ଲେଡିଜ୍‌ ହଷ୍ଟେଲ ବାଥ୍‌ରୁମ୍‌ରେ କ୍ୟାମେରା, ଫଟୋ ଭିଡିଓ ବିକ୍ରି କରି ମାଲେମାଲ ଛାତ୍ର..!

ଏହି ଘଟଣା ସଂପର୍କରେ ଜଣାପଡ଼ିବା ପରେ ରାସ୍ତାକୁ ଓହ୍ଲାଇଛନ୍ତି କଲେଜର ଶହ ଶହ ଛାତ୍ରଛାତ୍ରୀ । ସେମାନଙ୍କ ପ୍ରତିବାଦ ଦେଖି ପୋଲିସ ପ୍ରଶାସନ ଓ କଲେଜ କର୍ତ୍ତୃପକ୍ଷ ମଧ୍ୟ ତତ୍ପରତା ଦେଖାଇଛି । ଅନ୍ୟପଟେ ସଂପୃକ୍ତ ଛାତ୍ରକୁ ଗିରଫ କରି ଆନ୍ଧ୍ର ପୋଲିସ ତଦନ୍ତ ଜାରି ରଖିଛି ।

Spy Camera In Ladies Hostel Bathroom

ଆନ୍ଧ୍ର ପ୍ରଦେଶରେ ଚାଞ୍ଚଲ୍ୟ । ଲେଡିଜ୍‌ ହଷ୍ଟେଲ ବାଥ୍‌ରୁମ୍‌ରେ  ଲାଗିଥିଲା କ୍ୟାମେରା । କ୍ରିଷ୍ଣା ଜିଲ୍ଲାର ଏକ ଇଂଜିନିୟରିଂ କଲେଜ ହଷ୍ଟେଲରୁ ଏହି ଗୁପ୍ତ କ୍ୟାମେରା ଠାବ କରାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇ ଆପତ୍ତିଜନକ ଫଟୋ, ଭିଡିଓ ସଂଗ୍ରହ କରୁଥିଲା ଅଭିଯୁକ୍ତ । ପ୍ରାୟ ୩ ଶହରୁ ଅଧିକ ଆପତ୍ତିଜନକ ଫଟୋ, ଭିଡିଓ ସଂଗ୍ରହ କରି ତାକୁ ବିକ୍ରି କରିଥିବା ନେଇ ମଧ୍ୟ ସୂଚନା ରହିଛି ।

ପୋଲିସର ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ ଉକ୍ତ କଲେଜର ଜଣେ ବି.ଟେକ୍‌ ଛାତ୍ର ଏହି ଗୁପ୍ତ କ୍ୟାମେରା ଖଂଜିଥିଲେ । ଗୁପ୍ତ କ୍ୟାମେରା ଲଗାଇ ଫଟୋ, ଭିଡିଓ ସଂଗ୍ରହ କରୁଥିଲେ । ତାପରେ ସେ ଏହାକୁ ବିକ୍ରି କରୁଥିଲେ । ଉକ୍ତ ଛାତ୍ର ଜଣକ କଲେଜ ଏବଂ କଲେଜ ବାହାରର କିଛି ଛାତ୍ରଙ୍କୁ ଫଟୋ, ଭିଡିଓ ବିକ୍ରି କରି ବେଶ ରୋଜଗାର କରିଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଛି ।

ଏହି ଘଟଣା ସଂପର୍କରେ ଜଣାପଡ଼ିବା ପରେ ରାସ୍ତାକୁ ଓହ୍ଲାଇଛନ୍ତି କଲେଜର ଶହ ଶହ ଛାତ୍ରଛାତ୍ରୀ । ସେମାନଙ୍କ ପ୍ରତିବାଦ ଦେଖି ପୋଲିସ ପ୍ରଶାସନ ଓ କଲେଜ କର୍ତ୍ତୃପକ୍ଷ ମଧ୍ୟ ତତ୍ପରତା ଦେଖାଇଛି । ଅନ୍ୟପଟେ ସଂପୃକ୍ତ ଛାତ୍ରକୁ ଗିରଫ କରି ଆନ୍ଧ୍ର ପୋଲିସ ତଦନ୍ତ ଜାରି ରଖିଛି । ଏହି ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛି କି ନାହିଁ ସେଦିଗରେ ପୋଲିସ ତଦନ୍ତ କରୁଛି । ଏଥିରେ କୌଣସି ରାକେଟ କାମ କରୁଛି ନା କେବଳ ସେଇ ଜଣେ ଛାତ୍ର ହିଁ ଏଥିରେ ସମ୍ପୃକ୍ତ, ତାକୁ ନେଇ ସନ୍ଦେହ ଉପୁଜିଛି । 

ଅନ୍ୟପଟେ ଏହି ଫଟୋ ଓ ଭିଡିଓ ସେ କେଉଁମାନଙ୍କୁ ବିକ୍ରି କରିଛି ? ଏଥିପାଇଁ ସେ କେତେ ଟଙ୍କା ନେଉଥିଲା ? ଏଭଳି କାଣ୍ଡ ଭିଆଇବା ପାଇଁ ସାହାସ ହେଲା କେମିତି ? ଲେଡିଜ୍‌ ହେଷ୍ଟଲ ବାଥ୍‌ରୁମ୍‌ ପର୍ଯ୍ୟନ୍ତ ଉକ୍ତ ଛାତ୍ର ପ୍ରବେଶ କରି କ୍ୟାମେରା ଖଞ୍ଜିଲେ କେମିତି ? ଏହି ସବୁ ତମାମ ଦିଗ ଉପରେ ମଧ୍ୟ ପୋଲିସ ନଜର ରଖିଛି ।