Kiit
କିଟ୍ ଛାତ୍ର ଅର୍ଣ୍ଣବ ମୁଖାର୍ଜୀଙ୍କ ମୃତ୍ୟୁ ଘଟଣାରେ ଆସିଲା ନୂଆ ଟ୍ୱିଷ୍ଟ। ପୁଅର ମୃତ୍ୟୁ ପାଇଁ କିଟ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ମୃତକଙ୍କ ବାପା । ଏଥିସହ କିଟ୍ ବିରୋଧରେ ସେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । କିଟ୍ କର୍ତ୍ତୃପକ୍ଷଙ୍କ ଅବହେଳାରୁ ପୁଅର ମୃତ୍ୟୁ ହୋଇଥିବା ସେ ଅଭିଯୋଗ କରିଛନ୍ତି।
କର୍ତ୍ତୃପକ୍ଷଙ୍କ ଉପରେ କ୍ଷୋଭ ସହ ମ୍ୟାନେଜମେଣ୍ଟ ଅବହେଳାକୁ ଦାୟୀ କରିଛନ୍ତି ମୃତ ଛାତ୍ରଙ୍କ ବାପା । ସେ କହିଛନ୍ତି, ମୋ ପିଲାକୁ ତାଙ୍କ ଦାୟିତ୍ୱରେ ଛଡ଼ା ଯାଇଥିଲା, ସେମାନଙ୍କ ଅବହେଳାରୁ ମୋ ପୁଅର ମୃତ୍ୟୁ ହୋଇଛି। କୌଣସି ଅଘଟଣ ଘଟିଛି, ହେଲେ ପୁଅ ଆତ୍ମହତ୍ୟା କରିନି ବୋଲି ବାପା ଜଗଦୀଶ ମୁଖାର୍ଜୀ କହିଛନ୍ତି ।
ଅଧିକ ପଢ଼ନ୍ତୁ : କିଟ୍ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ; ମିଳିଲା ଝୁଲନ୍ତା ମୃତଦେହ
ଏମିତିକି ହଷ୍ଟେଲ ୱାଡେନଙ୍କ କଥା ଓ ଘଟଣାବଳୀ ମଧ୍ୟରେ ତାଳମେଳ ରହୁନି ବୋଲି ସେ କହିଛନ୍ତି । ଏଭଳି ଅବହେଳା କଲେ ପଶ୍ଚିମବଙ୍ଗରୁ ଆଉ କେହି କିଟ୍ ଆସିବେ ନାହିଁ’ । ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ସତ୍ୟାସତ୍ୟ ବାହାର କରାଯାଉ ବୋଲି ସେ ଦାବି କରିଛନ୍ତି। ।
ସେ ଆହୁରି କହିଛନ୍ତି, ସୋମବାର ରାତିରେ ପୁଅ ତା’ ମାଆଙ୍କ ସହ କଥା ହୋଇଥିଲା। ତାଙ୍କ ମାଆଙ୍କୁ ୨୦୦ ଟଙ୍କା ମାଗିଥିଲା, ମାଆ ୟୁପିଆଇରେ ଟଙ୍କା ପଠାଇବା ପରେ ଆଉ ଫୋନ୍ ଲାଗିନଥିଲା, ପରେ ପୋଲିସ୍ ତାଙ୍କୁ ଫୋନ୍ କରି ଡକାଇଥିଲା ବୋଲି ଗତକାଲି ରାତିରେ ଭୁବନେଶ୍ବରରେ ଆସି ପହଞ୍ଚିବା ପରେ ଏପରି କହିଛନ୍ତି ମୃତ ଛାତ୍ରଙ୍କ ବାପା।
ମୃତ କିଟ୍ ଛାତ୍ର ଅର୍ଣ୍ଣବ ମୁଖାର୍ଜୀଙ୍କ ପରିବାର ଭୁବନେଶ୍ବରରେ ଆସି ପହଞ୍ଚିବା ପରେ ମଞ୍ଚେଶ୍ୱର ଥାନା ଆଇଆଇସି ସେମାନଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ମୃତଦେହ ଚିହ୍ନଟ କରାଇଥିଲେ।ତେବେ ମୃତ ଛାତ୍ରଙ୍କ ବାପାଙ୍କ ଅଭିଯୋଗ ନେଇ କିଟର ପ୍ରତିକ୍ରିୟା ମିଳିପାରିନି ।
ସୂଚନାଯୋଗ୍ୟ, ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ଦେଢ଼ ମାସ ପୂରି ନଥିବାବେଳେ ଗତକାଲି ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଅଞ୍ଚଳର ଏକ ନିର୍ମାଣାଧୀନ କୋଠା ତଳୁ କିଟ୍ ଛାତ୍ର ଅର୍ଣ୍ଣବ ମୁଖାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ଛାତ୍ର ଜଣକ ବି-ଟେକ୍ ପଢୁଥିଲେ। ତାଙ୍କ ଘର ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲାରେ। କିଟ୍ ହଷ୍ଟେଲରୁ ସେ ମଞ୍ଚେଶ୍ବର କାହିଁକି ଯାଇଥିଲେ ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଥିଲା ସେ ନେଇ ପ୍ରଶ୍ନ ଉଠିଥିବାବେଳେ ପୋଲିସ୍ ଖୋଳତାଡ଼ ଆରମ୍ଭ କରିଛି। ଅନ୍ୟପକ୍ଷରେ କିଟ୍ କର୍ତ୍ତୃପକ୍ଷ କହିଛନ୍ତି- ଘଟଣାଟି କ୍ୟାଂପସ୍ ବାହାରେ ଘଟିଛି। ତେଣୁ ପୋଲିସର ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Kiit_1743581159.jpg)