Advertisment

ପଣ୍ଡ ହେଲା କିଡନାପ୍ ପ୍ଲାନ୍; ଉଦ୍ଧାର ହେଲେ ବ୍ୟବସାୟୀଙ୍କ ପୁଅ

ରାଜଧାନୀରେ ବ୍ୟବସାୟୀଙ୍କ ପୁଅକୁ ଟଙ୍କା ପାଇଁ ଅପହରଣ ପ୍ଲାନ୍‌ ପଣ୍ଡ। ୩୬ ଘଣ୍ଟାର ଅପରେସନ୍ ପରେ ୪ ଦୁର୍ବୃତ୍ତଙ୍କୁ କାବୁ କଲା କମିଶନରେଟ୍ ପୋଲିସ। ଅପହୃତ ସୁରକ୍ଷିତ ଉଦ୍ଧାର, କିଡ୍‌ନାପ କରି ୩୦ଲକ୍ଷ ମାଗିଥିଲେ ଦୁର୍ବୃତ୍ତ।

ଅଦ୍ୟତନ ହୋଇଛି
Failed kidnap plan

Failed kidnap plan

Advertisment

ରାଜଧାନୀରେ ଜଣେ ବ୍ୟବସାୟୀଙ୍କ ପୁଅକୁ ଟଙ୍କା ପାଇଁ ଅପହରଣର ଚାଞ୍ଚଲ୍ୟକର ଖୁଲାସା। ୩୦ ଲକ୍ଷ ଟଙ୍କା ପାଇଁ ମୁଣ୍ଡଜାମିନ୍ ରଖିଥିବା ଦୁର୍ବୃତ୍ତଙ୍କ ପାଖରେ ପହଞ୍ଚି ଅତି ଚତୁରତାର ସହ ଅପହୃତଙ୍କୁ ଉଦ୍ଧାର କରିଛି କମିଶନରେଟ୍ ପୋଲିସ୍‌। ୩୬ ଘଣ୍ଟା ଧରି ପ୍ରାୟ ୮ଶହ କିଲୋମିଟର ଯାଏଁ ଜବରଦସ୍ତ ଅପରେସନ୍ କରି ଲୋମଟାଙ୍କୁରା ଅପରାଧର ଖୁଲାସା କରିଛି ସ୍ୱତନ୍ତ୍ର ସ୍କ୍ୱାର୍ଡ। ତା’ସହ ୪ ଦୁର୍ବୃତ୍ତଙ୍କୁ ଗିରଫ କରିଥିବାବେଳେ ଅନ୍ୟ ୩ ଜଣଙ୍କୁ ଧରିବାକୁ ଜାରି ରଖିଛି ଛାନ୍‌ଭିନ୍।

Advertisment

ତେବେ ଦୁର୍ବୃତ୍ତମାନେ କୌଣସି ସାଧାରଣ ଅପରାଧୀ ନୁହଁନ୍ତି। ଏମାନେ ହେଉଛନ୍ତି ଜଣେ ଜଣେ ଅଭ୍ୟାସଗତ ଅପହରଣକାରୀ। ପ୍ରଥମେ ଅପହରଣ ଆଉ ପରେ ମୁଣ୍ଡଜାମିନ ରଖି ଟଙ୍କା ଦାବି କରୁଥିବା କୁଖ୍ୟାତ୍ ଗ୍ୟାଙ୍ଗର ଏମାନେ ହେଉଛନ୍ତି ଜଣେ ଜଣେ ସଦସ୍ୟ। ଯେଉଁମାନେ ଫିଲ୍ମ ଷ୍ଟାଇଲ୍‌ରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ବ୍ୟବସାୟୀ ରାମରୂପ ଅଗ୍ରୱାଲ୍‌ଙ୍କ ପୁଅ ଈଷାନ୍ ଅଗ୍ରୱାଲ୍‌ଙ୍କୁ ଅପହରଣ କରିଥିଲେ ୩୦ ଲକ୍ଷ ଟଙ୍କା ପାଇଁ। ଏବେ ଏହାର ଖୁଲାସା କରିଛି କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍କ୍ୱାର୍ଡ।

ସେଦିନ ଥିଲା ଜାନୁୟାରୀ ୩୧, ଅପରାହ୍ନ। ଘରୁ ବାହାରି ଚା’ ପିଇବାକୁ ଯାଇଥିବାବେଳେ ଝାରପଡ଼ା ନିକଟରେ ମାସ୍କ ପିନ୍ଧିଥିବା ୪ ଜଣ ଦୁର୍ବୃତ୍ତ ନାଁ ଧରି ଡାକିଥିଲେ ଈଷାନଙ୍କୁ। ଈଷାନ୍ ବି କେହି ଚିହ୍ନା ପରିଚିତ ହୋଇଥିବ ଭାବି ପାଖକୁ ଯାଇଥିଲେ। ଆଉ ପାଖକୁ ଯିବା କ୍ଷଣି ଏକ କାର୍‌ରେ ବସେଇ ଅପହରଣ କରିଥିଲେ। ଆଉ ଈଷାନଙ୍କ ବେକରେ ଏକ ଛୁରୀ ଲଗା ଫଟୋ ତାଙ୍କ ବାପାଙ୍କ ମୋବାଇଲକୁ ପଠାଇ ବିଭିନ୍ନ ସ୍ଥାନରୁ କଲ୍ କରି ମାଗିଥିଲେ ୩୦ ଲକ୍ଷ ଟଙ୍କା।

