେଉଁ ଷଡ଼ଯନ୍ତ୍ର କଥା ଉଠୁଥିଲା, ସେ ଦିଗରେ କ୍ରାଇମବ୍ରାଞ୍ଚ କିଛି ବଳିଷ୍ଠ ପ୍ରମାଣ ପାଇଛି ନା’ଜାଣିଶୁଣି ଅଣଦେଖା କରିଦେଇଛି ? ଏଭଳି ନାନା ପ୍ରଶ୍ନ ଉଠାଇବା ସହ ତଦନ୍ତରେ ନିରପେକ୍ଷତାକୁ ନେଇ ଅଙ୍ଗୁଳି ଉଠାଇଛନ୍ତି ଗୋପାଳର ଓକିଲ।

୨୦୨୩, ଜାନୁୟାରୀ ୨୯ । ନବ ଦାସ ହତ୍ୟାକାଣ୍ଡକୁ ଆଜି ପୁରିଛି ଠିକ୍ ୬ ମାସ। ଇତିମଧ୍ୟରେ ଝାରସୁଗୁଡ଼ା ଜେଏମଏଫସିଙ୍କ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଥିବାବେଳେ ମାମଲା ଏଡିଜେ କୋର୍ଟରେ ରହିଛି । ଏବେ କେବଳ ଅପେକ୍ଷା ଗୋପାଳ ବିରୋଧରେ ଚାର୍ଜଫ୍ରେମକୁ। କିନ୍ତୁ ପ୍ରଶ୍ନ ଉଠୁଛି, ଗୋପାଳର ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟ କୋର୍ଟରେ କେତେ ଗ୍ରହଣୀୟ ହେବ? ଚାର୍ଜଫ୍ରେମ୍ ପୂର୍ବରୁ ଗୋପାଳର ଦୋଷ ସ୍ୱୀକାରୋକ୍ତିକୁ କୋର୍ଟଗ୍ରହଣ କରିବେ ତ ?