ଦେଶର ବିଭିନ୍ନ ସହରରେ ଡିଜିଟାଲ ଆରେଷ୍ଟ ନାମରେ ଲୋକଙ୍କୁ ଠକିବା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବର୍ତ୍ତମାନ ଡିଜିଟାଲ ଠକେଇ ସହିତ ଡିଜିଟାଲ ଆରେଷ୍ଟ ଏକ ଭୟ ରୂପେ ଉଭା ହୋଇଛି। ଡିଜିଟାଲ ଠକେଇର ଲକ୍ଷ୍ୟ ହେଉଛି ଭୟ ଓ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି କରିବା। ଆଇନଗତ ପରିଣାମ, ଆର୍ଥିକ କିମ୍ବା ବ୍ୟକ୍ତିଗତ କ୍ଷତିର ଭୟ ଦେଖାଇ ଜନସାଧାରଣଙ୍କୁ ବ୍ୟତିବ୍ୟସ୍ତ କରାଇ ଲକ୍ଷ୍ୟ ହାସଲ କରିବା ।
ଅପରାଧୀମାନେ ପ୍ରଥମେ ଲୋକଙ୍କ ପାଖକୁ ଏସଏମଏସ କିମ୍ବା ଭିଡିଓ କଲ୍ ଜରିଆରେ ନିଜକୁ ପୋଲିସ, ସିବିଆଇ କିମ୍ବା ଇଡି ଅଧିକାରୀ ଭାବେ ପରିଚୟ ଦେଇଥାନ୍ତି । ସମ୍ପୃକ୍ତ ବ୍ୟକ୍ତି କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଡ୍ରଗ୍ ଚାଲାଣ, ମନିଲଣ୍ଡରିଂ କିମ୍ବା ପାଖରେ ବେଆଇନ ସାମଗ୍ରୀ ରଖିଥିବା ଅଭିଯୋଗ କରନ୍ତି । ଏସବୁ ଶୁଣି ଭୟଭୀତ ହୋଇପଡ଼ିଥିବା ବ୍ୟକ୍ତିଙ୍କୁ ଭିଡିଓ କଲ୍ କରି ଡିଜିଟାଲି ଆରେଷ୍ଟ କରାଗଲା ବୋଲି କହିଥାନ୍ତି। ଏଭଳି କଲ୍ କରି ସେମାନେ ଲକ୍ଷାଧିକ ଟଙ୍କା ଦାବି କରିଥାନ୍ତି।
ଡିଜିଟାଲ୍ ଆରେଷ୍ଟରେ ଠକମାନେ ଲୋକଙ୍କୁ ଭୟଭୀତ କରି ପରିବାର ଓ ସାଙ୍ଗସାଥୀଙ୍ଗ ଠାରୁ ଅଲଗା କରନ୍ତି, ମିଛ କୁହନ୍ତି ଏବଂ ସେମାନଙ୍କ ଠାରୁ ଟଙ୍କା ଆଦାୟ କରନ୍ତି। ଏଭଳି ଅନେକ ଘଟଣା ଗତ କିଛି ମାସ ମଧ୍ୟରେ ସାମ୍ନାକୁ ଆସିଲାଣି । ଏଭଳି ଅପରାଧ ବିରୋଧରେ ସୁରକ୍ଷା ବଢ଼ାଇବାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ସରକାରଙ୍କ ସାଇବର ସୁରକ୍ଷା ଏଜେନ୍ସି ସହ କାର୍ଯ୍ୟ ମଧ୍ୟ କରୁଛନ୍ତି ।
