Advertisment

ଅନ୍ଧବିଶ୍ୱାସର ବଶବର୍ତ୍ତୀ ମଣିଷ: ନିର୍ଯାତିତ ହେଉଛନ୍ତି ମହିଳା

ପ୍ରତିମା ଧରୁଆ ଡାହାଣୀ ସନ୍ଦେହର ଶିକାର ହୋଇଥିବା ଜଣେ ବୃଦ୍ଧା। କଣ ଘଟିଯାଇଛି ତାଙ୍କ ସହ ତାହା ବର୍ଣ୍ଣନା କରିବା ପାଇଁ ବୋଧହୁଏ ଭାଷା ନାହିଁ

ଅଦ୍ୟତନ ହୋଇଛି
NCRB

NCRB

Advertisment

ନୂଆଦିଲ୍ଲୀ: ମଣିଷ ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଖୋଜୁଛି, ଚନ୍ଦ୍ରପୃଷ୍ଠରେ ଜୀବସତ୍ତାର ଅନୁସନ୍ଧାନ କରୁଛି । ଅଥଚ ସେହି ମଣିଷ ଭିତରେ ଆଜି ବି ବଞ୍ଚିରହିଛି କୁତ୍ସିତ, କଦାକାର ଅନ୍ଧବିଶ୍ୱାସ। ଆଜି ବି କେଉଁଠି ମୁଣ୍ଡ ଗଡୁଛି ତ କେଉଁଠି ସାମାଜିକ ବାସିନ୍ଦର ବେଦନା ଭୋଗିବାକୁ ପଡୁଛି ନିରୀହଙ୍କୁ। ବିଶେଷ କରି ଆମ ରାଜ୍ୟର କଥା ଯଦି କହିବା, ତେବେ ଆଦିବାସୀ ବହୁଳ ୭ଟି ଜିଲ୍ଲାରେ ଦହଗଞ୍ଜ କରୁଛି ଡାହାଣୀ ଆଶଙ୍କାର ଭୂତ। ଆଉ ସର୍ବାଧିକ ଶୀକାର ହୋଇଛନ୍ତି ମହିଳା।

Advertisment

ପ୍ରତିମା ଧରୁଆ ଡାହାଣୀ ସନ୍ଦେହର ଶିକାର ହୋଇଥିବା ଜଣେ ବୃଦ୍ଧା। କଣ ଘଟିଯାଇଛି ତାଙ୍କ ସହ ତାହା ବର୍ଣ୍ଣନା କରିବା ପାଇଁ ବୋଧହୁଏ ଭାଷା ନାହିଁ। ତାଙ୍କ ଭାବ ଆଉ ମନର ଉଦବେଗକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଚମ ଧୁଡୁଧୁଡୁ ହେଲାଣି, ଆଖିରେ ପରଳ ମାଡ଼ିଗଲାଣି, ଆଉ ସେ ବଳ ବପୁ ନାହିଁ ଯେ, ସବୁକିଛିକୁ ସେ ବଖାଣି ପାରିବେ ପ୍ରାଞ୍ଜଳ ଭାବେ। କାରଣ ସେ ଶତାୟୁ ମହିଳା। ହେଲେ ତାଙ୍କ ସହ ଘଟିଯାଇଛି ଅନ୍ଧବିଶ୍ୱାସର ଅମାନବୀୟ କାଣ୍ଡ । ଆଜିକୁ ୨୫ ବର୍ଷ ତଳର କଥା। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଭାଲୁଡୁମୁରୀ ଗାଁର ଏହି ପ୍ରତିମା ଧରଆ ସକାଳ ହେଲେ ନିତ୍ୟକର୍ମ ସାରି ତୁଳସୀ ଚଉଁରା ତଳେ ଧୂପ ଦେଉଥିଲେ, ପୂଜା କରୁଥିଲେ।

ବୃନ୍ଦାବତୀଙ୍କ ଆଶୀର୍ବାଦ ଲୋଡୁଥିଲେ । ଏହାଦେଖି ଲୋକେ ଭାବିଲେ ସେ ଗୁଣିଗାରେଡି କରୁଛନ୍ତି। ଏବଂ ସେଥିପାଇଁ କିଛି ଲୋକ ରୋଗଦୁଃଖରେ ପଡୁଛନ୍ତି । ତେଣୁ ଭାଲୁଡୁଙ୍ଗୁରୀ ଗାଁ ଲୋକେ ଚରମ ନିଷ୍ପତ୍ତି ନେଇ ବାସନ୍ଦ କରିଦେଲେ। ପରିଣାମ ସ୍ୱରୂପ ଆଜିକୁ ୨୫ ବର୍ଷ ଧରି ନିକଟ ଜଙ୍ଗଲରେ ନିର୍ବାସନ ଜୀବନ ଜୀଉଁଥିଲେ। ଅବଶ୍ୟ ଖବର ପ୍ରସାରଣ ପରେ ପ୍ରଶାସନ ସହାୟତାରେ ଏବେ ଫେରିଆସିଛନ୍ତି ପ୍ରତିମା।

