VIDEO : ବ୍ୟାଙ୍କ୍‌ ଡକାୟତି ପାଇଁ ଆସିଥିଲେ, ସାଇରନ୍‌ ବାଜିବାରୁ ଲୁଟେରା ଫେରାର୍‌

ସାଇରନ୍‌ ଶୁଣି ଛୁ ମାରିଲେ ଲୁଟେରା । ପୋଲିସ୍‌ ଭୟରେ ବ୍ୟାଙ୍କ ଲୁଟିବା ପୂର୍ବରୁ ଚମ୍ପଟ ମାରିଲେ ।

ବ୍ୟାଙ୍କ୍‌ ଲୁଟିବା ପାଇଁ ଆସିଥିଲେ . . .

ବ୍ୟାଙ୍କ୍‌ ଡକାୟତି ଉଦ୍ୟମ ପଣ୍ଡ । ସ୍ପଷ୍ଟ ଦିବାଲୋକରେ ବ୍ୟାଙ୍କ ଭିତରେ ପଶିଥିଲେ ସଶସ୍ତ୍ର ଡକାୟତି ଦଳ । କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲକର ଚାବି ଦେବାକୁ ଧମକାଇଥିଲେ । ହେଲେ ଚାବି ମିଳିବା ପୂର୍ବରୁ ସବୁକିଛି ଓଲଟ ପାଲଟ ହୋଇଗଲା । ହଠାତ୍ ବ୍ୟାଙ୍କର ସାଇରନ ବାଜି ଉଠିବାରୁ ଭୟରେ ଥରହର ହୋଇ ଛୁ ମାରିଥିଲେ ଡାକାୟତ ଦଳ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ତ୍ରିଶୁଳିଆ ନିକଟ ଫକିରପଡା ଆଇସିଆଇସିଆଇ ବ୍ୟାଙ୍କରେ ।

ଆଜି ଦିନ ୧୧ଟା ସମୟରେ ୩ଜଣ ଡକାୟତ କଳା ପଲସରରେ ଆଇସିଆଇସିଆଇ ବ୍ୟାଙ୍କକୁ ପହଞ୍ଚିଥିଲେ । ବ୍ୟାଙ୍କ୍‌ ଲୁଟିବା ଉଦ୍ଦେଶ୍ୟରେ ପୂରା ଯୋଜନା ମଧ୍ୟ କରିଥିଲେ । ଏଥିପାଇଁ ବ୍ୟାଙ୍କ ସମ୍ମୁଖରେ ଗାଡ଼ି ରଖି ଗ୍ରାହକ ଭାବେ ବ୍ୟାଙ୍କ ଭିତରେ ପଶିଥିଲେ । ଆଉ ସେଠାରେ ଉପସ୍ଥିତ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ । କିଛି ସମୟ ପାଇଁ ବ୍ୟାଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଥିଲା ।

ହେଲେ ଏହି ସମୟରେ ବ୍ୟାଙ୍କରେ ଥିବା ସାଇରନ ବାଜି ଉଠିଥିଲା । ଡକାୟତମାନେ ସାଇରନ ବାଜିବା ଶବ୍ଦ ଶୁଣି ବ୍ୟାଙ୍କ ଛାଡ଼ି ଚମ୍ପଟ ମାରିଥିଲେ । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍ । ଏବେ ଛାନଭିନ୍‌ ଆରମ୍ଭ ହୋଇଛି ।