Also Read
ଅନ୍ୟପକ୍ଷରେ ସାଇବର ଅଭିଯୋଗ ଦାଖଲ ପାଇଁ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର ୧୯୩୦ ଜାରି କରାଯାଇଛି। ଅନଲାଇନ ଠକେଇର ଶିକାର ହେଉଥିବା ଲୋକେ ଏଥିରେ ନିଜ ଅଭିଯୋଗ ଦାଖଲ କରିପାରିବେ । ହେଲେ ପରିତାପର ବିଷୟ ଅନେକ ସଚେତନତା ସତ୍ତ୍ୱେ ଡିଜିଟାଲ ଆରେଷ୍ଟ ଉପରେ ଲଗାମ ଲଗାଯାଇ ପାରୁନାହିଁ ।
ମାୟାନଗରୀରେ ମାତିଛନ୍ତି ଡିଜିଟାଲ ଚୋର
ମାୟାନଗରୀ ମୁମ୍ବାଇରେ ଏବେ ଡିଜିଟାଲ ଆରେଷ୍ଟ ମାମଲା ବଢ଼ି ବଢ଼ି ଚାଲିଛି । ଗତବର୍ଷ ମୁମ୍ବାଇ ପୋଲିସ ଏପରି ୧୯୫ଟି ମାମଲା ପଞ୍ଜିକୃତ କରିଥିଲା ଏବଂ ଚଳିତ ବର୍ଷର ପ୍ରଥମ ଦୁଇ ମାସରେ ୧୫ଟି ମାମଲା ସାମ୍ନାକୁ ଆସିଛି । ଅଧିକାଂଶ ପୀଡିତ ବରିଷ୍ଠ ନାଗରିକ । ବ୍ୟାଙ୍କର, ଡାକ୍ତର ଏବଂ ବଡ଼ କମ୍ପାନୀର ନିର୍ଦ୍ଦେଶକଙ୍କ ଭଳି ଶିକ୍ଷିତ ବ୍ୟକ୍ତି ମଧ୍ୟ ଡିଜିଟାଲ ଆରେଷ୍ଟର ଶିକାର ହେଉଛନ୍ତି। ଜଣେ ପୀଡିତା କହିଛନ୍ତି, ସେ ସକାଳ ୮:୪୫ ରେ କାମକୁ ଯାଉଥିବା ସମୟରେ ଏକ ଫୋନ୍ ଆସିଥିଲା ।
ଫୋନ୍ କରିଥିବା ବ୍ୟକ୍ତିଙ୍କ ପାଖରେ ତାଙ୍କର ଆଧାର ନମ୍ବର ଥିଲା । ଠକମାନେ କହିଥିଲେ ତାଙ୍କ ଦ୍ୱାରା ପଠାଯାଇଥିବା ପାର୍ସଲରେ ଡ୍ରଗ୍ସ ମିଳିଛି। ମହିଳାଙ୍କୁ ତାଙ୍କ ଶୟନ କକ୍ଷରେ ବନ୍ଦ ରହିବାକୁ ଏବଂ ପରିବାର ସହିତ କଥା ନ ହେବାକୁ କୁହାଯାଇଥିଲା। ତାଙ୍କୁ ଧମକ ଦିଆଯାଇଥିଲା ଏଫଆଇଆର ରୁଜୁ ହେଲେ, ସେ ଆଗାମୀ ସମୟରେ ବିଦେଶ ଯାଇପାରିବେ ନାହିଁ । ହେଲେ ମହିଳା ଜଣକ କୌଣସି ମତେ ଏ ବିପଦରୁ ରକ୍ଷା ପାଇଯାଇଥିଲେ । ଏ କେବଳ ଗୋଟିଏ ଘଟଣା, ସାରା ଭାରତରେ ଏପରି ଅନେକ ଘଟଣା ଘଟୁଛି ।
କେଉଁ ଲୋକମାନେ ଡିଜିଟାଲ ଆରେଷ୍ଟର ଶିକାର ହେଉଛନ୍ତି ?