Advertisment

ଠିକ୍‌ ସେହିପରି ଭାବରେ ସଂଯୁକ୍ତା ସେଠୀଙ୍କ ସହ ଘଟିଥିଲା ଏମିତି କିଛି ଘଟଣା। ନୟାଗଡ଼ ଜିଲ୍ଲା ଗୋପାଳପୁରରେ ଘର ତାଙ୍କର। ବିବାହର ୧୩ ଦିନ ପରେ କୌଣସି କାରଣ ବଶତଃ ଦେହ ଅସୁସ୍ଥ ହୋଇଥିଲା ଶାଶୂଘରେ। ଲୋକେ ଭାବିଲେ ହାଡ଼ବାଇ ଲାଗିଛି । ଏହି ଆଶଙ୍କା କରି ଲଗାତର ୨/୩ ମାସ ଧରି ନିସ୍ତୁକ ମାଡ଼ ମାରିଥିଲେ ଶାଶୁଘର ଲୋକେ । ଶେଷରେ ନିର୍ଯାତନା ସହିନପାରି ବାପଘରକୁ ଯାଇ ଡାକ୍ତରୀ ପରୀକ୍ଷା କରାଇବା ପରେ ଜଣାପଡ଼ିଲା ସେ ନିମୋନିଆରେ ପୀଡ଼ିତ।

ଅନ୍ଧବିଶ୍ୱାସର ଅନ୍ଧଗଳିରେ ଏଭଳି ଅନେକ ଆଜି ନିର୍ଯାତିତ ହୋଇଛନ୍ତି। ରାଜ୍ୟ ମହିଳା କମିଶନ ଓ ଆକ୍ସନଏଡ୍ ପକ୍ଷରୁ ପ୍ରକାଶିତ ଷ୍ଟଡି ରିପୋର୍ଟ କହୁଛି, ଶିଶୁଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ୨୭ % ଓ ବୟସ୍କଙ୍କ ଦେହ ଖରାପ ଯୋଗୁ ୪୩.୫ ପ୍ରତିଶତ ଡାହାଣୀ ଘଟଣା ଘଟୁଛି । ଜମି ହଡ଼ପ ଉଦ୍ଦେଶ୍ୟରେ ଜାଣିଶୁଣି ଡାହାଣୀ କଥା କହୁଛନ୍ତି ୨୪.୫ ପ୍ରତିଶତ। ବିଶେଷ କରି ନବରଙ୍ଗପୁର, ମୟୁରଭଞ୍ଜ, ସୁନ୍ଦରଗଡ଼, ରାୟଗଡ଼ା, ମାଲକାନଗିରି, କେନ୍ଦୁଝର, ଗଜପତି ଜିଲ୍ଲାରେ ରାଜ୍ୟର ୮୩ % ଗୁଣିଗାରେଡି କାଣ୍ଡ ଘଟୁଛି । ମୁଖ୍ୟତଃ ଏକାକୀ, ସ୍ୱାମୀ ପରିତ୍ୟକ୍ତା, ସମ୍ପତ୍ତି ଥିବା ମହିଳା ଓ ମଧ୍ୟ ବୟସ୍କା ଏଭଳି ଅନ୍ଧବିଶ୍ୱାସର ଶିକାର ହେଉଛନ୍ତି। ଏମାନଙ୍କ ଭିତରୁ ୩୦ ଭାଗଙ୍କର ମୃତ୍ୟୁ ହେଉଥିବାବେଳେ ୭୦ ଭାଗ ଭିଟାମାଟି ଛାଡୁଛନ୍ତି। ୬୯ % ପୁଲିସ କାର୍ଯ୍ୟାନୁଷ୍ଠାନ ହେଉଥିଲେ ବି ବହୁ ମାମଲା ଆଢୁଆଳରେ ରହିଯାଉଛି ।

Advertisment

NCRB ତଥ୍ୟ ଅନୁସାରେ, ୨୦୦୦ରୁ ୨୦୧୬ ଭିତରେ ଡାହାଣୀ ସନ୍ଦେହକୁ ନେଇ ଦେଶରେ ଅଢ଼େଇ ହଜାର ଲୋକଙ୍କ ଜୀବନ ଯାଇଥିବାବେଳେ ଅଧିକାଂଶ ହେଉଛନ୍ତି ମହିଳା। ଏମିତିକି ଅନ୍ଧବିଶ୍ୱାସ ଯୋଗୁଁ ପ୍ରତି ବର୍ଷ ହାରାହାରି ୧୫୦ ଲୋକଙ୍କ ପ୍ରାଣହାନୀ ଘଟୁଛି ।

Black Magic
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