ରାଜଧାନୀରୁ ୨ କୋଟିରୁ ଉର୍ଦ୍ଧ୍ୱ ବ୍ରାଉନ୍‌ ସୁଗାର ଜବତ; ୩ ଗିରଫ

ଭୁବନେଶ୍ୱରରୁ ୨ କୋଟି ଟଙ୍କାରୁ ଅଧିକ ଟଙ୍କାର ବ୍ରାଉନ୍‌ ସୁଗାର ଜବତ ହୋଇଥିବା ସୂଚନା...

Big drug haul in Odisha: Brown sugar worth over Rs 2cr seized, 3 held

ରାଜଧାନୀରୁ ୨ କୋଟି ଟଙ୍କାରୁ ଅଧିକ ଟଙ୍କାର ଧଳା ଜହର ଜବତ ହୋଇଥିବାସହ ୩ ଜଣ ଗିରଫ ହୋଇଛନ୍ତି । ଗିରଫ ବ୍ୟକ୍ତିମାନେ ଭାଗୀରଥି ଭଟ୍ଟ, ଚନ୍ଦନ ମଳିକ ଓ ବିଶ୍ୱଜିତ୍ ନାୟକ ହୋଇଥିବା ଜଣାପଡିଛି ।

ଗତକାଲି ରାତିରେ କ୍ରାଇମବ୍ରାଞ୍ଚର STF ଟିମ୍ AIIMS ଅଞ୍ଚଳରୁ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ଏତେ ପରିମାଣର ବ୍ରାଉନ ସୁଗାର କେଉଁଠୁ ଆଣିଲେ, କାହାକୁ ଦେଇଥାନ୍ତେ ଓ ଏହାର ଚେର କେଉଁଠିକି ଲମ୍ବିଛି ସେ ନେଇ STF ଖୋଳତାଡ଼ କରୁଛି । ତେବେ ୨୦୨୦ରୁ କ୍ରାଇମବ୍ରାଞ୍ଚ STF ସ୍ପେଶାଲ ଡ୍ରାଇଭ୍ କରି ୫୪ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନ ସୁଗାର ଜବତ କରିସାରିଥିବାର ସୂଚନା ମିଳିଛି ।

ଅନ୍ୟପକ୍ଷେ, ବାଲେଶ୍ୱରର କମର୍ଦ୍ଦା ଅଞ୍ଚଳରେ ଧଳା ଜହରର କାରବାର ଦେଖିବାକୁ ମିଳିଛି । ଏହି ବେଆଇନ୍ କାରବାର ଚାଲିଥିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭୋଗରାଇ ବ୍ଲକ କମର୍ଦ୍ଦା ଥାନାଠାରୁ ମାତ୍ର ୫୦୦ ମିଟର ମଧ୍ୟରେ ଥିବା ୫୭ ନମ୍ବର ରାଜ୍ୟ ରାଜପଥ କଡ଼ରେ ଥିବା ଏକ ଦୋକାନ ଭିତରେ କିଛି ଯୁବକ ବ୍ରାଉନ୍ ସୁଗାର ବିକୁଥିବା ଏବଂ କିଣୁଥିବା ଭିଡିଓ ଭାଇରାଲ ହେଉଛି । ଏହାକୁ ବିକ୍ରି କରୁଥିବା ଦୋକାନୀ ମଧ୍ୟ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ତେବେ ବ୍ରାଉନ୍ ସୁଗାର ବିକ୍ରି ବେଳର ଭିଡିଓ ଭାଇରାଲ ପରେ ଗତ ରାତିରେ ଜଳେଶ୍ୱର ଓ ଭୋଗରାଇ ଅବକାରୀ ବିଭାଗ ମିଳିତ ଚଢାଉ କରିଥିଲେ ।