ସେଦିନ ରାତିରେ କ'ଣ ଘଟିଥିଲା, କ୍ରାଇମବ୍ରାଞ୍ଚ ଆଗରେ ସତ ଓଗାରିଲେ କ୍ୟାପଟେନ୍!!

ଭୁବନେଶ୍ୱର ଭରତପୁର ଥାନାରେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ କ୍ୟାପଟେନ୍ ଗୁରୁବଂଶ ସିଂଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା । ଭୁବନେଶ୍ୱର ୧୨୦ ବାଟାଲିଅନରେ ଗୁରୁବଂଶଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ।

Bharatpur Incident

ଭୁବନେଶ୍ୱର ଭରତପୁର ଥାନାରେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ କ୍ୟାପଟେନ୍ ଗୁରୁବଂଶ ସିଂଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା । ଭୁବନେଶ୍ୱର ୧୨୦ ବାଟାଲିଅନରେ ଗୁରୁବଂଶଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ସେଦିନ ରାତିରେ କଣ ଘଟିଥିଲା .. କିଭଳି ହୋଇଥିଲେ ଅସଦାଚରଣର ଶିକାର ।

ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ସମୟରେ ପୋଲିସ କିଭଳି ଆଚରଣ କରିଥିଲା ତାକୁ ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରୁଛି । ଗତକାଲି ଗୁରୁବଂଶଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ କରିଥିଲା କ୍ରାଇମବ୍ରାଞ୍ଚ । ଏପଟେ ମୂଳ ମାମଲା ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ରୋଡ ରୋମିଓ ଦଇରାଣ କରିବା ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ ପରେ ଜାମିନ ମିଳି ସାରିଛି ।

ଗିରଫର ମାତ୍ର ୪ ଘଣ୍ଟା ପରେ ୭ ଅଭିଯୁକ୍ତଙ୍କୁ ବେଲ୍ ମିଳିଥିଲା । ଗତ ୧୫ ତାରିଖ ରାତି ୨ଟାରେ ମେଜର ଓ ତାଙ୍କ ବାନ୍ଧବୀ ରାସ୍ତାରେ ଫେରୁଥିବା ବେଳେ ଝାମେଲା କରିଥିଲେ ୭ ଅଭିଯୁକ୍ତ । ସେପଟେ ଆର୍ମି ମେଜର୍ ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ମଠେଇ ଯାଇଛି କି କ୍ରାଇମବ୍ରାଞ୍ଚ ତଦନ୍ତ ବୋଲି ଉଠିଛି ପ୍ରଶ୍ନ ?

ମାମଲାକୁ ସପ୍ତାହେ ପୂରିଲାଣି, ଏଯାଏଁ କାହା ବିରୋଧରେ ହୋଇନି ଆଖିଦୃଶିଆ ଆକ୍ସନ । କେବଳ ନିଲମ୍ବିତ ହୋଇଛନ୍ତି ଭରତପୁର ଥାନାର ୫ ଦବଙ୍ଗ ପୋଲିସ । ୬ଦିନ ପରେ ଧରାପଡ଼ିଛନ୍ତି ୭ ରୋଡ୍ ରୋମିଓ । ତାହାରି ଭିତରେ ମେଜର୍ ଓ ବାନ୍ଧବୀଙ୍କ ଏକପାଖିଆ ଭିଡ଼ିଓକୁ ଜାଣିଶୁଣି ଭାଇରାଲ୍ କରାଯାଉଥିବାବେଳେ ପୀଡ଼ିତା ସୁଟ୍ କରିଥିବା ଭରତପୁର ଭିଡ଼ିଓକୁ କାହିଁକି ପୋଲିସ ସାମ୍ନାକୁ ଆଣୁନି କି ନିଜେ ସାମ୍ନାକୁ ଆସୁନି, ସେନେଇ ଉଠିଛି ନାନା ପ୍ରଶ୍ନ ।

