ଋଣ ବୋଝରୁ ଦୁର୍ବୁଦ୍ଧି : ମହିଳାବେଶୀ ଅଭିଯୁକ୍ତ ରୂପେଶ ପଣ୍ଡାଙ୍କ ଗୁମର ଫିଟିଲା

ରାଜଧାନୀରେ ଘରେ ପଶି ମାଆ ଝିଅଙ୍କୁ ଆକ୍ରମଣ ମାମଲାର ପର୍ଦ୍ଦାଫାଶ । ଋଣ ଟଙ୍କା ସୁଝିବା ଲାଗି ଲୁଟ୍ ଯୋଜନାରେ ଯାଇଥିଲା ଅଭିଯୁକ୍ତ ରୂପେଶ ପଣ୍ଡା ।

ଗ୍ରାଫିକ୍ସ ଡିଜାଇନରରୁ ଲୁଟେରା

News Summary

ସହଯୋଗୀ ସଂଜୟ ସହ ଗିରଫ

ସାହସିକତା ପାଇଁ ମାଆ-ଝିଅଙ୍କୁ ପୋଲିସର ପ୍ରଶଂସାପତ୍ର

ଭୁବନେଶ୍ୱର(ଆଲୋକ ମହାନ୍ତି) : ରାଜଧାନୀରେ ମହିଳା ଡ୍ରେସ ପିନ୍ଧି ମା ଓ ଝିଅଙ୍କୁ ଆକ୍ରମଣର ହେଲା ପର୍ଦ୍ଦାଫାସ୍ । ଋଣ ବୋଝରୁ ବର୍ତ୍ତିବା ଲାଗି ଲୁଟର ସଟକର୍ଟ ବାଟ ଶେଷରେ ମହଙ୍ଗା ପଡିଛି ମହିଳା ବେଶୀ ଅଭିଯୁକ୍ତଙ୍କୁ । ଏହି ଘଟଣାରେ ଆକ୍ରମଣକାରୀ ରୂପେଶ ପଣ୍ଡା ଏବଂ ତାଙ୍କ ବନ୍ଧୁ ସଂଜୟ ପଣ୍ଡାଙ୍କୁ ପୋଲିସ ଗିରଫ କରିବା ସହ ଘଟଣାର ଖୁଲାସା କରିଛି । ଆର୍ଥିକ ଅନଟନରୁ ବର୍ତ୍ତିବା ଲାଗି ମାସେ ତଳୁ ଏହି ଲୁଟ୍ ଏବଂ ଆକ୍ରମଣର ବ୍ଲୁ ପ୍ରିଣ୍ଟ ତିଆରି କରିଥିବା ଖୋଳତାଡରୁ ଜଣାପଡିଛି ।

ଋଣ ବୋଝରୁ ଦୁର୍ବୁଦ୍ଧି । ସର୍ଟକଟରୁ ସର୍ବନାଶ । ଗ୍ରାଫିକ୍ସ ଡିଜାଇନରରୁ ଲୁଟେରା । ମହିଳାବେଶୀ ଅଭିଯୁକ୍ତ ରୂପେଶ ପଣ୍ଡାଙ୍କ ଫିଟିଲା ଗୁମର । ମେଡ଼ିକାଲରୁ ଡିସଚାର୍ଜ ହେବା ପରେ ପୋଲିସ ଜେରା ବେଳେ ନିଜେ ଖୋଲିଦେଲେ ନିଜ ଗୁମର । ଉଗାରିଦେଲେ ଶୈଳଶ୍ରୀ ବିହାରରେ ମା,ଝିଅଙ୍କୁ ଆକ୍ରମଣ ପଛର ସତ । ୭ ଲକ୍ଷ ଟଙ୍କାର ହାତଉଧାରି ଏବଂ ଋଣ ବୋଝରୁ ବର୍ତ୍ତିବା ଲାଗି ରୂପେଶ ରଚିଥିଲେ ଲୁଟର ବ୍ଲୁପ୍ରିଣ୍ଟ । ଯେଉଁ ସଂସ୍ଥାରେ ଗ୍ରାଫିକ୍ସ ଡିଜାଇନ୍ ଭାବେ କାମ କରୁଥିଲେ ରୂପେଶ, ସେହି ସଂସ୍ଥାର ସଂଜୟ ପଣ୍ଡା ସହ ମିଶି ମାସେ ହେଲା ତିଆ କରିଥିଲେ ଲୁଟର ମାଷ୍ଟର ସ୍କ୍ରିପ୍ଟ ।