Advertisment

ପୁଅ ଈଷାନଙ୍କୁ ଅପହରଣ କରିଥିବା ଜାଣିବା ପରେ ଲକ୍ଷ୍ମୀସାଗର ଥାନାର ଦ୍ୱାରସ୍ଥ ହୋଇଥିଲେ ମେଡ଼ିକାଲ୍ ସାମଗ୍ରୀ ବ୍ୟବସାୟ କରୁଥିବା ବାପା ରାମରୂପ ଅଗ୍ରୱାଲ୍। ତା’ପରେ କମିଶନରେଟ୍ ପୋଲିସ ଆରମ୍ଭ କରିଥିଲା ଅପରେସନ୍।

ତେବେ ସ୍ପେଶାଲ୍ ସ୍କ୍ୱାର୍ଡ ମୁଖ୍ୟ ଏସିପି ସଂଜୀବ ଶତପଥୀଙ୍କ ନେତୃତ୍ୱରେ ଗଠନ ହୋଇଥିଲା ୪ଟି ଟିମ୍। ସବୁ ଟିମ୍‌ରେ ଲିଡ୍ କରୁଥିଲେ ଜଣେ ଜଣେ ବଛା ବଛା ଅଫିସର୍‌। ଈଷାନଙ୍କ ବାପା ରାମରୂପଙ୍କ ମୋବାଇଲକୁ ଅପହରଣକାରୀମାନେ ବାରମ୍ବାର ଟଙ୍କା ପାଇଁ କଲ୍ କରୁଥିବାରୁ ତାଙ୍କୁ ଗାଡ଼ିରେ ବସାଇ ଛାନଭିନ୍ କରିଥିଲା ପୋଲିସ ଟିମ୍। ତାହାରି ଭିତରେ ଜାରି ରହିଥିଲା ଆସୁଥିବା ଫୋନ୍ କଲ୍‌ର ଭଏସ୍ ଓ ଟେକ୍ନିକାଲ୍ ଆନାଲିସିସ୍।

Advertisment

ସେପଟେ ପୋଲିସ ହାତରେ ଧରାପଡ଼ିଯିବା ଆଶଙ୍କାରେ ଖୋର୍ଦ୍ଧାରୁ ନୟାଗଡ଼ ଯାଇଥିଲେ ଦୁର୍ବୃତ୍ତ। ସେଠାରୁ ବ୍ରହ୍ମପୁର ପୁଣି ନୟାଗଡ଼ ଜିଲ୍ଲାକୁ ଏହି ନମ୍ବରବିହୀନ କାର୍‌ରେ ଯାଇ ଲୁଚିବୁଲୁଥିଲେ ସେମାନେ। ପୋଲିସ୍‌-ଅପରାଧୀଙ୍କ ଏଭଳି ୩୬ ଘଣ୍ଟାର ଲୁଚକାଳି ଏବଂ ପ୍ରାୟ ୮ଶହ କିଲୋମିଟର ଛକାପଞ୍ଛା ପରେ ନୟାଗଡ଼ ରାଜସୁନାଖଳାର ଚୁଡ଼ା ଜଙ୍ଗଲ ପାଖରୁ ଅପହୃତଙ୍କୁ ଉଦ୍ଧାର କରିବା ସହ ୪ ଅପହରଣକାରୀଙ୍କୁ ଧରିଥିଲା ସ୍ପେଶାଲ୍ ସ୍କ୍ୱାର୍ଡ।

ଘଟଣାରେ ୭ ଜଣଙ୍କ ସଂପୃକ୍ତି ଥିବାବେଳେ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ଏବେ ସୁଦ୍ଧା ଅନ୍ୟ ୩ ଜଣ ଫେରାର୍ ଅଛନ୍ତି। ଗିରଫ ୪ ଜଣ ହେଲେ ବ୍ରହ୍ମପୁରର ରାମକ୍ରିଷ୍ଣ, ସମ୍ବଲପୁରର ସନ୍ତୋଷ ରାଉତ, ନୟାଗଡ଼ର ଧନେଶ୍ୱର ପାତ୍ର ଓ ଭୁବନେଶ୍ୱର ଖଣ୍ଡଗିରିର ମୁସ୍ତାକ ଅଲ୍ଲି। ଏମାନେ ଭୁବନେଶ୍ୱରର ଆଉ ଜଣେ ବ୍ୟବସାୟୀଙ୍କୁ ଗତବର୍ଷ ବ୍ରହ୍ମପୁରରେ ଅପହରଣ କରିଥିଲେ। ତା’ସହ ସଂପୃକ୍ତ ଦୁର୍ବୃତ୍ତ ଆଉ କେଉଁ କେଉଁ ଅପରାଧରେ ସଂଶ୍ଲିଷ୍ଟ, ସବୁ ଘଟଣାର ତଦନ୍ତ ପାଇଁ କମିଶନରେଟ୍ ପୋଲିସ ରିମାଣ୍ଡରେ ନେବ ବୋଲି କହିଛି।

ରିପୋର୍ଟ: ଅଲୋକ ମହାନ୍ତି

Kidnapping Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