ପ୍ରଥମେ ଅଧରାତିରେ ରୋଡ୍ ରୋମିଓଙ୍କ ହରକତ୍ ପରେ ଦୁର୍ବ୍ୟବହାର ଶିକାର ଆର୍ମି ମେଜର୍ ଏବଂ ତାଙ୍କ ବାନ୍ଧବୀଙ୍କୁ ଥାନାରେ ନିର୍ଯାତନା, ଆଉ ତା’ପରେ ଉଭୟଙ୍କ ବିରୋଧରେ ପୋଲିସର ପାଲଟା ଅଭିଯୋଗ । ହେଲେ ଯେତେ ଲୁଚାଇଲେ ବି ଲୁଚୁନି ଘଟଣା । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ସତ ।

ଚନ୍ଦକା ରାସ୍ତାରେ ୧୫ ତାରିଖ ରାତିରେ ମେଜର୍ ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ଯୁବକମାନେ ଅଟକାଇ କେମିତି ଛେଡଛାଡ୍ କରୁଛନ୍ତି ଭାଇରାଲ୍ ଭିଡ଼ିଓ ସାମ୍ନାକୁ ଆସିଛି । ଭିଡିଓରେ ଟଣାଓଟରା, କଥା କଟାକଟି, ପ୍ରବଳ ଧସ୍ତାଧସ୍ତି ଏପରିକି ପୀଡ଼ିତାଙ୍କୁ ମାଡ଼ ମାରିଥିବା ବି ସ୍ପଷ୍ଟ ଭାବେ ଦେଖାଯାଉଛି । ଦୀର୍ଘ ସମୟ ଧରି ଚାଲିଥିଲା ଏଭଳି କାଣ୍ଡ ।

ଶେଷରେ ବଡ଼ କଷ୍ଟରେ ନିଜକୁ ମୁକୁଳାଇ ଭରତପୁର ଥାନାକୁ ଯାଇ ଅଭିଯୋଗ କରିଥିଲେ ଗୁରୁବଂଶଙ୍କ ବାନ୍ଧବୀ । ଆଉ ସେହି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସକୁ ଲାଗିଗଲା ପାଖାପାଖି ସପ୍ତାହେ । ଆଜି ପ୍ରଥମେ ଘଟଣାସ୍ଥଳ ସୁନ୍ଦରପୁରରେ କ୍ରାଇମସିନ୍ ରିକ୍ରିଏସନ୍ ପରେ ୭ ଜଣଙ୍କୁ ଗିରଫ କରିଛି ପୋଲିସ ।

ସେମାନଙ୍କଠାରୁ ୧୧ଟି ମୋବାଇଲ୍ ଏବଂ ଗୋଟିଏ ଗାଡ଼ି ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ଜଣେ ଜଣେ ଛାତ୍ର । ମୁହଁରେ ମାସ୍କ, ମିଡ଼ିଆ ଆଗରେ ଦେଉଛନ୍ତି ଅନର୍ଗଳ ବୟାନ । ଛୋଟ ମୋଟ ମାମଲାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଯେଉଁଠି ପୋଲିସ୍ ମିଡିଆ ନିକଟରୁ ଦୂରେଇ ରଖେ, ଆଜି ସେହି ପୋଲିସର ହେପାଜତରେ ଥାଇ ନିର୍ଦ୍ୱନ୍ଦ୍ୱରେ ଖୋଲା ବୟାନ ଦେଉଛନ୍ତି ।

ଅଭିଯୁକ୍ତମାନେ ଘଟଣାକୁ ଖଣ୍ଡନ କରିବା ସହ ମେଜର ଓ ତାଙ୍କ ବାନ୍ଧବୀଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି । ଏଣେ ନିଲମ୍ବିତ ଭରତପୁର ଥାନା ଅଧିକାରୀଙ୍କ ସମେତ ୫ ପୋଲିସ କର୍ମଚାରୀଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ସେହିପରି ୧୨୦ ବାଟାଲିୟନ ଭିତରେ ଗୁରୁବଂଶ ଏବଂ ତାଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ ପରେ ରିପୋର୍ଟକୁ ନେଇ କ୍ରାଇମବ୍ରାଞ୍ଚ ସାଇବର୍ ସେଲରେ ତର୍ଜମା କରାଯାଇଛି ।