ଅନ୍ଧବିଶ୍ୱାସ ! ଛୁଆକୁ ଶକ୍ତିଶାଳୀ କରିବା ପାଇଁ ଖାଦ୍ୟ ବଦଳରେ ଖରା ଖୁଆଇଲେ ବାପା-ମାଆ !

ପିତା-ମାତାଙ୍କ ଅନ୍ଧବିଶ୍ୱାସ ବିଚରା ନବଜାତକୁ ଦୁନିଆ ଦେଖିବା ଆଗରୁ ମୃତ୍ୟୁକୋଳକୁ ଟାଣିନେଲା। 

New Born baby Killed

କୁହାଯାଏ ସନ୍ତାନଟିଏ ଜନ୍ମ ଦେବା ପରେ ପିତା-ମାତା ଆପେ ଆପେ ଦାୟିତ୍ୱବାନ୍‌ ହୋଇଯାଆନ୍ତି । ପିତା-ମାତା ସନ୍ତାନର ପ୍ରତ୍ୟେକ ଛୋଟବଡ଼ ଇଚ୍ଛାକୁ ଗୁରୁତ୍ୱ ଦେବା ସହ ପୁରଣ କରିବାକୁ ଚେଷ୍ଟା କରିଥାନ୍ତି । ଛୁଆର ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୁଅନ୍ତି ପିତା-ମାତା । ଛୁଆର ଖାଇବା ପିଇବାଠାରୁ ଆରମ୍ଭ କରି ପିନ୍ଧିବା ଏମିତିକି ଶୋଇବା ପର୍ଯ୍ୟନ୍ତ କାର୍ଯ୍ୟକୁ ପିତା ମାତା ଗୁରୁତ୍ୱର ସହ ବହନ କରିଥାନ୍ତି । ଆଉ ଏହି ସବୁଥିରେ ତାଙ୍କର ଛୁଆ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ରହିଥାଏ ।

ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଦମ୍ପତ୍ତିଙ୍କ କଥାକହିବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏହି ବାପା-ମାଆ ପିଲା ପ୍ରତି ଏତେ କ୍ରୁର ବ୍ୟବହାର କଲେ ଯେ, ଶେଷରେ ମାସକର ଛୁଆ ଭୋକ ଉପାସରେ ପଡ଼ି ପଡ଼ି ରୋଗରେ ପୀଡ଼ିତ ହୋଇ ଜୀବନ ହାରିଦେଲା । ଦମ୍ପତିଙ୍କ କହିବାନୁସାରେ, ସେ ଯାହା ବି କରିଛନ୍ତି ତାହାର ଛୁଆର ଉନ୍ନତି ପାଇଁ କେବଳ । ହେଲେ ବାସ୍ତବରେ ତାହା ଥିଲା ଅନ୍ଧବିଶ୍ୱାସ । ପିତା-ମାତାଙ୍କର ମୁର୍ଖାମୀ ଯୋଗୁ ବିଚରା ନବଜାତ ଦୁନିଆ ଦେଖିବା ଆଗରୁ ଚାଲିଗଲା । 

ଏହି ଦମ୍ପତି ନିଜ ପିଲାକୁ ଖାଦ୍ୟ-ପାନୀୟ ନଦେଇ କେବଳ ଖରା ଖୁଆଇଲେ । ଏଭଳି କରିବା ଦ୍ୱାରା ତାଙ୍କ ଛୁଆ ଅଧିକ ଶକ୍ତିଶାଳୀ ଏବଂ ସମସ୍ତ ତତ୍ୱର ଅଧିକାରୀ ହେବ ବୋଲି ଆଶା ରଖିଥିଲେ । କିନ୍ତୁ ମାତ୍ର ୧ ମାସର ଶିଶୁ ଭୋକ ଉପାସରେ ରୋଗରେ ପୀଡିତ ହୋଇ ଶେଷରେ ମୃତ୍ୟୁ ବରଣ କଲା । ଏହି ଘଟଣା ପରେ ପୋଲିସ ଉକ୍ତ ପିତା-ମାତାଙ୍କୁ ଗିରଫ କରିଛି । ହେଲେ ଛୁଆକୁ ଶକ୍ତିଶାଳୀ କରିବା ପାଇଁ ପିତା-ମାତାଙ୍କ ଏଭଳି ଚିକିତ୍ସା ବା ଉପଚାର ଶୁଣି ପୋଲିସ ବି ମୁଣ୍ଡରେ ହାତ ଦେଲା ।

