Murder
ରାଜା ରଘୁବଂଶୀଙ୍କୁ ତାଙ୍କ ପତ୍ନୀ ସୋନମ୍ ରଘୁବଂଶୀ ଷଡ଼ଯନ୍ତ୍ର କରି ହତ୍ୟା କରିବା ପରେ ଏବେ ଦେଶସାରା ମାଳମାଳ ସୋନମ୍ ସାମନାକୁ ଆସୁଛନ୍ତି। ଏହି ସୋନମମାନେ ନିଜ ସ୍ବାମୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରୁଛନ୍ତି। ଯାହାକି ବର୍ଣ୍ଣନା କରିବା କଷ୍ଟକର ହୋଇପଡ଼ୁଛି। ସେମିତି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ମହାରାଷ୍ଟ୍ରରେ ଘଟିଛି। ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଚାଲିଥିଲା ଛୋଟମୋଟ କଳି। ଆଉ ଏହି କଳିରୁ ପତ୍ନୀଙ୍କ ମୁଣ୍ଡରେ ସୈତାନ ସବାର ହେଇଥିଲା। ସ୍ୱାମୀଙ୍କୁ କୁରାଢ଼ିରେ ହାଣି ୧୦ ଖଣ୍ଡ କରିଦେଲା। ଏହି ମାଂସ ଖଣ୍ଡକୁ ଏକ ବସ୍ତାରେ ପୂରାଇ ଗାତରେ ପୋତି ଦେଇଥିଲେ। ପୂରା କାହାଣୀ ଜାଣିଲେ କେହି ବି ଚକିତ ହେଇଯିବ।
ମିଛର ମାୟା ଜାଲ ବୁଣିଥିଲେ ପତ୍ନୀ
ମହାରାଷ୍ଟ୍ରର ନାସିକ ଜିଲ୍ଲା ସୁରଗାନା ତହସିଲର ମାଲଗୋଣ୍ଡା ଗାଁର ଘଟଣା। ଏହି ଗାଁର ବାସିନ୍ଦା ପ୍ରଭା ଠାକରେ। ପ୍ରଭା ଓ ଯଶୋବନ୍ତଙ୍କ ବିବାହ ୧୮ ବର୍ଷ ତଳେ ହୋଇଥିଲା। ସେମାନଙ୍କର ଏକ ୧୭ ବର୍ଷର ସନ୍ତାନ ମଧ୍ୟ ଅଛି। ଏହି ଦମ୍ପତିଙ୍କ ଭିତରେ ନିୟମିତ ପାଟିତୁଣ୍ଡ ଲାଗି ରହୁଥିଲା। ଏପ୍ରିଲ ୧୪ ତାରିଖ ରାତିରେ ତାଙ୍କ ସ୍ୱାମୀ ଯଶୋବନ୍ତ ଠାକରେ ଶୋଇଥିବା ସମୟରେ କୁରାଢ଼ିରେ ହତ୍ୟା କରିଥିଲା। ହତ୍ୟା ପରେ ପ୍ରଭା ଘର ପାଖରେ ଏକ ନାଳ ନିକଟରେ ପୋତିଦେଇଥିଲା। ଏହି ଘଟଣା ପରେ ମିଛର ମାୟା ଜାଲ ବୁଣିବା ଆରମ୍ଭ କରିଥିଲା ପ୍ରଭା। ଏହାପରେ ପ୍ରଭା ନାସିକରୁ ଗୁଜରାଟର ବିଲିମୋରା ଚାଲିଯାଇଥିଲା।
ସ୍ବାମୀଙ୍କ ଶବ ୧୦ ଖଣ୍ଡ
ସେ ମଝିରେ ମଝିରେ ନାସିକରେ ତାଙ୍କ ଶାଶୁ ଘରକୁ ଆସୁଥିଲା । ଯେତେବେଳେ ସ୍ୱାମୀଙ୍କ ପରିବାର ତାକୁ ଯଶୋବନ୍ତଙ୍କ ସମ୍ପର୍କରେ ପଚାରିଲେ ସେ ସବୁ ଥର ବାହାନା ଦେଖାଉଥିଲା। ତାଙ୍କ ସ୍ୱାମୀ ଟଙ୍କା ରୋଜଗାର କରିବାକୁ ଯାଇଥିବା କହିଥିଲା। କିନ୍ତୁ ଶାଶୁ ଘର