ବାପ୍‌ରେ ବାପ୍‌ ଏତେ ଟଙ୍କା ! TMC ନେତାଙ୍କ ସମ୍ପର୍କୀୟ ଘରୁ ବାହାରିଲା ୨୦ କୋଟି ନଗଦ

ଟିଏମସି ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରୁ ବାହାରିଲା ଏଭଳି ଗଦାଗଦା ଟଙ୍କା । ଟିଏମସି ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମ୍ପର୍କୀୟ ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରାୟ ୨୦ କୋଟି ଟଙ୍କା ଜବତ କରିଛି ଇଡି ।

TMC Leader

ଲେକ୍ଷେ କି ଦୁଇ ଲକ୍ଷ ନୁହେଁ । ଦଶ ଲକ୍ଷ କି ୨୦ ଲକ୍ଷ ନୁହେଁ । କୋଟିଏ କି ଦୁଇ କୋଟି ନୁହେଁ । ଏକାଥରକେ ୨୦ କୋଟି ଟଙ୍କା ନଗଦ । କଥା ଟିକେ ବୁଝା ପଡ଼ୁନଥିବ । ଆମେ କହୁଛୁ ଇଡି କରିଥିବା ଏକ ରେଡ୍‌ ବିଷୟରେ । ଶୁକ୍ରବାର ଇଡି ପକ୍ଷରୁ କୋଲକତାରେ ଏକ ରେଡ୍‌ କରାଯାଇଛି । ଯେଉଁଠି ୨୦ କୋଟି ଟଙ୍କା ନଗଦ ଜବତ କରିଛି ଇଡି । କହିବାକୁ ଗଲେ ଘରେ ଥିଲା ଟଙ୍କାର ପାହାଡ଼ ।

ଟିଏମସି ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରୁ ବାହାରିଲା ଏଭଳି ଗଦାଗଦା ଟଙ୍କା । ଟିଏମସି ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମ୍ପର୍କୀୟ ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରାୟ ୨୦ କୋଟି ଟଙ୍କା ଜବତ କରିଛି ଇଡି । ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ କମିଶନ ଏବଂ ପଶ୍ଚିମବଙ୍ଗ ପ୍ରାଇମେରି ଏଜୁକେଶନ ବୋର୍ଡ଼ ନିଯୁକ୍ତି ପରୀକ୍ଷାରେ ହୋଇଥିବା ମହାଘୋଟାଲାରେ ଅଭିଯୋଗ ଆସିବା ପରେ ଇଡି ପକ୍ଷରୁ ରେଡ୍‌ ହୋଇଥିଲା ।

 

ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ରେଡ୍‌ ହୋଇଥିବା ବେଳେ, କେବଳ ଅର୍ପିତା ମୁଖାର୍ଜୀଙ୍କ ଘରୁ ଆଖି ତରାଟିଲା ଭଳି ଟଙ୍କା ବାହାରିଛି । ସର୍ଚ୍ଚ ଅପରେଶନ ବେଳେ ଅର୍ପିତାଙ୍କ ଘରୁ ୨୦ କୋଟି ଟଙ୍କା ଜବତ କରାଯାଇଛି । ଏସଏଏସି ସ୍କାମରେ ଏହି ଟଙ୍କା ଆଦାୟ କରାଯାଇଥିବା ସନ୍ଦେହ କରାଯାଉଛି ।

ତେବେ ଟଙ୍କା ଗଣନା ପାଇଁ ବ୍ୟାଙ୍କ ଅଫିସରଙ୍କ ସହାୟତା ନିଆଯାଇଥିଲା । ଏତେ ଗୁଡ଼ିଏ ଟଙ୍କା ଗଣନା ପାଇଁ ଟଙ୍କା ଗଣନା ମେସିନକୁ ନିୟୋଜିତ କରାଯାଇଥିଲା । ଅର୍ପିତାଙ୍କ ଘରୁ ୨୦ଟି ମୋବାଇଲ ମଧ୍ୟ ଜବତ କରାଯାଇଛି । ରେଡ୍‌ ବେଳେ ଅର୍ପିତାଙ୍କ ଘରୁ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍‌ ବାହାରିଛି । ଅନ୍ୟପଟେ ଟିଏମସି ନେତା ପାର୍ଥ ଚାଟାର୍ଜୀଙ୍କ ଘରେ ମଧ୍ୟ ଇଡି ରେଡ୍‌ କରିଥିଲା ।

ସୂଚନାଯୋଗ୍ୟ ଏସଏସସି ସ୍କାମରେ ପୂର୍ବରୁ ପାର୍ଥ ଚାଟାର୍ଜୀ ଏବଂ ପରେଶ ଅଧିକାରୀ ନାମକ ୨ ଜଣ ମନ୍ତ୍ରୀଙ୍କୁ ସିବିଆଇ ପଚରାଉଚରା କରିଛି । ଏବେ ଇଡି ପାର୍ଥ ଚାଟାର୍ଜୀଙ୍କ ଏହି ଘୋଟାଲାରେ ସମ୍ପୃକ୍ତ ଥିବା ଏକାଧିକ ଅଧିକାରୀଙ୍କ ଘରେ ରେଡ୍ କରିଛି ।