ରାଜଧାନୀରେ ଲୁଟେରାଙ୍କ ଆତଙ୍କ; ଏଣିକି ଆପାର୍ଟମେଣ୍ଟ ଜଗିବ ‘ବାହଦୂର’ ଡିଭାଇସ୍‌

କମିଶନରେଟ ପୋଲିସକୁ ଆପାର୍ଟମେଣ୍ଟ ସୁରକ୍ଷା ଚିନ୍ତା । ଆପାର୍ଟମେଣ୍ଟ ବାସିନ୍ଦାଙ୍କ ସହ ଆଲୋଚନା କଲେ ପୋଲିସ କମିଶନର । ଘରେ ‘ବାହାଦୂର’ ଡିଭାଇସ ଲଗାଇବାକୁ ଦେଲେ ପରାମର୍ଶ...

Commissionerate Police

କମିଶନରେଟ ପୋଲିସକୁ ଆପାର୍ଟମେଣ୍ଟ ସୁରକ୍ଷା ଚିନ୍ତା ।  ଆପାର୍ଟମେଣ୍ଟ୍ ବାସିନ୍ଦାଙ୍କ ସହିତ ଆଲୋଚନା କରିଛନ୍ତି ଖୋଦ ପୋଲିସ କମିଶନର । ଗତକାଲି ଏନେଇ ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଜିଆପାର୍ଟମେଣ୍ଟ ବାସିନ୍ଦାଙ୍କ ସହିତ ଆଲୋଚନା କରିଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା । ଗତକାଲି ବୈଠକରେ ପୋଲିସ ଅଧିକାରୀଙ୍କୁ ତାଗିଦ କରିଥିବା ବେଳେ ଆଜି ଆପାର୍ଟମେଣ୍ଟ ସୁରକ୍ଷା ନେଇ ସଭାପତି ଓ ସମ୍ପାଦକଙ୍କ ସହିତ ଆଲୋଚନା କରିଛନ୍ତି । ଆପାର୍ଟମେଣ୍ଟରେ କିଭଳି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ପାରିବ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା । ଲୁଟକୁ ରୋକିବାକୁ ଏକ ଆଡଭାଇଜାରି ପ୍ରସ୍ତୁତ କରୁଛି ପୋଲିସ।


 ଆପାର୍ଟମେଣ୍ଟ୍‌ରେ ପର୍ଯ୍ୟାପ୍ତ ତାଲିମପ୍ରାପ୍ତ ସିକ୍ୟୁରିଟି ଗାର୍ଡ ନିୟୋଜିତ କରିବା ସହ ଆଲାର୍ମ ସିଷ୍ଟମ ରଖିବାକୁ କୁହାଯାଇଛି । ବିଭିନ୍ନ ଅତ୍ୟାଧୁନିକ ମେସିନ୍ ଡିଟେକ୍ଟର ଫ୍ଲାଟରେ ଲଗାଇବାକୁ ପରାମର୍ଶ ଦେବା ସହିତ ନିକଟସ୍ଥ ଥାନା ନମ୍ୱର୍ ସିକ୍ୟୁରିଟି ଗାର୍ଡ ପାଖରେ ରଖିବାକୁ କୁହାଯାଇଛି । ଫଳରେ ଲୁଟ ହେଲେ ତୁରନ୍ତ ଥାନାକୁ ଯୋଗାଯୋଗ କରିବେ ସୁକ୍ୟୁରିଟି ଗାର୍ଡ। ଏହା ସହିତ ବାହାଦୁର ନାମକ ଡିଭାଇସକୁ ଘରେ ଲଗାଇବା ପାଇଁ ପରାମର୍ଶ ଦିଆଯାଇଛି । ଯାହାକି ଘରେ ଚୋରୀ ରୋକିବାରେ ସହଯୋଗ କରିବ। ଅନ୍ୟପଟେ ରାଜଧାନୀରେ ପୋଲିସ ପେଟ୍ରୋଲିଂକୁ ଦାୟୀ କରିଛନ୍ତି ଆପାର୍ଟମେଣ୍ଟବାସୀ। ପେଟ୍ରୋଲିଂ ଅଭାବ ପାଇଁ ବଢୁଛି ଲୁଟତରାଜ। ଗତ ୬ ମାସ ମଧ୍ୟରେ ୩୦ ଟି ଆପାର୍ଟମେଣ୍ଟର ୫୫ଟି ଫ୍ଲାଟରେ କଳାକନା ବୁଲାଇଥିଲେ ଲୁଟେରା ।