ବହୁ ବଡ଼ବଡ଼ିଆ ଏହି ଫାଶରେ ଫସି କୋଟି କୋଟି ଟଙ୍କା ହରାଉଛନ୍ତି। ଠକମାନେ ସେହି ଲୋକମାନଙ୍କୁ ଟାର୍ଗେଟ କରନ୍ତି, ଯେଉଁମାନଙ୍କ ପାଖରେ ଟଙ୍କା, ସମ୍ମାନ ରହିଛି । ସାଇବର ଅପରାଧୀମାନେ ଲୋକଙ୍କ ଦୁର୍ବଳତା, ବ୍ୟକ୍ତିଗତ ଡାଟା, ଅନ୍ତରଙ୍ଗ ବିଷୟ କିମ୍ବା ଏପରି କୌଣସି ସୂଚନା ହାତେଇବାରେ ସକ୍ଷମ ହେଲେ ତାହାକୁ ବ୍ୟବହାର କରି ଶିକାର ଯୋଜନା କରିଥାଆନ୍ତି । ଯେତେବେଳେ ଏହି ଜିନିଷଗୁଡ଼ିକ ବିପଦରେ ପଡ଼ିଥାଏ, ଲୋକମାନେ ଭୟଭୀତ ହୋଇଯାଆନ୍ତି।
ଜଣେ ବୟସ୍କ ବ୍ୟକ୍ତି କହିଛନ୍ତି, ଯେତେବେଳେ ଠକ ତାଙ୍କ ଝିଅକୁ କ୍ଷତି ପହଞ୍ଚାଇବାକୁ ଧମକ ଦେଇଥିଲା, ସେ ଭୟରେ ୯ ଲକ୍ଷ ଟଙ୍କା ଦେଇଦେଇଥିଲେ। ପରିବାର ଲୋକେ ବିପଦରେ ପଡ଼ିପାରନ୍ତି ଜାଣିବା ପରେ ଆଗପଛ ବିଚାର ନକରି ଲୋକେ ତୁରନ୍ତ ସମାଧାନ ଚାହାଁନ୍ତି। କେହି ଚାହାଁନ୍ତି ନାହିଁ ଯେ ତାଙ୍କ ପରିବାରର କୌଣସି କ୍ଷତି ହେଉ । ଯଦି ଟଙ୍କା ଦେଇ ସମସ୍ୟାର ସମାଧାନ ହୁଏ, ତେବେ ଲୋକମାନେ ତାହା କରନ୍ତି ।
ଭାବିବାକୁ ସୁଯୋଗ ମିଳେ ନାହିଁ
ସାଇବର ମନସ୍ତତ୍ତ୍ୱବିତ୍ କୁହନ୍ତି, ଆମେ ପ୍ରାୟତଃ ଏପରି ଲୋକଙ୍କ କଥା ଶୁଣୁ ଯେଉଁମାନେ ଆମଠାରୁ ବୟସ୍କ କିମ୍ବା ବର୍ଦ୍ଦିରେ ଦେଖାଯାଆନ୍ତି । ଭିଡିଓ କଲରେ ଖାକି ପୋଷାକ ପିନ୍ଧିଥିବା, ପୋଲିସ ଲୋଗୋ ଥିବା କିମ୍ବା ବିଚାରପତି ପରି ଦେଖାଯାଉଥିବା ବ୍ୟକ୍ତି ଆମକୁ ଅସଲ ମନେହୁଅନ୍ତି । ଠକମାନେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବୋଲି ଦର୍ଶାଇବା ପାଇଁ ଆଧାର, ପାନ୍ ନମ୍ବର କିମ୍ବା ବ୍ୟାଙ୍କ ଆକାଉଣ୍ଟ ବିବରଣୀ ବ୍ୟବହାର କରନ୍ତି । ଅତ୍ୟଧିକ ଭୟ ଯୋଗୁଁ ଲୋକମାନେ ଚିନ୍ତାଶକ୍ତି ହରାଇ ବସନ୍ତି ଏବଂ ଠକମାନେ ସେମାନଙ୍କୁ ଭାବିବାକୁ ସୁଯୋଗ ଦିଅନ୍ତି ନାହିଁ ।
