Grenade Attack On Temple: ମନ୍ଦିର ଉପରେ ଆକ୍ରମଣ, ଅଧରାତିରେ ଆସି ଗ୍ରେନେଡ୍ ଫିଙ୍ଗିଲେ

ପଞ୍ଜାବ ଅମୃତସରରେ ମନ୍ଦିର ଉପରକୁ ଗ୍ରେନେଡ୍ ମାଡ଼ । ବିଳମ୍ବିତ ରାତିରେ ଠାକୁରଦ୍ୱାର ମନ୍ଦିର ଉପରକୁ ଗ୍ରେନେଡ୍ ମାଡ଼ କରି ଫେରାର୍ ହୋଇଗଲେ ଦୁର୍ବୃତ୍ତ । ସିସିଟିଭିରେ କଏଦ ହେଲା ଆକ୍ରମଣ ବେଳର ଦୃଶ୍ୟ ।

ଗ୍ରେନେଡ ଆକ୍ରମଣ

ପଞ୍ଜାବରେ ମନ୍ଦିର ଉପରକୁ ଗ୍ରେନେଡ୍ ମାଡ । ଶୁକ୍ରବାର ବିଳମ୍ବିତ ରାତିରେ ଅମୃତସର ଖଣ୍ଡୱାଲାସ୍ଥିତ ଠାକୁରଦ୍ୱାର ମନ୍ଦିର ଉପରେ ଗ୍ରେନେଡ୍ ଆକ୍ରମଣ ହୋଇଛି । ବିସ୍ଫୋରଣରେ ମନ୍ଦିର କାନ୍ଥ ଭାଙ୍ଗିଯାଇ ଥିବାବେଳେ ଏଥିରେ କେହି ମୃତାହତ ହୋଇନାହାନ୍ତି । ଦୁଇ ଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ଏହି ଗ୍ରେନେଡ ମାଡ କରିଛନ୍ତି । ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିବା ବେଳେ ସିସିଟିଭିରେ କଏଦ ହୋଇଛି ଆକ୍ରମଣ ବେଳର ଦୃଶ୍ୟ । ଖବର ପାଇବା ମାତ୍ରେ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି ।

ଅଧିକ ପଢ଼ନ୍ତୁ: ୨୦୦ ବର୍ଷର ଇତିହାସରେ କେତେ ଥର ହୋଇଛି ଟ୍ରେନ ଅପହରଣ ? ଜାଫର ଏକ୍ସପ୍ରେସ ହାଇଜାକ କାହିଁକି ଐତିହାସିକ ?

ସିସିଟିଭି ଫୁଟେଜରେ ସ୍ପଷ୍ଟ ଭାବେ ଦେଖାଯାଉଛି, ଦୁଇ ଜଣ ମୋଟର ସାଇକେଲରେ ଆସୁଛନ୍ତି । ଜଣଙ୍କ ହାତରେ ଗୋଟିଏ ପତାକା ରହିଛି । ଉଭୟ କିଛି ସମୟ ମନ୍ଦିର ପାଖରେ ଛିଡା ହେବା ପରେ ଗ୍ରେନେଡ୍ ଫିଙ୍ଗି ଫେରାର୍ ହୋଇଯାଉଛନ୍ତି । ବିଳମ୍ବିତ ରାତି ପ୍ରାୟ ୧୨ଟା ୩୫ ମିନିଟ୍‌ରେ ଏହି ଆକ୍ରମଣ ହୋଇଥିଲା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବାରଣ ଖେଳାଇଦେଇଛି ।

ଗ୍ରେନେଡ୍ ଆଟାକ୍ ସମୟରେ ମନ୍ଦିରର ପୂଜକ ଭିତରେ ଶୋଇଥିଲେ । ଆକ୍ରମଣରୁ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଦୁର୍ବୃତ୍ତଙ୍କୁ ଧରିବାକୁ ଛାନଭିନ୍ ଆରମ୍ଭ କରିଛି ।

ଅନ୍ୟପଟେ ଅମୃତସର ପୋଲିସ କମିଶନର ଗୁରପ୍ରୀତ ଭୁଲ୍ଲର ଏହି ଆଟାକ୍ ପଛରେ ପାକିସ୍ତାନୀ ଲିଙ୍କ୍ ଥିବା ସନ୍ଦେହ କରିଛନ୍ତି । କମିଶନର କହିଛନ୍ତି, ପାକିସ୍ତାନ ସମୟ ସମୟରେ ଏମିତି କାର୍ଯ୍ୟ କରିଥାଏ । ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରୁଛୁ । ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ ଚାଲିଛି । 

ସେହିପରି ମନ୍ଦିର ଉପରେ ଆକ୍ରମଣକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଛନ୍ତି, କିଛି ଅସାମାଜିକ ତତ୍ତ୍ୱ ବେଳେବେଳେ ଏମିତି ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି । ରାଜ୍ୟରେ ପୋଲିସ ସକ୍ରିୟ ଅଛି । ପୋଲିସକୁ ଅତ୍ୟାଧୁନିକ ଉପକରଣ ଦିଆଯାଇଛି । ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଭଲ ରହିଛି ।
 

ଅଧିକ ପଢ଼ନ୍ତୁ: ରାଜଧାନୀର ସାଲିଆସାହିରେ ରେଡ୍; ବିପୁଳ ପରିମାଣର ଦେଶୀ ମଦ ଜବତ, ୯ ଗିରଫ