ନେଇଗଲେ କି ଅଙ୍ଗ? ମୁଣ୍ଡରେ ଆହତ, କଟାଗଲା ପେଟ! କବର ଖୋଳି ବାହାରିଲା ମୃତଦେହ

ଘରୋଇ ମେଡିକାଲରେ ଅଙ୍ଗ ତସ୍କରୀର ସାଂଘାତିକ ଅଭିଯୋଗ । କନ୍ଧମାଳ ବାଲିଗୁଡ଼ା ଥାନା ଟିକରବାଜୁ ଗାଁରେ ଘଟିଛି ଏଭଳି କିଛି ଘଟଣା ।

Organ Theft Allegation

ଘରୋଇ ମେଡିକାଲରେ ଅଙ୍ଗ ତସ୍କରୀର ସାଂଘାତିକ ଅଭିଯୋଗ । କନ୍ଧମାଳ ବାଲିଗୁଡ଼ା ଥାନା ଟିକରବାଜୁ ଗାଁରେ ଘଟିଛି ଏଭଳି କିଛି ଘଟଣା । ଟିକରବାଜୁ ଗାଁର ବାବୁଲା ଦିଗାଳ ଚଳିତ ମାସ ୧୩ ତାରିଖରେ ଏକ ଦୁର୍ଘଟଣାରେ ଆହତ ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ଏମ୍ସ ଅଣା ଯାଇଥିଲା ।

ହେଲେ ଜଣେ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭର୍ କଥାରେ ପଡ଼ି ବାବୁଲାଙ୍କ ପରିବାର ଲୋକେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ୧୫ ତାରିଖରେ ଭର୍ତ୍ତି କରିଥିଲେ । ହେଲେ ମେଡିକାଲରେ ଆଡମିଟ୍‌ର ଗୋଟିଏ ଦିନ ପରେ ପରେ ତାଙ୍କ ମୃତ୍ୟୁ ହୋଇଥିଲା । ତୁରନ୍ତ ତାଙ୍କ ମୃତଦେହକୁ ଗାଁକୁ ନେଇଯିବାକୁ କହି ଏକ ଆମ୍ବୁଲାନ୍ସ ଯୋଗାଡ଼ କରି ଦେଇଥିଲା ସଂପୃକ୍ତ ମେଡିକାଲ୍ ।

ହେଲେ ବାଟରେ ଆସିଲା ବେଳେ ସମସ୍ତଙ୍କ ହୋସ୍ ଉଡ଼ି ଯାଇଥିଲା । ବାବୁଲା ମୁଣ୍ଡରେ କେବଳ ଆଘାତ ଲାଗିଥିଲା କିନ୍ତୁ ତାଙ୍କ ତଳି ପେଟରେ ଷ୍ଟିଚିଂର ଚିହ୍ନ ରହିଛି । ଏକ ବଡ଼ ଚିହ୍ନଟ ସହ ଏହାର ବ୍ୟାଣ୍ଡେଜ୍ ବି କରାଯାଇଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ହେଲେ ଗତକାଲି ମୃତଦେହ ଶେଷକୃତ୍ୟ କରିବା ପରେ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ ।

ଆଜି ପୋଲିସ୍ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି କବରରୁ ବାବୁଲାଙ୍କ ମୃତଦେହ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ସେପଟେ ଘଟଣାକୁ ନେଇ ସଂମ୍ପୃକ୍ତ ମେଡିକାଲ ଭିନ୍ନ ପ୍ରତିକ୍ରିୟା ରଖିଛି । ମୁଣ୍ଡରୁ ସ୍କଲ କାଢି ପେଟରେ ରଖାଯାଇଥିବା କୁହାଯାଇଛି । କିଛି ଅଙ୍ଗ ତସ୍କରି ହୋଇନି ବୋଲି କୁହାଯାଇଛି ।

ଘଟଣାକୁ ଅସ୍ୱୀକାର କରିଛି ରୁଦ୍ର ମେଡିକାଲ୍ । ବର୍ତ୍ତମାନର ସୂଚନା ଅନୁସାରେ କଟକ ରୁଦ୍ର ହସ୍ପିଟାଲରେ ପହଞ୍ଚିଲା ପୋଲିସ୍ । ଅଙ୍ଗ ତସ୍କରୀ ଅଭିଯୋଗ ପରେ ଖୋଳତାଡ଼ ଆରମ୍ଭ ହୋଇଛି ।