ଖାଦ୍ୟ ଖାଇବାକୁ ନଦେଇ ପିଲାକୁ କେବଳ ଖରା ଖୁଆଇଲେ ବାପା ମାଆ:

ମ୍ୟାକ୍ସିମ୍ ଲ୍ୟୁଟି (୪୩) ଏବଂ ତାଙ୍କ ପତ୍ନୀ ଅକ୍ସାନା ମିରୋନୋଭା (୩୩) ନିଜ ମାସକର ଛୁଆର ପୋଷଣକୁ ନେଇ ଏମିତି କିଛି ପ୍ରାକ୍ଟିକାଲ ପରୀକ୍ଷା କଲେ ଯେ, ସାଧାରଣ ଲୋକ କେବେ ବି ତାହା ସ୍ୱପ୍ନରେ ସୁଦ୍ଧା ଭାବି ପାରିବେ ନାହିଁ । ଏହା କେହି ବିଶ୍ୱାସ ବି କରିପାରୁ ନାହାନ୍ତି ଯେ, ବାପା ମାଆ ନିଜ ଛୁଆକୁ ଖାଦ୍ୟ ଖାଇବାକୁ ନଦେଇ କେବଳ ସୂର୍ଯ୍ୟ କିରଣ ଖାଇବାକୁ ଦେଉଥିଲେ । ଆଉ ସେହିଥିରୁ ହିଁ ପିଲାର ଉତ୍ତମ ସ୍ୱାସ୍ଥ୍ୟ ହେବ ବୋଲି ଆଶା କରୁଥିଲେ । ଧୀରେ ଧୀରେ ଅବସ୍ଥା ଏମିତି ହେଲା ଯେ, ପିଲାଟି କ୍ଳାନ୍ତ ଅନୁଭବ କରିବାକୁ ଲାଗିଲା । ଭୋକରେ ଆଉଟୁ ପାଉଟୁ ହେବାକୁ ଲାଗିଲା ।

ଏମିତିକି ଖାଦ୍ୟ-ପାନୀୟ ଅଭାବରୁ ଛୁଆଟି ନିମୋନିଆରେ ଆକ୍ରାନ୍ତ ହେଲା । ଆଉ ଶେଷରେ ପିଲାଟି କେବଳ ସୂର୍ଯ୍ୟ କିରଣ ଖାଇବା ପରେ ଭୋକ-ଶୋଷରେ ପଡ଼ ପଡ଼ି ମରିଗଲା । ଏହା କେବଳ ସେହି ବାପା-ମାଆଙ୍କ ମୁର୍ଖତା ପାଇଁ ଘଟିଛି । ନୀରିହ ଛୁଆଟିର ଜୀବନ ଚାଲିଯାଇଛି । ଏଥିପାଇଁ ପୋଲିସ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କିନ୍ତୁ ବାପା-ମାଆଙ୍କ ଚମକେଇ ଦେବା ଭଳି ଯୁକ୍ତି ଶୁଣି ମୁଣ୍ଡରେ ହାତ ଦେଇଛି ପୋଲିସ ।

ପିତାମାତାଙ୍କ ମୁର୍ଖାମୀ ପାଇଁ ଶିଶୁର ମୃତ୍ୟୁ:

ଏହି ଘଟଣା ରୁଷର ସୋଚି ସହରରୁ ସାମ୍ନାକୁ ଆସିଛି । ଏହି ଘଟଣାରେ ମୃତ ଛୁଆର ମାଆକୁ ଦୁଇ ମାସ ପର୍ଯ୍ୟନ୍ତ ଘରେ ନଜର ବନ୍ଦୀ ରଖାଯାଇଛି । ସୋସିଆଲ ମିଡିଆରେ ବ୍ଲଗର ଭାବେ ପରିଚିତ ଏହି ଦମ୍ପତ୍ତି । ସେମାନେ ସବୁବେଳେ ନିଜ ବ୍ଲଗ୍‌ରେ ଅଜବ ଧରଣର ପୋଷଣ କଥା କହିଥାନ୍ତି । ଆଉ ତାକୁ ପ୍ରମାଣିତ କରିବା ପାଇଁ ନିଜ ଛୁଆ ସହ ପ୍ରାକ୍ଟିକାଲ କରି ଦେଖାଉଥିଲେ । ଯାହାଫଳରେ ତାଙ୍କ ମାସକର ଛୁଆର ଜୀବନ ଚାଲିଯାଇଛି ।