ମହିଳା ଜୁନିଅର ଡାକ୍ତରଙ୍କୁ ଅସଦାଚରଣ, ସିସିଟିଭି କ୍ୟାମେରାରେ କଏଦ

ହସ୍ପିଟାଲ ଭିତରେ ପୁଣି ଲଜ୍ଜା । ପୁଣି ଜଣେ ମହିଳା ଜୁନିଅର ଡାକ୍ତରଙ୍କୁ ଅସଦାଚରଣ ଅଭିଯୋଗ ।

Doctor Assault at Hyderabad's Gandhi Hospital

ହସ୍ପିଟାଲ ଭିତରେ ପୁଣି ଲଜ୍ଜା । ପୁଣି ଜଣେ ମହିଳା ଜୁନିଅର ଡାକ୍ତରଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ହସ୍ପିଟାଲ ଭିତରେ ସମସ୍ତଙ୍କ ସାମ୍ନାରେ ଘଟିଛି ଏପରି ଘଟଣା । ହସ୍ପିଟାଲ କର୍ମଚାରୀ ସଙ୍ଗେ ସଙ୍ଗେ ଅଭିଯୁକ୍ତକୁ ଧରିନେବାରୁ ଏକ ବଡ଼ ଅଘଟଣ ଟଳିଯାଇଛି । ବୁଧବାର ହାଇଦ୍ରାବାଦର ଗାନ୍ଧି ହସ୍ପିଟାଲରେ ଏହି ଘଟଣା ଘଟିଛି ।

ହସ୍ପିଟାଲ କର୍ମଚାରୀ ଅଭିଯୁକ୍ତକୁ ଧରି ପ୍ରଥମେ ମାଡ଼ ମାରିବା ସହ ପରେ ପୋଲିସରେ ଜିମା ଦେଇଛନ୍ତି । ଅଭିଯୁକ୍ତ ରୋଗୀକୁ ଯାଞ୍ଚ କରାଯାଉଛି। ଏହାପରେ ଏକ କ୍ରିମିନାଲ କେସ ରୁଜୁ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି । 

ହସ୍ପିଟାଲର କାଜୁଆଲିଟି ୱାର୍ଡକୁ ଯାଇଥିବା ଜଣେ ରୋଗୀ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ସଙ୍ଗେ ସଙ୍ଗେ ମହିଳା ଡାକ୍ତର ଜଣଙ୍କ ଗାନ୍ଧି ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟକୁ ଜଣାଇଥିଲେ । ଏପଟେ ହସ୍ପିଟାଲ କର୍ମଚାରୀ ମଧ୍ୟ ସ୍ଥାନୀୟ ଚିଲକାଲଗୁଡା ପୋଲିସକୁ ସୂଚନା ଦେଇଥିଲେ ଓ ପୋଲିସ ପହଞ୍ଚି ସଂପୃକ୍ତ ରୋଗୀକୁ ହେପାଜତକୁ ନେଇଥିଲା ।  

ଏହି ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ଭିଡିଓ ଅନୁସାରେ ମହିଳା ଡାକ୍ତର ଜଣଙ୍କ ରୋଗୀ ପାଖ ଦେଇ ଯାଉଥିଲେ । ତେବେ ହଠାତ୍ ବ୍ୟକ୍ତି ଜଣଙ୍କ ମହିଳା ଡାକ୍ତରଙ୍କ ଆପରୁନକୁ ଧରିବା ସହ ଆକ୍ରମଣ କରିଥିଲେ । ସେହି ସ୍ଥାନରେ ଏକାଧିକ ରୋଗୀ ଓ ହସ୍ପିଟାଲ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ । ତତକ୍ଷଣାତ ସମସ୍ତେ ଏହାକୁ ବିରୋଧ କରିଥିଲେ ଓ ବ୍ୟକ୍ତିଜଣଙ୍କୁ କାବୁ କରିଥିଲେ ।