ଆଉ ଯୋଜନା ଅନୁଯାୟୀ, ଧରା ନପଡିବା ଲାଗି ମହିଳା ବେଶର ସାହାରା ନେଇଥିଲେ ରୂପେଶ । ଯୋଜନା ମୂତାବକ, ବିଭିନ୍ନ ସମୟରେ ଛୁରୀ, ନକଲି ବନ୍ଧୁକ, ଲେଡିଜ ଡ୍ରେସ ଏବଂ ଦଉଡ଼ି ଆଦି ସାମଗ୍ରୀ କିଣିଥିଲେ । ପଟିଆ ଓ ୟୁନିଟ-୧ ମାର୍କେଟରୁ । ଆଉ ଗତ ୧ ତାରିଖ ଦିନ ରୁପେଶ ପଣ୍ଡା ଅଟୋରେ ଆସି ହେଲମେଣ୍ଟ ପିନ୍ଧା ଅବସ୍ଥାରେ ଶୈଳଶ୍ରୀ ବିହାର ସ୍ଥିତ ଘରେ ପଶି ମହିଳା ଓ ତାଙ୍କ ଝିଅଙ୍କୁ ବନ୍ଧୁକ ଦେଖାଇଥିଲେ ।

ଏପରିକି ଆକ୍ରମଣ ସହ ହାତଗୋଡ ବାନ୍ଧି ଟଙ୍କା ଲୁଟିବାକୁ ବି ଯୋଜନା କରିଥିଲେ । କିନ୍ତୁ ଓଲଟିଗଲା ସବୁକିଛି । ସଂପୃକ୍ତ ମହିଳା ଏବଂ ତାଙ୍କ ଝିଅ ପାଲଟା ଆକ୍ରମଣ କରିଥିଲେ ରୂପେଶଙ୍କୁ । ତାହାରି ଭିତରେ ରୂପେଶଙ୍କ ମୁଣ୍ଡରୁ ହେଲମେଟ୍ ଗଳିପଡ଼ିବା ପରେ ଧରା ପଡ଼ିଯାଇଥିଲା ତାଙ୍କ ପରିଚୟ ।

ଆଉ ଲୁଟ ଯୋଜନା ଫେଲ ହେବାପରେ ପୋଲିସ ଆକ୍ସନରୁ ବର୍ତ୍ତିବା ପାଇଁ ରୂପେଶ ରଚନା କରିଥିଲେ ନୂଆ ଥିଓରୀ । ରୂପେଶଙ୍କ କହିଥିଲେ, ବଳ ପୂର୍ବକ କିଛି ଲୋକ ତାଙ୍କୁ ଆକ୍ରମଣ କରି ମହିଳା ଡ୍ରେସ ପିନ୍ଧାଇଥିଲେ । ଏପରିକି ସଂପୃକ୍ତ ମହିଳା ଏବଂ ଯୁବତୀଙ୍କୁ ଘରକୁ ଯାଇ ଆକ୍ରମଣ କରିବାକୁ ଧମକ ବି ଦେଇଥିଲେ । କିନ୍ତୁ ତଦନ୍ତ ପ୍ରକ୍ରିୟା ଭିତରେ ଏସବୁକୁ ଆଦୌ ବିଶ୍ୱାସକୁ ନେଇପାରୁନଥିଲା ପୋଲିସ । ଆଉ ଖୋଳତାଡ଼ ଭିତରେ ଋଣବୋଝ ସହ ଆର୍ଥିକ ଚାପର ସୁରାଗ୍ ପାଇଥିଲା ପୋଲିସ ।

ଘର ତିଆରି ବାବଦକୁ ପତ୍ନୀ ୧୮ ଲକ୍ଷ ଟଙ୍କାର ଋଣ କରିଥିବାବେଳେ ରୂପେଶ ଏବଂ ସଂଜୟ ବିଭିନ୍ନ ଲୋକଙ୍କଠାରୁ ୭ ଲକ୍ଷ ଟଙ୍କା ହାତ ଉଧାରି ଆଣିଥିଲେ । ସେହି ଆର୍ଥିକ ଚାପରୁ ମୁକୁଳିବା ପାଇଁ ସଂଜୟ ସହ ମିଶି ରୂପେଶ ଏଭଳି କାଣ୍ଡ ଭିଆଇଥିବା ଡିସିପି କହିଛନ୍ତି । ତେବେ ଏହି ଲୁଟ୍ ନାଟକ ଭିତରେ ରୂପେଶଙ୍କ ସହ କଡ଼ା ମୁକାବିଲା କରିଥିବା ସଂପୃକ୍ତ ମହିଳା ଏବଂ ତାଙ୍କ ଝିଅଙ୍କୁ ସାହସିକତା ପାଇଁ ପୋଲିସ ସେମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଛି ।