• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୋକ ସତରେ ଖୁବ୍‌ ନିଦାରୁଣ ଆଉ ନିଷ୍ଠୁର । ପେଟର ଭୋକ କେତେବେଳେ ତିଳ ତଳ ଜାଳେ ତ ପୁଣି କେତେବେଳେ କାହାକୁ ଭ୍ରଷ୍ଟ ଆଉ ହତ୍ୟାକାରୀ ସଜାଇ ଦିଏ । ଭୋକ ନୁହେଁ ଏଠି ଅଦିନିଆ ଅତିଥି, ସେ ନିତିଦିନିଆ ସଦସ୍ୟ ପରି । ଆଉ ଏହି ଭୋକ ପାଇଁ ଆଜି ପୁଣି ଏକ ହତ୍ୟାକାଣ୍ଡ ଘଟିଛି । ନିଜର ୨ ବର୍ଷର କୁନି ଝିଅକୁ ଦୁଇ ଓଳି ଦୁଇ ମୁଠା ଖାଇବା ଦେଇ ନପାରି ହତ୍ୟାକାରୀ ସାଜିଛି ବାପା । ଝିଅକୁ ହତ୍ୟା କରିବା ପରେ ହତ୍ୟାକାରୀ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଛି ।

ବେଙ୍ଗାଲୁରୁର ୪୫ ବର୍ଷିୟ ରାହୁଲ ପରମାର । ପେଶାରେ ଜଣେ ଟେକି ଅଥବା ଜ୍ଞାନକୌଶଳ ବିଶେଷଜ୍ଞ । ସେ ମୂଳତଃ ଗୁଜୁରାଟର ହୋଇଥିବା ବେଳେ ସପରିବାରେ ବେଙ୍ଗାଲୁରୁରେ ରୁହନ୍ତି । ସାରା ବିଶ୍ୱରେ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ସେ ନିକଟରେ ଚାକିରି ହରାଇଛନ୍ତି । ଆଉ ଚାକିରି ଯିବା ପରେ ସେ ଇଏମଆଇ ଦେଇ ପାରୁନଥିଲେ । ଅଳ୍ପ ଦିନ ଭିତରେ ସ୍ଥିତି ସଙ୍ଗୀନ ହୋଇଯାଇଥିଲା । କିଛି ଦିନ ପୂର୍ବରୁ ସେ ଘରେ ଲୁଟ୍‌ ହୋଇଥିବା ନେଇ ଥାନାରେ ଏକ ସଙ୍ଗୀନ ଅଭିଯୋଗ କରିଥିଲେ । ସ୍ତ୍ରୀଙ୍କ ସମସ୍ତ ସୁନାଗହଣା ବନ୍ଧକ ରଖି, ତାଙ୍କୁ କହିଥିଲେ ସବୁ ଅଳଙ୍କାର ଚୋରି ହୋଇଯାଇଛି । ଏବେ ସେ ନିଜ ଝିଅକୁ ହତ୍ୟା କରିଛନ୍ତି । ଝିଅର ହତ୍ୟା ଅଭିଯୋଗରେ ଏବେ କୋଲାର ପୋଲିସ ରାହୁଲକୁ ଗିରଫ କରିଛି ।

ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ଝିଅକୁ ହତ୍ୟା କରିବାର କିଛି ସମୟ ପରେ ସେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲା । ଅଭିଯୁକ୍ତ ଝିଅର ଶବକୁ ବାଙ୍ଗାଲୋର-କୋଲାର ରାଜପଥ ନିକଟରେ ଥିବା ଏକ ହ୍ରଦରେ ପକାଇ ଦେଇଥିଲା । ନଭେମ୍ବର ୧୫ରେ ସ୍ତ୍ରୀ ସହ ଯାଇ ଥାନାରେ ଝିଅ ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ । ପରଦିନ ସକାଳେ ଜିଆଙ୍କ ମୃତଦେହ ହ୍ରଦରୁ ମିଳିଥିଲା ​​ । ସନ୍ଦେହ ହେବାରୁ ଅଭିଯୁକ୍ତକୁ ପଚରାଉଚରା କରିଥିଲା ପୋଲିସ୍ । ପରେ ସେ ନିଜ ଦୋଷ ସ୍ୱୀକାର କରିଛି ।

ଅଭିଯୁକ୍ତ କହିଛି, ‘ଘଟଣା ଦିନ ମାରିବା ଉଦ୍ଦେଶ୍ୟରେ ସକାଳୁ ଝିଅକୁ ଧରି ଘରୁ ବାହାରି ଯାଇଥିଲି । ସେଦିନ ତା’ ପାଇଁ ମିଠା କିଣିଲି । ରାସ୍ତାରେ ଅନେକ କଥା ମନକୁ ଆସୁଥିଲା । ଫେରିବା ପାଇଁ ମଧ୍ୟ ଭାବୁଥିଲି । କିନ୍ତୁ ପରେ ଋଣ ଓ ପୋଲିସ କଥା ଚିନ୍ତା କରି ଘରକୁ ଫେରିଲିନି । କିଛି ସମୟ ତା’ ସହ ବିତାଇ ଥିଲି । ଆଉ ମନକୁ ବାରମ୍ବାର ଗୋଟିଏ କଥା ଆସୁଥିଲା, ମୋ ପିଲାକୁ ଦୁଇ ମୁଠା ଭଲରେ ଖାଇବାକୁ ଦେଇ ପାରୁନି । ସେଥିପାଇଁ ଝିଅକୁ ହଗ୍‌ କରି ହ୍ରଦ ଭିତରକୁ ଡେଇଁ ପଡ଼ିଥିଲି । ହେଲେ ପାଣି କମ୍‌ ଥିବାରୁ ମୁଁ ବଞ୍ଚିଗଲି । କିନ୍ତୁ ଝିଅର ଜୀବନ ଚାଲିଗଲା।’