• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦ୍ୱିତୀୟ ଭଗବାନ୍‌ ବୋଲାଉଥିବା ଡାକ୍ତର ପାଲଟି ଗଲେ ଅମଣିଷ । ନୀରିହ ପଶୁକୁ ଗାଡ଼ିରେ ବାନ୍ଧି ସହର ସାରା ଘୋଷାଡ଼ି ଘୋଷାଡ଼ି ନେଲେ । କଥା କହି ନିଜ କଷ୍ଟ ଜଣାଇ ପାରୁନଥିବା କୁକୁରଟି ରକ୍ତ ଜୁଡୁବୁଡ଼ୁ ହୋଇ ଜୀବନ ପାଇଁ ଭିକ ମାଗୁଥିଲା । ଘୋଷାଡ଼ି ହୋଇ ଗୋଡ଼ ଭାଙ୍ଗିଯିବା ପରେ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲା । ହେଲେ ତା’ କାଉଁ କାଉଁ ଶବ୍ଦ ଡାକ୍ତରଙ୍କ କାନକୁ ଶୁଭିନଥିଲା । ଏହି ଦୃଶ୍ୟକୁ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ରେକର୍ଡ କରିବା ସହ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଭିଡିଓ ଭାଇରାଲ ହେବା ପରେ ଏବେ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଗିରଫ କରାଯାଇଛି ।

ରାଜସ୍ଥାନର ଯୋଧପୁରର ଶାସ୍ତ୍ରୀ ନାଗର କଲୋନୀରେ ଗତ ରବିବାର ଏପରି ଘଟଣା ଘଟିଥିବା କୁହାଯାଉଛି । ଅଭିଯୁକ୍ତ ଜଣକ ହେଉଛନ୍ତି ଡାକ୍ତର ରଜନୀଶ ଗଲୱା । ସେ ହେଲେ ଲୋକଙ୍କ ଜୀବନ ବଞ୍ଚାଉଥିବା ଡାକ୍ତର, ଯାହାଙ୍କୁ ଆମେ ଦ୍ୱିତୀୟ ଭଗବାନ୍‌ ବି କହୁ । ସେ ବର୍ତ୍ତମାନ ଏମଜିଏଚରେ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ସହକାରୀ ପ୍ରଫେସର । ତାଙ୍କର ଏପରି ହୃଦୟହୀନ କାମ ଯୋଗୁଁ କୁକୁରଟି ଗୁରୁତର ଆହତ ହେବା ସହ ଗୋଡ ଭାଙ୍ଗିଯାଇଛି ।

ଭିଡିଓ ଭାଇରାଲ୍‌ ହେବା ପରେ ଘଟଣାଟି ବିଜେପି ନେତ୍ରୀ ତଥା ପଶୁ ଅଧିକାର ପାଇଁ ଲଢ଼ୁଥିବା ମେନକା ଗାନ୍ଧିଙ୍କଙ୍କ ନଜରକୁ ଆସିଥିଲା  । ତାଙ୍କ ଠାରୁ ଅଭିଯୋଗ ପାଇବା ପରେଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରି ଛାନ୍‌ଭିନ୍‌ ଆରମ୍ଭ କରିଥିଲା ପୋଲିସ୍‌ । ବର୍ତ୍ତମାନ ନିର୍ଦ୍ଦୟ ଡାକ୍ତରଙ୍କୁ ପୋଲିସ୍‌ ଗିରଫ କରିବା ସହ ପଚରାଉଚରା କରୁଛି । ତେବେ ସେ ଏହି କାମ ପାଇଁ ସଫେଇ ମଧ୍ୟ ଦେଇଛନ୍ତି ଡାକ୍ତର ବାବୁ । କୁକୁରଟି ତାଙ୍କ ଘର ଭିତରେ ବାରମ୍ବାର ପଶିବା ସହ ଘର ସମ୍ମୁଖରେ ଭୁକୁଥିବା ସେ କହିଛନ୍ତି । ଏଥିପାଇଁ ଘଟଣା ଦିନ ସେ କୁକୁରକୁ ଗାଡ଼ିରେ ବାନ୍ଧି ନଗର ନିଗମର ଏନକ୍ଲୋଜରକୁ ଛାଡ଼ିବାକୁ ଯାଉଥିଲେ ।

ସେପଟେ କୁକୁରକୁ ଏପରି ଟାଣି ଟାଣି ନେଉଥିବା ଭିଡିଓ ଦେଖିବା ପରେ ଏନଜିଓର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । କୁକୁରଟିର ଗୋଡ଼ ଭାଙ୍ଗି ଯାଇଥିବାରୁ ତାକୁ ଚିକିତ୍ସା ପାଇଁ ପଠାଇଛନ୍ତି। ତେବେ କିଛି ଲୋକଙ୍କ ଅଭିଯୋଗ ଅନୁସାରେ , ସେମାନେ ଡାକ୍ତରଙ୍କ କାରକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ସେମାନଙ୍କ ଅନୁରୋଧ ଶୁଣିବା ପରିବର୍ତ୍ତେ ଡାକ୍ତର ଜଣକ ଓଲଟି ଧମକ ଦେଇଥିଲେ ।