NEET ପରୀକ୍ଷା ଦେଉଥିଲେ ନକଲି ପରୀକ୍ଷାର୍ଥୀ; ଧରାଇଦେଲା ଫିଙ୍ଗର ଫ୍ରିଣ୍ଟ

ପ୍ରକୃତରେ ଅସଲି ପରୀକ୍ଷାର୍ଥୀ ହେଉଛନ୍ତି ମୟୂରଭଂଜର ଶାଶ୍ବତ ତ୍ରିପାଠୀ। ତାଙ୍କ ପାଇଁ ପରୀକ୍ଷା ଦେଉଥିଲେ କୋଲକାତାର ମେଡିକାଲ ଛାତ୍ର ଅଙ୍କିତ ରାଜ । ଏଥିପାଇଁ ଡିଲ୍ ହୋଇଥିଲା ୧୦ ଲକ୍ଷ ଟଙ୍କା।

ବନ୍ଧାହେଲା ନକଲି NEET ପରୀକ୍ଷାର୍ଥୀ

ପରୀକ୍ଷାର୍ଥୀ ଜଣେ, ହେଲେ ପରୀକ୍ଷା ଦେଉଥିଲା ଆଉ ଜଣେ। ମେଡିକାଲ ପ୍ରବେଶିକା ପରୀକ୍ଷା NEETରେ ଏଭଳି ଜାଲିଆତି କରିଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ। ଜାଲିଆତି କରିଥିବା ଆଉ ୩ ଜଣ ଫେରାର ହୋଇଯାଇଥିବା ସୂଚନା ମିଳିଛି।

ଭଦ୍ରକ ସହରର ଏକ ଘରୋଇ ସ୍କୁଲରେ ନିଟ୍ ପରୀକ୍ଷା ଚାଲିଥିଲା। ଏହି ସମୟରେ ନକଲି ପରୀକ୍ଷାର୍ଥୀଙ୍କୁ ଧରିଛି ପୋଲିସ । ମେ’ ମାସ ୫ ତାରିଖରେ ପରୀକ୍ଷା ଚାଲିଥିବା ବେଳେ ଜଣେ ପରୀକ୍ଷାର୍ଥୀଙ୍କ ଉପରେ କର୍ତ୍ତୃପକ୍ଷଙ୍କ ସନ୍ଦେହ ହୋଇଥିଲା । ସେଣ୍ଟର ତରଫରୁ ଆଡ଼ମିନିଷ୍ଟ୍ରେଟିଭ୍ ଅଫିସରଙ୍କୁ ଅବଗତ କରାଯାଇଥିଲା । ତେବେ ଆଡ଼ମିଟ୍ କାର୍ଡରେ ନକଲି ପରୀକ୍ଷାର୍ଥୀଙ୍କ ଫଟୋ ଥିଲା । କିନ୍ତୁ ଆଧାର କାର୍ଡ ଯାଞ୍ଚ ବେଳେ ଫିଙ୍ଗର ପ୍ରିଣ୍ଟ ମ୍ୟାଚ୍ କରିନଥିଲା । ଫିଙ୍ଗର୍ ପ୍ରିଣ୍ଟ ଯାଞ୍ଚ କରିବାରୁ, ନକଲି ପରୀକ୍ଷାର୍ଥୀ ବୋଲି ଜଣାପଡିଥିଲା।

ପରେ ପୋଲିସ ତଦନ୍ତ କରିବା ବେଳେ ଜଣାପଡିଥିଲା ଯେ , ପ୍ରକୃତରେ ଅସଲି ପରୀକ୍ଷାର୍ଥୀ ହେଉଛନ୍ତି ମୟୂରଭଂଜର ଶାଶ୍ବତ ତ୍ରିପାଠୀ। ତାଙ୍କ ପାଇଁ ପରୀକ୍ଷା ଦେଉଥିଲେ କୋଲକାତାର ମେଡିକାଲ ଛାତ୍ର ଅଙ୍କିତ ରାଜ । ଏଥିପାଇଁ ଡିଲ୍ ହୋଇଥିଲା ୧୦ ଲକ୍ଷ ଟଙ୍କା। ଏହି ଦୁଇ ଜଣଙ୍କ ମଧ୍ୟରେ ଯୋଗାଯୋଗ କରିଥିଲେ ଆଦିତ୍ୟ କୁମାର ଓ ରାଜେଶ କୁମାର। ପୁରା ଘଟଣାରେ ୬ଜଣ ସଂପୃକ୍ତ ଥିବା ଜଣାପଡ଼ିଛି। ୩ ଜଣ ଧରାପଡ଼ିଛନ୍ତି। ଅନ୍ୟ ୩ ଜଣ ଫେରାର ଅଛନ୍ତି।

ଗିରଫ ଅଭିଯୁକ୍ତ ହେଉଛନ୍ତି ବିହାର ନାଓଦା ଜିଲ୍ଲାର ସାହେବ ଛକର ଅଙ୍କିତ ରାଜ, ବିହାର ଲଖୀସରାଇ ଜିଲ୍ଲା ପିପାରିଆ ଗାଁର ରାଜେଶ ମଧୁକର ଓ ଝାଡ଼ଖଣ୍ଡ ରାଜ୍ୟ ପୂର୍ବ ସିଂହଭୂମ ଜିଲ୍ଲା ନବରଙ୍ଗ ବଜାର ଅଂଚଳର ପ୍ରେମଶଙ୍କର ପାଣ୍ଡେ । ଘଟଣାରେ ପରୀକ୍ଷା ସମ୍ବନ୍ଧୀୟ ଦଲିଲ, ଆଡମିଟ୍ କାର୍ଡ, ୩ଟି ମୋବାଇଲ୍ ଫୋନ୍ ଗୋଟିଏ ନୀଳ ରଙ୍ଗର କାର୍ ଜବତ କରିଛି ପୋଲିସ ।

ଅନ୍ୟ ସଂପୃକ୍ତଙ୍କ ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଛି ପୋଲିସ । ଏହି ଘଟଣା ଏବେ ବିଭିନ୍ନ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏତେ ସବୁ କଡ଼ା କଟକଣା ପରେ ଏଭଳି କେଳେଙ୍କେରୀ କେମିତି ହୋଇପାରୁଛି, ତାକୁ ନେଇ ପ୍ରଶ୍ନ ଉଠିଛି।