ଆମ୍ ଆଦମୀ ପାର୍ଟି ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ କଲେ କନ୍ମ୍ୟାନ୍ ସୁକେଶ । ମଙ୍ଗଳବାର ସୁକେଶ ଅଭିଯୋଗ କରିଛନ୍ତି ଯେ, ସେ ଆମ୍ ଆଦମୀ ପାର୍ଟିକୁ ୬୦ କୋଟି ଟଙ୍କା ଦେଇଛନ୍ତି । ସୁକେଶଙ୍କ ଓକିଲ ଅନନ୍ତ ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି ଯେ, ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ସୁକେଶଙ୍କ ବୟାନ ନିଆଯାଇଛି । ଏହି ବୟାନ ଉପରେ ତଦନ୍ତ କରାଯିବା ଉଚିତ୍ ।
୨୦୦ କୋଟି ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ମହାଠକ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ହାଜର ହୋଇଥିଲେ । ସୁକେଶଙ୍କ ସହ ଜଡ଼ିତ ଏହି ମନି ଲଣ୍ଡ୍ରିଂ ମାମଲାରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ(Jacqueline Fernandez) ମଧ୍ୟ ଫସିଛନ୍ତି।
Also Read
ହାଇ ପ୍ରୋଫାଇଲ୍ ଲୋକ ଏବଂ ସେଲିବ୍ରିଟିଙ୍କଠାରୁ ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ସେ ବର୍ତ୍ତମାନ ଦିଲ୍ଲୀର ମାଣ୍ଡୋଲି ଜେଲରେ ରହିଛନ୍ତି । ଏହାପୂର୍ବରୁ ତାଙ୍କୁ ଦିଲ୍ଲୀର ତିହାର ଜେଲରେ ରଖାଯାଇଥିଲା । କିନ୍ତୁ ବାରମ୍ବାର ମୃତ୍ୟୁ ଧମକ ଦର୍ଶାଇ ଜେଲକୁ ବଦଳାଇବାକୁ ଅନୁରୋଧ କରିବା ପରେ ତାଙ୍କୁ ମାଣ୍ତୋଲି ଜେଲ୍କୁ ସ୍ଥାନାନ୍ତର କରାଯାଇଥିଲା।
ଅଧିକ ପଢ଼ନ୍ତୁ: ଖୋଲୁଛି ସୁକେଶଙ୍କ ଠକେଇ ସାମ୍ରାଜ୍ୟର ଗୁମର
ଦିଲ୍ଲୀର ଶାସକ ଦଳ ଆପ୍, ୬୦ କୋଟି ଟଙ୍କା ନେଇଥିବା ଦାବି କରିଛନ୍ତି ଖୋଦ୍ ସୁକେଶ । ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୂର୍ବରୁ ଗୋଟିଏ ପରେ ଗୋଟିଏ ଚିଠି ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଲେଖି ନାନା ପ୍ରକାରର ଅଭିଯୋଗ କରିଥିଲେ । ସେ ଏକ ଚିଠିରେ ଲେଖିଥିଲେ ଯେ, ଆମ୍ ଆଦମୀ ପାର୍ଟି (ଆପ୍)ର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ 'ପ୍ରୋଟେକ୍ସନ ମନି' ଭାବରେ ୧୦ କୋଟି ଟଙ୍କା ଦେଇଛନ୍ତି । ଏହାସହ ସେ ଚିଠିରେ ଆହୁରି ମଧ୍ୟ ଲେଖିଥିଲେ ଯେ, ତାଙ୍କୁ ଜେଲରେ ମାରି ଦେବାକୁ ଧମକ ଦିଆଯାଉଛି ।
ଅନ୍ୟପଟେ କେବଳ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ନୁହନ୍ତି ବରଂ ଆପ୍ ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ମଧ୍ୟ ଶିଶୁ କଲ୍ୟାଣ ନାଁରେ ସୁକେଶଙ୍କଠାରୁ ଟଙ୍କା ନେଇଛନ୍ତି । ଏନେଇ ମଧ୍ୟ ଚିଠିରେ ଦର୍ଶାଇଛନ୍ତି ସୁକେଶ । ତେବେ ନିକଟ ଅତୀତରେ ଲେଖିଥିବା ଚିଠିରେ ସୁକେଶ କହିଛନ୍ତି ଯେ, ସତ୍ୟେନ୍ଦ୍ର ଜୈନ ଏବଂ କେଜ୍ରିୱାଲଙ୍କ ଜଲଦି ମୁଖା ଖୋଲିବି । ସେ ସ୍ପଷ୍ଟ କରିଛନ୍ତି ଯେ, ଏହି ଚିଠି ଲେଖିବାକୁ କେହି ଚାପ ପକାଇ ନାହାଁନ୍ତି ଏବଂ ସେ ନିଜ ଇଚ୍ଛାରେ ଏହାକୁ ଲେଖିଛନ୍ତି ।