ଅନ୍ୟ ଜଣେ ପୀଡିତ କହିଛନ୍ତି, ତାଙ୍କୁ ଜଣେ ନକଲି ସିବିଆଇ ଅଧିକାରୀଙ୍କ ଠାରୁ ଫୋନ୍ ଆସିଥିଲା। ତାଙ୍କ ବିରୋଧରେ ମିଥ୍ୟା ବିଜ୍ଞାପନ ଅଭିଯୋଗ ଆସିଥିବା କହିଥିଲେ ସାଇବର ଠକ। ପରଦିନ ତାଙ୍କୁ ସୁପ୍ରିମକୋର୍ଟର ଲେଟରହେଡରେ ମୋହର ଏବଂ ସିଲ୍ ହୋଇଥିବା କାଗଜପତ୍ର ଦିଆଯାଇଥିଲା। ଫଳରେ ଘଟଣାକୁ ନେଇ ତାଙ୍କୁ କୌଣସି ପ୍ରକାର ସନ୍ଦେହ ହୋଇନଥିଲା , ଦେଖୁ ଦେଖୁ ସେ ୩୨ ଲକ୍ଷ ଟଙ୍କା ହରାଇଥିଲେ।
ଇଣ୍ଟରନେଟରୁ ତଥ୍ୟ ବାହାର କରି ଲୋକଙ୍କୁ ଫସାନ୍ତି
ଠକମାନେ ଇଣ୍ଟରନେଟରୁ ସୂଚନା ବାହାର କରି ଲୋକଙ୍କୁ ଫସାଉଛନ୍ତି। ଆଇନ ବିଷୟରେ ଲୋକଙ୍କର ଜ୍ଞାନର ଅଭାବକୁ ହତିଆର କରନ୍ତି ସାଇବର ଠକ । ଅସଲ ଡାଟା ଓ ଏଆଇର ଭିଡିଓ ବ୍ୟବହାର କରି ଲୋକଙ୍କୁ ବୋକା ବନାଉଛନ୍ତି । ଆଇଆଇଟିରୁ ଏବଂ ସାଇବର ସୁରକ୍ଷା ବିଷୟରେ ଜ୍ଞାନ ଥିବା ଲୋକମାନେ ମଧ୍ୟ ଭୟ ଯୋଗୁଁ ଠକେଇର ଶିକାର ହୁଅନ୍ତି। ଅନେକ ଲୋକ ଭାବନ୍ତି ଯେ ଯଦି କୌଣସି ଯାଞ୍ଚ ହୋଇଥିବା ନମ୍ବର କିମ୍ବା ସରକାରୀ ସଂଗଠନରୁ କଲ୍ ଆସୁଛି, ତେବେ ତାହା ସତ ହୋଇଥିବ।
ଡିଜିଟାଲ୍ ଆରେଷ୍ଟ ବୋଲି କିଛି ନାହିଁ..
ଡିଜିଟାଲ ଆରେଷ୍ଟ ବୋଲି କିଛି ନାହିଁ। ଲୋକଙ୍କୁ ଲୁଟିବା ପାଇଁ ଏହା ଏକ ମନଗଢ଼ା ଶବ୍ଦ। ସୂଚନାର ଅଭାବ, ଅନଲାଇନ୍ କଥାବାର୍ତ୍ତା ଉପରେ ବିଶ୍ୱାସ କରି ଲୋକମାନେ ଠକାମିର ଶିକାର ହୁଅନ୍ତି। ସରଳ ଭାଷାରେ କହିବାକୁ ଗଲେ, ଡିଜିଟାଲ୍ ଆରେଷ୍ଟ ଏପରି ଏକ ଠକେଇ ଯେଉଁଥିରେ ଠକମାନେ ପୋଲିସ କିମ୍ବା ଅନ୍ୟାନ୍ୟ ସରକାରୀ ଅଧିକାରୀ ଭାବରେ ନିଜକୁ ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରାଇ ସେମାନଙ୍କଠାରୁ ଟଙ୍କା ଆଦାୟ କରନ୍ତି। ସେମାନେ ସେମାନଙ୍କର ପୀଡିତଙ୍କୁ ଫସାଇବା ପାଇଁ ମନସ୍ତାତ୍ତ୍ୱିକ କୌଶଳ, ମିଥ୍ୟା କାହାଣୀ ଏବଂ କୌଶଳ ବ୍ୟବହାର କରନ୍ତି । ଲୋକଙ୍କୁ ଏପରି ଠକେଇ ପ୍ରତି ସତର୍କ ରହିବାକୁ ଏବଂ ସେମାନଙ୍କର ସୂଚନା କୌଣସି ଅଜଣା ବ୍ୟକ୍ତିଙ୍କୁ ନଦେବାକୁ ପରାମର୍ଶ ଦିଆଯାଇଛି।
