କିଣିଲେ ନୂଆ ମୋବାଇଲ, ଦେଲେନି ଟ୍ରିଟ୍...ସାଙ୍ଗମାନେ ଛୁରି ଭୁସି କଲେ ହତ୍ୟା

ମୃତ ସଚିନ ଶାକରପୁର ଅଞ୍ଚଳର ଏକ ସରକାରୀ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିଲେ । ତିନିଜଣ ବ୍ୟକ୍ତି ତାଙ୍କୁ ଅନେକ ଥର ଛୁରୀରେ ଆକ୍ରମଣ କରିଥିଲେ ।

Murder

ନୂଆ ମୋବାଇଲ କିଣିଲେ, କିନ୍ତୁ ସାଙ୍ଗମାନଙ୍କୁ ଦେଲେନି ଟ୍ରିଟ୍‌ । ଟ୍ରିଟ୍‌ ଦେବାକୁ ମନା କରିବାରୁ ଉତକ୍ଷିପ୍ତ ସାଙ୍ଗମାନେ ଛୁରି ଭୁସି କଲେ ହତ୍ୟା । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏହା ସତ । ସୂଚନା ଅନୁସାରେ ଦିଲ୍ଲୀରେ ଜଣେ ୧୬ ବର୍ଷୀୟ ନାବାଳକ ଏକ ନୂଆ ଫୋନ୍‌ କିଣିଥିଲେ । ନୂଆ ମୋବାଇଲ ଫୋନ୍‌ କିଣିଥିବାରୁ ନାବାଳକଙ୍କୁ ତାଙ୍କ ସାଙ୍ଗମାନେ ଟ୍ରିଟ୍‌ ମାଗିଥିଲେ । କିନ୍ତୁ ନାବାଳକଜଣକ ଟ୍ରିଟ୍‌ ଦେବାକୁ ମନା କରିଦେଇଥିଲେ । ଯାହାଫଳରେ ୩ ଜଣ ମିଶି ନାବାଳକଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ଶାକରପୁର ମାର୍କେଟରେ ।

ସୋମବାର ବିଳମ୍ବିତ ରାତିରେ ଦିଲ୍ଲୀର ଶାକରପୁର ମାର୍କେଟରେ ଜଣେ ନାବାଳକଙ୍କୁ ତାଙ୍କ ବନ୍ଧୁମାନେ ହତ୍ୟା କରିଥିଲେ । ମୃତକ ଜଣକ ହେଉଛନ୍ତି ୧୬ ବର୍ଷୀୟ ସଚିନ୍‌ । ତେବେ ଏହି ହତ୍ୟା ସମ୍ପର୍କରେ ସୂଚନା ପାଇବା ପରେ ଶାକରପୁର ପୋଲିସ ଏକ ଏଫଆଇଆର ରୁଜୁ କରି ତଦନ୍ତ ଜାରି ରଖିଛି । ପୋଲିସ କହିଛି ଯେ ହତ୍ୟା ଅଭିଯୁକ୍ତମାନେ ନାବାଳକ । ହତ୍ୟା କରିବା ପରେ ସେମାନେ ଫେରାର ଥିବାରୁ ସେମାନଙ୍କୁ ଏବେ ଖୋଜାଯାଉଛି ବୋଲି ପୋଲିସ୍‌ ପକ୍ଷରୁ କୁହାଯାଇଛି ।

ମିଳିଥିବା ସୂଚନାନୁସାରେ, ମୃତ ସଚିନ ଶାକରପୁର ଅଞ୍ଚଳର ଏକ ସରକାରୀ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିଲେ । ତାଙ୍କର ତିନିଜଣ ସାଙ୍ଗ ତାଙ୍କୁ ଅନେକ ଥର ଛୁରୀରେ ଆକ୍ରମଣ କରିଥିଲେ । ଆକ୍ରମଣ କରିବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଗୁରୁତର ଅବସ୍ଥାରେ ସଚିନ୍‌ଙ୍କୁ କେକେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ସେପଟେ ପୋଲିସର ସୂଚନାନୁସାରେ, ସଚିନ ଏକ ନୂଆ ଫୋନ କିଣିଥିଲେ । ଯେତେବେଳେ ସେ ଫୋନ୍ ନେଇ ଆସୁଥିଲେ, ତିନିଜଣ ସାଙ୍ଗ ତାଙ୍କୁ ଭେଟିଥିଲେ । ସେମାନେ ସଚିନଙ୍କୁ ନୂଆ ମୋବାଇଲ୍ ଫୋନ୍ ପାଇଁ ପାର୍ଟି ମାଗିଥିଲେ । ତେବେ ପାର୍ଟି ମାଗିବାକୁ ନେଇ ବିବାଦ ପରେ ତାଙ୍କ ସାଙ୍ଗମାନେ ସଚିନ୍‌ଙ୍କୁ ଛୁରୀ ଭୁସି ଆକ୍ରମଣ କରିଥିଲେ । ଯାହାଫଳରେ ସଚିନ୍‌ଙ୍କ ମୃତ୍ୟୁ ହୋଇଥିଲା ।