ଭୁବନେଶ୍ୱରରୁ ଧରାପଡ଼ିଲା ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ, କେଜିଏ ସୁନା ସହ ୪ ଲକ୍ଷ ଜବତ

୫ ଜିଲ୍ଲା ପୋଲିସ ପାଇଁ ମୋଷ୍ଟ୍ ୱାଣ୍ଟେଡ ଥିବା କୁଖ୍ୟାତ ଡକାୟତ ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।

Lootera Arrested

ଦିନ ତମାମ ବୁଲି ଘର ଦେଖୁଥିଲେ । ଡକାୟତି ଯୋଜନା ସହ ରେକି କରୁଥିଲେ । ଯୋଜନାକୁ ସଫଳ କରିବା ପାଇଁ ସନ୍ଧ୍ୟାକୁ ଅପେକ୍ଷା କରୁଥିଲେ। ଘରେ ପଶି ଚୋରି କରିବା ବେଳେ ଯଦି କେହି ବାଧା ଦେଉଥିଲା ମାରଣାସ୍ତ୍ରରେ ହାଣୁଥିଲେ । ଏଭଳି ଏକ କୁଖ୍ୟାତ ଡକାୟତି ଗ୍ୟାଙ୍ଗର ୪ ଜଣକୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍କ୍ୱାର୍ଡ। ଗିରଫ ପରେ ଲୁଟେରାଙ୍କୁ ଧରି ସିନ ରିକ୍ରିଏସନ କରିଛି ପୋଲିସ ।

ଅଭିଯୁକ୍ତଙ୍କଠାରୁ ଏକ କେଜି ସୁନାଗହଣା, ୧ କେଜି ୩୦୦ ଗ୍ରାମ ରୁପା ଅଳଙ୍କାର ଓ ୩ ଲକ୍ଷ ୨୫ ହାଜର ଟଙ୍କା ଜବତ କରିଛି ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରୁ ଶୁଭ୍ରକାନ୍ତ ବେହେରା ନାମରେ ୩୧ଟି ମାମଲା ଥିବା ବେଳେ ବିଶ୍ୱଜିତ ଦାସ ନାଁରେ ୩୮ ଓ ମଧୁସୂଦନ ମହାନ୍ତି ନାଁରେ ହତ୍ୟା ଅଭିଯୋଗ ସହ ୧୨ ଟି ମାମଲା ବିଭିନ୍ନ ଥାନାରେ ରହିଛି ।

ଗତ ଦୁଇମାସ ହେଲାଣି ବିଭିନ୍ନ ଜିଲ୍ଲା ପୋଲିସର ନିଦ ହଜାଇ ଦେଇଥିଲା ଏହି ଗ୍ୟାଙ୍ଗ । ପୁରୀ ବଳଙ୍ଗାରେ ଡାକ୍ତର ଦମ୍ପତିଙ୍କୁ ବାନ୍ଧି ଏହି ଗ୍ୟାଙ୍ଗ ଡକାୟତି କରିଥିଲେ । ସେହିଭଳି ଗତ ୩୦ ତାରିଖରେ କାନନ୍ ବିହାରରୁ ଏକ ଘରୁ ଲୁଟ କରି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ଟଙ୍କା ଲୁଟି ନେଇଥିଲେ । ଏହି ଗ୍ୟାଙ୍ଗ ବିଭିନ୍ନ ଅଞ୍ଚଳରେ ଲୋକାଲ ଇନଫର୍ମର ରଖୁଥିଲେ । କେଉଁ ଘର ଖାଲି ପଡ଼ୁଛି ତାହାର ଖବର ସଂଗ୍ରହ କରୁଥିଲେ । ଚୋରି ପାଇଁ ହାତରେ ମାରଣାସ୍ତ୍ର ଧରି ପଶୁଥିଲେ । ରାଜଧାନୀରେ ଏବେ ସବୁଦିନ କୌଣସି ନା କୌଣସି ସ୍ଥାନରୁ ହେଉଛି ଲୁଟ୍‌ । ଆପାର୍ଟମେଣ୍ଟ ହେଉ ଅବା ଘର, ତାଲା ପଡ଼ିଥିବା ଘର ଉପରେ ଏବେ ଲୁଟେରାଙ୍କ ନଜର ।