ଅଜଣା ଲୋକଙ୍କୁ ବ୍ୟକ୍ତିଗତ ସୂଚନା ଦିଅନ୍ତୁ ନାହିଁ
ଡିଜିଟାଲ୍ ଆରେଷ୍ଟ ଠକେଇରୁ ରକ୍ଷା ପାଇବା ପାଇଁ ଲୋକମାନେ କିଛି କଥା ମନେ ରଖିବା ଉଚିତ। ପ୍ରଥମତଃ, ସେମାନେ କେବେବି କୌଣସି ଅଜଣା ବ୍ୟକ୍ତିଙ୍କୁ ନିଜର ବ୍ୟକ୍ତିଗତ ସୂଚନା ଦେବା ଉଚିତ୍ ନୁହେଁ। ଦ୍ୱିତୀୟତଃ, ଯେଉଁମାନେ ସେମାନଙ୍କୁ ଗିରଫ କରିବାକୁ କିମ୍ବା ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଉଛନ୍ତି, ସେମାନଙ୍କୁ କେବେବି ଟଙ୍କା ଦେବା ଉଚିତ୍ ନୁହେଁ। ତୃତୀୟତଃ, ସେମାନେ ସର୍ବଦା ପୋଲିସ କିମ୍ବା ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କ ସହିତ ସିଧାସଳଖ ଯୋଗାଯୋଗ କରିବା ଉଚିତ ଯେ ସେମାନେ ପ୍ରକୃତରେ ସେମାନଙ୍କ ସହିତ ଯୋଗାଯୋଗ କରୁଛନ୍ତି କି ନାହିଁ ତାହା ନିଶ୍ଚିତ କରିବା ଉଚିତ। ଯେତେବେଳେ ଲାଗିଲା ଆପଣ ଡିଜିଟାଲ୍ ଆରେଷ୍ଟ ହୋଇଛନ୍ତି, ସେତେବେଳେ ତୁରନ୍ତ ପୋଲିସକୁ ରିପୋର୍ଟ କରିବା ଉଚିତ। ଆପଣ ସାଇବର ଅପରାଧ ପୋର୍ଟାଲରେ ମଧ୍ୟ ସାଇବର ଅପରାଧ ରିପୋର୍ଟ କରିପାରିବେ।
ଏହାବ୍ୟତୀତ ଡିଜିଟାଲ ପେମେଣ୍ଟ, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ, ନିଯୁକ୍ତି ସୁଯୋଗ ପାଇଁ ଲୋଭନୀୟ ଅଫର୍, ଆଧାର, କେୱାଇସି ଅପଡେଟ୍, ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ସୁଯୋଗ, ମାଟ୍ରିମୋନିଆଲ ସାଇଟରେ ପଞ୍ଜୀକରଣ, ଜାତକ ବିଚାର, ଅନ୍ୟାନ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁରୁତ୍ବପୂର୍ଣ୍ଣ ଗୋପନୀୟ ତଥ୍ୟ ପ୍ରଦାନ ଯୋଗୁଁ ଅନେକ ଠକେଇରେ ପଡ଼ୁଛନ୍ତି ଏବଂ ଜୀବନସାରା ପରିଶ୍ରମ ଦ୍ବାରା ସଞ୍ଚୟ କରିଥିବା ଲକ୍ଷାଧିକ ଟଙ୍କା ମୁହୂର୍ତ୍ତକ ମଧ୍ୟରେ ହରାଉଛନ୍ତି। ଡିଜିଟାଲ ଓ ଆର୍ଥିକ ସାକ୍ଷରତା ବୃଦ୍ଧି ଏବଂ ସଚେତନତା ଏହି ସମସ୍ୟାରୁ ରକ୍ଷା କରିପାରିବ।