ଶିକ୍ଷକ ନିଯୁକ୍ତିରେ ଅନିୟମିତତା; ମେରିଟ ଲିଷ୍ଟରେ ମାହାଲମାଣ୍ତା, ବାପା ନାଁ ମାହାଲମାଣ୍ତା ପ୍ରୋ..

ଜୁନିୟର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ 'ମାହାଲମାଣ୍ଡା' ହଇଚଇ ! କମ୍ପ୍ୟୁଟର ବେସ୍ଡ ଟେଷ୍ଟର ମେରିଟ୍ ଲିଷ୍ଟ ପ୍ରକାଶ ପରଠୁ ବ୍ୟାପକ ଅନିୟମିତତା ଅଭିଯୋଗକୁ ନେଇ ତେଜୁଛି ଅସନ୍ତୋଷ ।

Junior Teacher Aspirants

ରାଜ୍ୟରେ ଜୁନିୟର ଶିକ୍ଷକ ନିଯୁକ୍ତିରେ ହୋଇଛି ହଜାରେ କୋଟିର ଦୁର୍ନୀତି । ଓଡ଼ିଶା ଜୁନିଅର ଟିଚର ସିବିଟି ପରୀକ୍ଷା ମେରିଟ୍ ଲିଷ୍ଟ ପ୍ରକାଶ ପରେ ତେଜିଥିବା ଅସନ୍ତୋଷ ଏବଂ ମାହଲମାଣ୍ଡା ପ୍ରକରଣ ଭିତରେ ଆଜି ଏଭଳି ସାଂଘାତିକ ଅଭିଯୋଗ ଆଣିଛି ବିଜେପି । ଦଳର ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି, ୨୦ ହଜାର ଶିକ୍ଷକ ପଦବୀରୁ ଅଧାରୁ ଅଧିକ ଚାକିରି ସରକାର ବିକି ଦେଇଛନ୍ତି । ବିଜେଡି ଏଭଳି ଅଭିଯୋଗର ଜବାବ ରଖିଥିଲା ବେଳେ ଆଜି ଦ୍ୱିତୀୟ ଦିନରେ ବି ଓସେପା ଅଫିସ ଆଗରେ ବିକ୍ଷୋଭ କରିଛନ୍ତି ଆଶାୟୀ । ସେପଟେ ଓସେପା କିନ୍ତୁ ଚୟନରେ ଅନିୟମିତତାକୁ ଅସ୍ୱୀକାର କରିଛି ।

ଜୁନିୟର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ 'ମାହାଲମାଣ୍ଡା' ହଇଚଇ ! କମ୍ପ୍ୟୁଟର ବେସ୍ଡ ଟେଷ୍ଟର ମେରିଟ୍ ଲିଷ୍ଟ ପ୍ରକାଶ ପରଠୁ ବ୍ୟାପକ ଅନିୟମିତତା ଅଭିଯୋଗକୁ ନେଇ ତେଜୁଛି ଅସନ୍ତୋଷ । ଗତକାଲି ଓସେପା ଅଫିସ୍ ସାମ୍ନାରେ ଆଶାୟୀଙ୍କ ବିକ୍ଷୋଭ ଏବଂ RTIରେ ଆବେଦନ ପାଇଁ ଲମ୍ବା ଲାଇନ୍ ପରେ ଆଜି ବି ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ଆଶାୟୀ । ସେମାନଙ୍କର ଦାବି ମେରିଟ୍ ଲିଷ୍ଟ ପ୍ରକାଶ ପୂର୍ବରୁ କଟ୍ଅଫ୍ ତାଲିକା ପ୍ରକାଶ କରାଯାଇ ନଥିବାରୁ, କେଉଁ ପ୍ରାର୍ଥୀ କେତେ ମାର୍କ ରଖିଛନ୍ତି, କଟ୍ଅଫ୍ ମାର୍କ କେତେ ରଖାଯାଇଛି ତାହା ସାମ୍ନାକୁ ଅଣାଯାଉ । ସବୁ ପରୀକ୍ଷାର୍ଥୀଙ୍କୁ ଡକ୍ୟୁମେଣ୍ଟ ଭେରିଫିକେସନ୍‌କୁ ଡକାଯାଉ ଏବଂ ଯୋଗ୍ୟ ବିବେଚିତ ୨୦ ହଜାର ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯାଉ ।

