ଭୁବନେଶ୍ୱର: ଚିଟ୍ଫଣ୍ଡ କମ୍ପାନୀ ତ ଠକିଦେଲା, ହେଲେ ସେହି କଟା ଘାଆରେ ଚୁନ ବୋଳି ରାଜ୍ୟ ସରକାର ବି ଠକିବାକୁ ବସିଛନ୍ତି ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ । କାରଣ ତଦନ୍ତ ପାଇଁ କମିଶନ ବସିଲା, ୩ ଶହ କୋଟିର କର୍ପସ ପାଣ୍ଠି ବି ପ୍ରସ୍ତୁତ ହେଲା । ହେଲେ କମିଶନ ବନ୍ଦ ହୋଇଯିବା ପରେ ଲକ୍ଷ ଲକ୍ଷ ଜମାକାରୀଙ୍କ ସତ୍ୟପାଠ ଏବେ ଖତ ଖାଉଛି କମିଶନ ଅଫିସରେ । ଏପରିକି ଚିଟ୍ଫଣ୍ଡ ସଂସ୍ଥା ଗୁଡ଼ିକ ଠାରୁ କେତେ ସମ୍ପତ୍ତି ଜବତ ହେଲା, ତାର ବି ହିସାବ କିତାବ ମିଳୁନି । ଏଭଳି ସ୍ଥିତିରେ କଷ୍ଟ ଉପାର୍ଜିତ ଟଙ୍କା ଫେରିପାଇବା ପାଇଁ ଆଶା ଛାଡ଼ିଥିବା କ୍ଷତିଗ୍ରସ୍ତ, ଆଗାମୀ ପଞ୍ଚାୟତ ନିର୍ବାଚନରେ ଜବାବ ଦେବାକୁ ଅଣ୍ଟାଭିଡ଼ିଛନ୍ତି ।
ଜଣେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ କ୍ଷୋଭରେ କହିଛନ୍ତି, ରାଜ୍ୟ ସରକାର ଯଦି ଚାହିଁଥାନ୍ତେ, ତାହେଲେ ଇତିମଧ୍ୟରେ ସେମାନେ ଫେରିପାଇଥାନ୍ତେ ଜମାରାଶି । ହାତକୁ ଆସିଥାନ୍ତା କଷ୍ଟ ଉପାର୍ଜିତ ଟଙ୍କା । ତାହେଲେ କାହିଁକି ସରକାର ଚୁପ୍ ? କାହିଁକି ଦିଆଯାଇପାରୁନି ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ? କେଉଁଠି ରହିଲା ଭୁଲ୍ ? ଏଭଳି ନା ନା ପ୍ରଶ୍ନ ଭିତରେ ଚିଟ୍ଫଣ୍ଡ କେଳେଙ୍କାରୀଠୁ ଚିଟ୍ଫଣ୍ଡ ଦୁର୍ନୀତିର ତଦନ୍ତ ଯାଏଁ ଚିତ୍ର ଅସ୍ପଷ୍ଟ ।
Also Read
ଯଦି ଦେଖିବା କୌଣସି କବାଡ଼ିଖାନା କି ଡମ୍ପିଂୟାର୍ଡ ଠାରୁ ବଳକା ନୁହେଁ ଚିଟ୍ଫଣ୍ଡ ତଦନ୍ତ କମିଶନଙ୍କ କାର୍ଯ୍ୟାଳୟ । ଏଠାରେ ଲୋକମାନେ ଚିଟ୍ଫଣ୍ଡ ଟଙ୍କା ଫେରସ୍ତ ପାଇବା ପାଇଁ ଆବେଦନ କରିଥିବା ସବୁ କାଗଜପତ୍ର ଏମିତି ପଡ଼ିଛି ଯେ, ତାହା କବାଡ଼ି ଖାନା ଭଳି ଦେଖାଯାଉଛି । ଏମିତିକି ଏଥିରେ ଉଈ ଲାଗିସାରିଲାଣି । ଏହା ସବୁ ଚିଟ୍ଫଣ୍ଡ ତଦନ୍ତ କମିଶନଙ୍କ କାର୍ଯ୍ୟାଳୟରେ ଦାଖଲ ହୋଇଥିବା ସ୍ୱପ୍ନ ଆଉ ବିଶ୍ୱାସର ସତ୍ୟପାଠ । ହେଲେ ତଦନ୍ତ କମିଶନରେ ତାଲା ଝୁଲିବା ପରଠୁ ଖତ ଖାଉଛି ଲକ୍ଷ ଲକ୍ଷ ଜମାକାରୀଙ୍କ ସତ୍ୟପାଠ କାଗଜ ।
