ଦୁର୍ଦ୍ଦଶ ହତ୍ୟାକାରୀ ହାତରେ ପିସ୍ତଲ : ଭୟ ନକରି ଖାଲି ହାତରେ ଲଢ଼ିଲେ କନେଷ୍ଟବଳ, ଦେଖନ୍ତୁ ଭିଡିଓ...

ଦବଙ୍ଗ୍‌ ପୋଲିସ୍ ବାବୁ । ବନ୍ଧୁକଧାରୀଙ୍କୁ ଖାଲି ହାତରେ କଲେ କାବୁ ।

ସାହସୀ କନେଷ୍ଟବଳ . .

ଦବଙ୍ଗ ପୋଲିସ୍‌ ବାବୁଙ୍କ ସାହସକୁ ସଲାମ୍‌ । ଦିଲ୍ଲୀ ପୋଲିସର ଜଣେ କନଷ୍ଟେବଳ ହତ୍ୟା ଏବଂ ଡକାୟତି ଭଳି ଜଘନ୍ୟ ଅପରାଧ ଘଟାଇଥିବା ଦୁଇଜଣ ଅଭିଯୁକ୍ତଙ୍କୁ ଏକୁଟିଆ କାବୁ କରି ଗିରଫ କରିଥିଲେ । ଉଭୟ ଅପରାଧୀଙ୍କ ହାତରେ ପିସ୍ତଲ ଥିଲେ ମଧ୍ୟ ସେ ଡରିଯାଇ ନଥିଲେ । ସାହସର ସହ ସେମାନଙ୍କର ମୁକାବିଲା କରିଥିଲେ । ଅପରାଧୀ ଦୁଇ ଜଣ ପୋଲିସ ଉପରକୁ ଗୁଳି ଚଳାଇବାକୁ ମଧ୍ୟ ଚେଷ୍ଟା କରିଥିଲେ । ହେଲେ ଅତ୍ୟନ୍ତ ସାବଧାନତାର ସହ ସେ ତା’ଙ୍କୁ ଧରି ନେଇଛନ୍ତି । ଏହି ଘଟଣାର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ସାହସିକତା ସ୍ପଷ୍ଟ ଦେଖିବା ପାଇଁ ମିଳିଛି । ଭିଡିଓ ଦେଖିବା ପରେ ଲୋକମାନେ ଯୁବକଙ୍କୁ ପ୍ରଶଂସା କରୁଛନ୍ତି ।

ଅଧିକ ପଢ଼ନ୍ତୁ: ଯାହାର ହାତ ଧରି ବାଟ ଚାଲିଥାନ୍ତେ, ତା’ ହାତରେ ହ୍ୟାଣ୍ଡକପ୍ ପକାଇ ଜେଲ୍ ପଠାଇ ଦେଲେ ଦବଙ୍ଗ ମହିଳା ପୋଲିସ ଅଫିସର

ଏହି ଭିଡିଓ ଦିଲ୍ଲୀର ନିହାଲ ବିହାର ଅଞ୍ଚଳ ନିକଟସ୍ଥ ଏକ ରାସ୍ତାର ବୋଲି ଜଣାପଡ଼ିଛି । ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ଅପରାଧୀ ପିସ୍ତଲ ଦେଖାଇ ବାଇକ ଆରୋହୀଙ୍କୁ ଲୁଟିବାକୁ ଚେଷ୍ଟା କରୁଛି । ସେହି ସମୟରେ ଅନେକ ଲୋକ ଯିବାଆସିବା କରୁଥିଲେ ସୁଦ୍ଧା କେହି ବାଇକ୍ ଆରୋହୀଙ୍କୁ ସାହାଯ୍ୟ କରିବାକୁ ଆସିନଥିଲେ । ସେହି ସମୟରେ କେବଳ ଦିଲ୍ଲୀ ପୋଲିସର ମୁଖ୍ୟ କନଷ୍ଟେବଳ ମନୋଜ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ । ହେଡ କନଷ୍ଟେବଳଙ୍କୁ ଦେଖିବା ପରେ ଅପରାଧୀ ଭୟଭୀତ ହୋଇ ପଡ଼ିଥିଲେ । ଆଉ ଏହାର ସୁଯୋଗ ନେଇ ବାଇକ୍ ଆରୋହୀ ସେଠାରୁ ପଳାଇ ଯାଇଥିଲେ ।

ସେପଟେ ଦୁର୍ଦ୍ଦାନ୍ତ ଅପରାଧୀ ଜଣକ କନେଷ୍ଟବଳ ମନୋଜଙ୍କ ଆଡକୁ ପିସ୍ତଲ ଦେଖାଇ ଗୁଳି ଚଳାଇବା ପାଇଁ ଧମକ ଦେଇଥିଲା । ହେଲେ ମନୋଜ ଡରି ନଯାଇ ଏକ ଇଟା ଉଠାଇ ତା ଆଡକୁ ଫିଙ୍ଗିଥିଲେ । ଏପରି ଅତର୍କିତ ଆକ୍ରମଣ ପାଇଁ ପ୍ରସ୍ତୁତ ନଥିଲା ଅଭିଯୁକ୍ତ । ତା’ପରେ ମନୋଜ ଦଉଡ଼ି ଯାଇ ତାକୁ ଧରି ପକାଇଥିଲେ । ସେତେବେଳକୁ ଅନେକ ଲୋକ ଘଟଣାସ୍ଥଳରେ ପହଞ୍ଚି ସାରିଥିଲେ । ସମସ୍ତେ ମିଶି ଅପରାଧୀକୁ ମାଡ଼ ମାରିବା ସହ ପୋଲିସ୍‌ ଜିମା ଦେଇଥିଲେ ।

ଦିଲ୍ଲୀ ପୋଲିସର ହରେନ୍ଦ୍ର ସିଂ କହିଛନ୍ତି, ଗିରଫ ହୋଇଥିବା ଅପରାଧୀଙ୍କ ନାମ ଧ୍ୟାନ ସିଂ (୨୬) ଏବଂ ନବନୀକ (୨୧)। ସେମାନଙ୍କ ନିକଟରୁ ଏକ ଦେଶୀ ପିସ୍ତଲ, ଦୁଇଟି ଜୀବନ୍ତ ଗୁଳି ଏବଂ ଏକ ମୋଟରସାଇକେଲ୍ ଉଦ୍ଧାର କରାଯାଇଛି । ଉଭୟଙ୍କ ବିରୋଧରେ ହତ୍ୟା ଏବଂ ଡକାୟତି ଭଳି ୫ ଟି ମାମଲା ରୁଜୁ ହୋଇଛି ।