ହରିୟାଣା ରୋହତକରୁ ଏକ ଚାଞ୍ଚଲ୍ୟ କଲାଭଳି ଖବର ସାମ୍ନାକୁ ଆସିଛି । ସୁଟ୍କେଶ ଭିତରୁ ଉଦ୍ଧାର ହୋଇଛି ଜଣେ କଂଗ୍ରେସ ନେତ୍ରୀଙ୍କ ମୃତଦେହ । ସୁଟ୍କେଶଟି ସହରର ଏକ ବସଷ୍ଟାଣ୍ଡ ନିକଟରେ ପଡିଥିଲା । ଏହାକୁ ଖୋଲିବାରୁ ଭିତରୁ ମିଳିଥିଲା ମୃତଦେହ । ମୃତକ ୨୨ ବର୍ଷୀୟା ହିମାନୀ ନରୱାଲ ବୋଲି ଜଣାପଡିଛି । ସେ କଂଗ୍ରେସ କର୍ମୀ ହୋଇଥିବାବେଳେ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ଼ ଯାତ୍ରାରେ ନଜର ଆସିଥିଲେ ।
ଅଧିକ ପଢ଼ନ୍ତୁ: ସୋଶାଲ ମିଡିଆରେ ନିଜ ଦୁଃଖ କାହାଣୀ କହି ସୁଇସାଇଡ୍ କଲେ ମାନବ ଶର୍ମା
ଘଟଣାଟି ଗତକାଲି ସକାଳ ପ୍ରାୟ ୧୧ଟା ବେଳର । ସବୁଦିନ ଭଳି ରୋହତକ ସାମ୍ପଲା ବସଷ୍ଟାଣ୍ଡରେ ଲୋକଙ୍କ ଗହଳି ଚହଳି ଲାଗିଥାଏ । ଏତିକି ବେଳେ କାହାର ନଜର ପଡିଲା ଏକ ନୀଳ ରଙ୍ଗର ବଡ଼ ସୁଟ୍କେଶ ଉପରେ । ସୁଟ୍କେଶ ଭିତରେ କ'ଣ ଅଛି ଜାଣିବାକୁ ଲୋକଙ୍କ ମନରେ କୌତୁହଳ ସୃଷ୍ଟି ହେଲା । ହେଲେ ସନ୍ଦେହବଶତଃ ପୋଲିସକୁ ଖବର ଦିଆଯିବାପରେ ପୋଲିସ ଆସି ସୁଟ୍କେଶ ଖୋଲିଥିଲା । ଆଉ ତା' ଭିତରେ ଯାହା ଦେଖିଲେ, ସମସ୍ତଙ୍କ ହୋସ୍ ଉଡିଗଲା । ସୁଟ୍କେଶ ଭିତରେ ଥିଲା ଜଣେ ଯୁବତୀଙ୍କ ମୃତଦେହ ।
ହାତରେ ମେହେନ୍ଦୀ, ବେକରେ କଳା ରଙ୍ଗର ଓଢଣୀ । ଯୁବତୀଙ୍କୁ ଦେଖି ଏମିତି ଲାଗୁଥିଲା କେହି ଯେପରି ତାଙ୍କର ଗଳା ଚିପି ହତ୍ୟା କରିବା ପରେ ମୃତଦେହକୁ ସୁଟ୍କେଶରେ ଭର୍ତ୍ତି କରି ଫିଙ୍ଗି ଦେଇଛି । ତନଘନା ପରେ ଜଣାପଡିଲା ମୃତ ଯୁବତୀ କଂଗ୍ରେସ କର୍ମୀ ହିମାନୀ ନରୱାଲ । ତାଙ୍କ ଘର ରୋହତାକ ସହରର ବିଜୟ ନଗର ଅଞ୍ଚଳରେ ।
ତେବେ କିପରି ହିମାନୀଙ୍କ ମୃତ୍ୟୁ ହେଲା ତାହା ଜଣାପଡିନି । ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି ଏବଂ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଏହି ଘଟଣାରେ କଂଗ୍ରେସ ପକ୍ଷରୁ ଶୋକ ପ୍ରକାଶ କରାଯିବା ସହ ନିରପେକ୍ଷ ତଦନ୍ତ କରାଯାଇ ଦୋଷୀକୁ କଡା ଦଣ୍ଡ ଦେବାକୁ ଦାବି ହୋଇଛି ।