ଲୋକେ ବୋହୂ କଥାରେ ସନ୍ତୁଷ୍ଟ ନଥିଲେ। ବାରମ୍ବାର ଏଭଳି ବାହାନା ଶୁଣିବା ପରେ ପରିବାର ଲୋକେ ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଗୋଟିଏ ପଟେ ଥାନାରେ ମାମଲା ହେବା ଏବଂ ଅନ୍ୟପଟେ ଘର ନିକଟ ନାଳ ନିକଟରୁ ଦୁର୍ଗନ୍ଧ ହେବାରୁ ଘଟଣା ସ୍ଥଳରେ ପୁଲିସ ପହଞ୍ଚିଥିଲା। ଏକ ଗାତରୁ ମଣିଷ ଶରୀରର ମାଂସ ଖଣ୍ଡ ମିଳିଥିଲା। ଡିଏନଏ ନମୂନା ପରୀକ୍ଷା ପରେ ଏହା ଯଶୋବନ୍ତଙ୍କର ବୋଲି ଜଣାପଡିଲା।
ହଁ ମୁଁ ମୋ ସ୍ବାମୀଙ୍କୁ ମାରିଦେଇଛି…
ପ୍ରଭା ହତ୍ୟାକାଣ୍ଡ ପରଠାରୁ ଗୁଜୁରାଟରେ ରହୁଥିଲା। ପୁଲିସର ସନ୍ଦେହ ପ୍ରଭାଙ୍କ ଉପରେ ହେଇଥିଲା। ପ୍ରଭାଙ୍କୁ ପୁଲିସ ଗୁଜୁରାଟରୁ ନାସିକ ଉଠାଇ ଆଣିବା ପରେ ଯେତେବେଳେ ପଚରାଉଚରା କରିଥିଲା, ପ୍ରଥମେ ପ୍ରଭା ମନା କରିଥିଲେ। ନିଜ ହାତରେ ନିଜ ମଥାର ସିନ୍ଦୂର ପୋଛିଥିବା ପ୍ରଭା ପୁଲିସ ସାମନାରେ ଦାମ୍ଭିକତାର ସହିତ ଉତ୍ତର ଦେଉଥିଲା। କିନ୍ତୁ ସବୁକିଛି ଥିଲା ମିଛ ଓ ମନଗଢ଼ା କାହାଣୀ। ଯଶୋବନ୍ତଙ୍କ ଏଭଳି ହତ୍ୟାକାଣ୍ଡ ସମ୍ପର୍କରେ ସେ ସମ୍ପୂର୍ଣ୍ଣ ଏଡ଼ାଇ ଯାଇଥିଲା। ପୁଲିସର କଠୋର ଆଭିମୁଖ୍ୟ ଦେଖି ସବୁ ସତ ଓଗାଳିଥିଲେ। ପ୍ରତିଦିନ ଯଶୋବନ୍ତ ତାଙ୍କୁ ନିର୍ଯାତନା ଦେଉଥିଲେ। ଏଥିରେ ଅତିଷ୍ଠ ହୋଇ ସ୍ବାମୀଙ୍କ ଜୀବନ ନେଇଥିବା ସ୍ବୀକାର କରିଥିଲା।
ସିନେମା କାହାଣୀ ଭଳି, କିନ୍ତୁ ସତ
ନିଜ ସ୍ବାମୀଙ୍କୁ ଜୀବନରୁ ମାରି ପିସ୍ ପିସ୍ କରିବା ପରେ ପ୍ରମାଣ ଲୁଚାଇବା ପାଇଁ ପ୍ରଭା ସମ୍ପୂର୍ଣ୍ଣ ଯୋଜନା କରିଥିଲା। ସେ ନିଜେ ଘର ବାହାରେ ଏକ ନାଳ ନିକଟରେ ଏକ ଗାତ ଖୋଳିଥିଲା। ଏହି ଗାତରେ ମୃତଦେହକୁ ପୋତି ଦେଇଥିଲା। ଦୁଇ ମାସ ପର୍ଯ୍ୟନ୍ତ କାହାକୁ କୌଣସି ସୁରାକ ମିଳିଲା ନାହିଁ। ଆଜିକାଲି ସିନେମା କାହାଣୀ କେବଳ ପରଦା ପର୍ଯ୍ୟନ୍ତ ସୀମିତ ହୋଇ ନୁହେଁ। ପ୍ରଭାମାନେ ଏହି କାହାଣୀକୁ ବାସ୍ତବ ଜୀବନରେ କରି ଦେଖାଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Murder_1755337135.jpg)