୨୦୧୩ରେ ଗଠିତ କମିଶନ ବନ୍ଦ ହୋଇଗଲା ୨୦୨୦ ଜୁଲାଇରେ । ସେହିବର୍ଷ ଫେବୃଆରୀ ୪ରେ କମିଶନଙ୍କ କାର୍ଯ୍ୟକାଳ ସରିଥିଲେ ବି ସରକାର ଆଉ କାର୍ଯ୍ୟକାଳ ବଢ଼ାଇଲେନି । କମିଶନ ଓ ତାଙ୍କ କର୍ମଚାରୀଙ୍କ ବେତନ ବାବଦକୁ ଖର୍ଚ୍ଚ ହୋଇଥିଲା ପ୍ରାୟ ୬ ଲକ୍ଷ ୮୮ ହଜାର ଟଙ୍କା । କମିଶନଙ୍କ ଠାରୁ ନ୍ୟାୟ ପାଇବା ଆଶାରେ ୨ଟି ପର୍ଯ୍ୟାୟରେ ପ୍ରାୟ ୧୫ ଲକ୍ଷ ଜମାକାରୀ ଦାଖଲ କରିଥିଲେ ସତ୍ୟପାଠ । ପ୍ରଥମ ପର୍ଯ୍ୟାୟରେ ଦାଖଲ ୮ ଲକ୍ଷ ୮୬ ହଜାର ସତ୍ୟପାଠର ଶୁଣାଣି କରି କମିଶନ ୭ଟି ଅନ୍ତରୀଣ ରିପୋର୍ଟ ସରକାରଙ୍କୁ ଦେଇଥିଲେ । ଯେଉଁଥିରେ କମିଶନ ୪ ଲକ୍ଷ ୯୭ ହଜାର ୮୪୪ ଜଣ କ୍ଷୁଦ୍ର ଜମାକାରୀଙ୍କ ସହ ୪୫୦ଟି ଠକ ସଂସ୍ଥାକୁ ଚିହ୍ନଟ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ୭ ଲକ୍ଷରୁ ଅଧିକ ସତ୍ୟପାଠ ଉପରେ କାମ ଆରମ୍ଭ ବେଳକୁ ବନ୍ଦ ହୋଇଗଲା କମିଶନ । ଫଳରେ ଏବେ କେମିତି ମିଳିବ ଜମା ଟଙ୍କା, ତାକୁ ନେଇ ଆଶା ଛାଡ଼ିଥିବା ଜମାକାରୀ ଆଗାମୀ ପଞ୍ଚାୟତ ନିର୍ବାଚନ ବେଳେ ସରକାରଙ୍କୁ କଡ଼ା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।
କମିଶନ ଚିହ୍ନଟ କରିଥିବା ପ୍ରାୟ ୫ ଲକ୍ଷ କ୍ଷୁଦ୍ର ଜମାକାରୀଙ୍କ ମଧ୍ୟରୁ ମାତ୍ର ୨୫ଶହଙ୍କୁ ଜମାଟଙ୍କା ଫେରସ୍ତ କରାଯାଇଥିଲା । ତେବେ କେତୋଟି ଚିଟଫଣ୍ଡ ସଂସ୍ଥାଠାରୁ କେତେ ସମ୍ପତ୍ତି ଆଟାଚ୍ ହେଲା, କେତେ ବିକ୍ରି ହେଲା, ସେସବୁର କୌଣସି ହିସାବ କିତାବ ମିଳୁନି । ଖାଲି ସେତିକି ନୁହେଁ, ଅର୍ଥନୈତିକ ଅପରାଧ ଶାଖା, ସିବିଆଇ, ଜିଲ୍ଲା ପୋଲିସ ପକ୍ଷରୁ ମାମଲାର ଫାଇନାଲ୍ ଚାର୍ଜସିଟ୍ ବି ଦାଖଲ ହୋଇନି । ଏଭଳି ବିଳମ୍ବିତ ପ୍ରକ୍ରିୟା ଯୋଗୁ ସତ୍ୟପାଠ ଦାଖଲ କରିଥିବା ୧୫ ଲକ୍ଷ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ କେବେ ମିଳିବ ଟଙ୍କା ? କୁଆଡ଼େ ଗଲା ୩ ଶହ କୋଟିର କର୍ପସ ପାଣ୍ଠି ? ଅନ୍ଧାରରେ ସମସ୍ତେ ଥିବାବେଳେ ସରକାରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି ।