ମଧ୍ୟପ୍ରଦେଶରୁ ଅପହରଣ କଲେ, ମହାରାଷ୍ଟ୍ରରେ ବିକ୍ରି କଲେ...

ଏକ ଛଅମାସର ଶିଶୁକୁ ମଧ୍ୟପ୍ରଦେଶରୁ ନେଇ ମହାରାଷ୍ଟ୍ରରେ ବିକ୍ରି କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ମହାରାଷ୍ଟ୍ରର ଏକ ସନ୍ତାନହୀନ ଦମ୍ପତ୍ତିଙ୍କୁ ଉକ୍ତ ଶିଶୁକୁ ୩୦ ଲକ୍ଷରେ ବିକ୍ରି କରାଯାଇଥିଲା ।

Crime

ଶିଶୁର ଦାମ୍ ୩୦ ଲକ୍ଷ! ମଧ୍ୟ ପ୍ରଦେଶରୁ ନେଇ ମହାରାଷ୍ଟ୍ରରେ ବିକ୍ରି । ଏକ ଛଅମାସର ଶିଶୁକୁ ମଧ୍ୟ ପ୍ରଦେଶରୁ ନେଇ ମହାରାଷ୍ଟ୍ରରେ ବିକ୍ରି କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ମହାରାଷ୍ଟ୍ରର ଏକ ସନ୍ତାନହୀନ ଦମ୍ପତ୍ତିଙ୍କୁ ଉକ୍ତ ଶିଶୁକୁ ୩୦ ଲକ୍ଷରେ ବିକ୍ରି କରାଯାଇଥିଲା । ଏନେଇ ପୋଲିସ ଶିଶୁକୁ କିଣିଥିବା ଦମ୍ପତ୍ତିଙ୍କ ସମେତ ଆଠଜଣଙ୍କୁ ଗିରଫ କରିଛି ।

ଏନେଇ ମଧ୍ୟ ପ୍ରଦେଶ ରେୱାର ଏସ୍ପି ବିବେକ ସିଂହ ସୂଚନା ଦେଇଛନ୍ତି । ଏହା ଅଭିଯୁକ୍ତମାନେ ଶିଶୁ ଚାଲାଣକାରୀ ରାକେଟ୍ ସହ ସଂପୃକ୍ତ କି ନାହିଁ ତାହା ମଧ୍ୟ ପୋଲିସ ତଦନ୍ତ କରୁଛି । ପୋଲିସ ସୂଚନା ଅନୁସାରେ ରାଜସ୍ଥାନର ଏକ ଦମ୍ପତ୍ତି, ରେୱାକୁ କିଛି ସାମଗ୍ରୀ ବିକ୍ରି କରିବାକୁ ଆସିଥିଲେ । ଗତ ମଙ୍ଗଳବାର ରାତିରେ ସେମାନେ ନିଜର ଦୁଇଟି ଛୁଆଙ୍କ ସହ ରାସ୍ତାକଡ଼ରେ ଶୋଇଥିଲେ ।

ଜଣେ ଛଅ ବର୍ଷର ଥିବା ବେଳେ ଅନ୍ୟ ଗୋଟେ ପୁଅ ମାତ୍ର ଛଅମାସର । ସେହି ସମୟରେ ଦୁଇଜଣ ବାଇକ ଆରୋହୀ ଆସି ଶିଶୁକୁ ଉଠାଇ ନେଇ ଯାଇଥିଲେ । ଅଭିଯୁକ୍ତଙ୍କ ମୁହଁରେ ମାସ୍କ ବନ୍ଧା ଯାଇଥିଲା ବୋଲି ସୂଚନା ମିଳିଛି । ପରେ ବାପା ମାଆ ଶିଶୁକୁ ଖୋଜିଥିବା ବେଳେ ଆଉ ପାଇନଥିଲେ ।

ପାଖାପାଖି ସାହାଯ୍ୟ ମାଗିଥିଲେ ସୁଦ୍ଧା ଶିଶୁକୁ ପାଇନଥିଲେ । ସେତେବେଳକୁ ବାଇକ ଆରୋହୀମାନେ ଶିଶୁକୁ ଧରି ଛୁ ମାରିସାରିଥିଲେ । ପରେ ସେମାନେ ଏନେଇ ପୋଲିସରେ ଅଭିଯୋଗ କରିଥିଲେ । ପିତାମାତା ଗରିବ ଥିବାରୁ ଟଙ୍କା ପାଇଁ ଅପହରଣ କରାଯାଇଥିବା କଥାକୁ ପୋଲିସ ଏଡ଼ାଇ ଯାଇଥିଲା ।

ତେବେ ରେୱାଠାରୁ ପ୍ରାୟ ୬୫ କମି ଦୂରରେ ଥିବା ମାଉଗଞ୍ଜରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଠାବ କରିଥିଲେ । ପରେ ପୋଲିସ ସୂଚନା ନେଇ ଶିଶୁକୁ ଉଦ୍ଧାର କରିଥିଲା । ପୋଲିସ ସୂଚନା ଅନୁସାରେ ବାଇକ ଆରୋହୀ ଅଭିଯୁକ୍ତ ଦ୍ୱୟ ସ୍ଥାନୀୟ ଲୋକ ଥିଲେ । ସେମାନେ ଶିଶୁକୁ ଅପହରଣ କରିନେଇ ଥିଲେ ।

ପରେ ଶିଶୁକୁ ନେଇ ଅନ୍ୟ ଅଭିଯୁକ୍ତଙ୍କୁ ଦେଇଥିଲେ । ବାକି ଅଭିଯୁକ୍ତମାନେ ଶିଶୁକୁ ନେଇ ମହାରାଷ୍ଟ୍ରର କଲ୍ୟାଣରେ ରହୁଥିବା ଏକ ସନ୍ତାନହୀନ ଦମ୍ପତ୍ତିଙ୍କୁ ୩୦ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ । ଏସ୍ପିଙ୍କ ସୂଚନା ଅନୁସାରେ, ସମସ୍ତ ଅଭିଯୁକ୍ତ ମହାରାଷ୍ଟ୍ର ରାଜ୍ୟର । ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି । ସମସ୍ତ ଅଭିଯୁକ୍ତଙ୍କୁ ମହାରାଷ୍ଟ୍ରର କୋର୍ଟରେ ହାଜର କରାଯିବା ପରେ ମଧ୍ୟପ୍ରଦେଶକୁ ଅଣାଯିବ । ଏହା ପରେ ସେମାନେ କୌଣସି ଚାଲାଣକାରୀ ସଂସ୍ଥା ସହ ଜଡ଼ିତ କି ନାହିଁ ଜଣା ପଡ଼ିବ ।