କାରଣ ସେମାନଙ୍କର ଅଭିଯୋଗ ମାହାଲମାଣ୍ଡା ଭଳି ପ୍ରାର୍ଥୀଙ୍କ ନାଁରେ ଇ-ଆଡମିଟ୍ କାର୍ଡ ବାହାରିବା ଏବଂ ୨୦ ହଜାର ଶିକ୍ଷିକ ନିଯୁକ୍ତି ଘୋଷଣା ସତ୍ତ୍ୱେ ମାତ୍ର ୧୮ ହଜାର ୭ ଶହ ଆଶାୟୀଙ୍କ ନାଁ ପ୍ରକାଶ ପାଇବା ଭଳି ଘଟଣା ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତାକୁ ସ୍ପଷ୍ଟ କରୁଛି । ତେବେ ଓସେପା କିନ୍ତୁ ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନଥିବା ଦୋହରାଇଛି । ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି ସରକାରଙ୍କ ରିଜୋଲ୍ୟୁସନ୍ ଆଧାରରେ ସ୍ୱଚ୍ଛତାର ସହ ସବୁ କିଛି ହେଉଛି । ସେହିପରି ଇ-ଆଡମିଟ୍ କାର୍ଡରେ ଅଜବ ନାଁ ସଂପର୍କରେ ବି ପ୍ରତିକ୍ରିୟା ଦେଇ, ଅଟୋଜେନେରେଟେଡ ଆଡମିଟ କାର୍ଡ ପାଇଁ ଏଭଳି ନାଁ ଆସିଥିବା ଏବଂ ସେଭଳି ପ୍ରାର୍ଥୀ ପରୀକ୍ଷାରେ ବସିବା ସମ୍ଭବ ନୁହେଁ ବୋଲି କହିଛନ୍ତି ।

ଏପଟେ ଏହି ପ୍ରସଙ୍ଗକୁ ନେଇ ବିଜେପି ସାଂଘାତିକ ଅଭିଯୋଗ ଆଣି କହିଛି, ରାଜ୍ୟରେ ଶିକ୍ଷକ ନିଯୁକ୍ତିରେ ହଜାରେ କୋଟିର ଦୁର୍ନୀତି ହୋଇଛି । ୨୦ ହଜାର ଶିକ୍ଷକ ପଦବିରୁ ଅଧାରୁ ଅଧିକ ଚାକିରି ସରକାର ବିକିଛନ୍ତି । ଗୋଟିଏ ଗୋଟିଏ ଚାକିରି ପିଛା ୧୦ ଲକ୍ଷ କମିଶନି କାରବାର ହୋଇଛି ବୋଲି ଅଭିଯୋଗ ଆଣି ନିଯୁକ୍ତି ପ୍ରକ୍ରିୟାରେ ଏ ଦୁର୍ନୀତି ପଶ୍ଚିମବଙ୍ଗକୁ ଟପିଗଲାଣି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ । ଓଡ଼ିଶାର ପିଲା ପରିଶ୍ରମ କରୁଥିଲା ବେଳେ ମାହାଲମାଣ୍ଡାମାନେ କେମିତି ଚାକିରି ପାଉଛନ୍ତି, ପଶ୍ଚିମବଙ୍ଗ ଭଳି ଓଡ଼ିଶାର ପ୍ରାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀ କିିଏ ଭଳି ପ୍ରଶ୍ନ କରି ଦୁର୍ନୀତିର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି ଅନିଲ । ବିଜେଡି ଏହାର ଜବାବ ରଖିଛି ।

ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛତାର ସହ ହେଉଥିବା ନେଇ ସରକାରଙ୍କ ପକ୍ଷରୁ କୁହାଯାଉଥିଲା ବେଳେ ଆଶାୟୀଙ୍କ ଅଭିଯୋଗ ଏବଂ ତାକୁ ନେଇ ରାଜନୀତି, ନିର୍ବାଚନୀ ବର୍ଷରେ ସରକାରଙ୍କ ପାଇଁ ଅଡୁଆ ଆଣିପାରେ ।