ନରବଳି ଅଭିଯୋଗରେ ସାଧିକା ଅଟକ, ମୃତଦେହରୁ କିଛି ଅଙ୍ଗ ଗାଏବ ଥିବା ଅଭିଯୋଗ

ଅନୁଗୁଳ କିଆକଟାରେ ନାବାଳକ ସଞ୍ଜୀବଙ୍କ ହତ୍ୟା ମାମଲା । ମୁଖ୍ୟ ସନ୍ଦିଗ୍ଧ ଗୀତାଞ୍ଜଳି ବାଘଙ୍କୁ ଉଠାଇ ନେଲା ପୋଲିସ୍ ।

Angul Murder Case

ଅନୁଗୁଳ କିଆକଟାରେ ନାବାଳକ ସଞ୍ଜୀବଙ୍କ ହତ୍ୟା ମାମଲାରେ ସନ୍ଦିଗ୍ଧଙ୍କୁ ଉଠାଇ ନେଇଛି ପୋଲିସ । ସାଧିକା ଗୀତାଞ୍ଜଳି ବାଘ ଓ ତାଙ୍କ ୩ ପୁଅଙ୍କୁ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଛି । ଘଟଣା ଦିନ ଗୀତାଞ୍ଜଳି କେଉଁଠି ଥିଲେ? ଘଟଣା ପଛରେ ଏମାନଙ୍କ କଣ ସଂପୃକ୍ତି ସେ ସବୁ ଦିଗକୁ ନେଇ ଏବେ ପଚରାଉଚରା ଚାଲିଛି ।

ସେପଟେ ଗତକାଲି ରାତିରେ ମୃତଦେହକୁ ତରବରିଆ ଭାବେ ପୋଲିସ୍ ପୋଡ଼ି ଦେଇଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପରେ ରାତି ଅଧରେ ଅଳ୍ପ କିଛି ଲୋକଙ୍କୁ ନେଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଖାଲି ସେତିକି ନୁହେଁ, ମୃତଦେହରୁ ଅନେକ ଅଙ୍ଗପ୍ରତଙ୍ଗ ଗାଏବ ଥିବା ବି ଅଭିଯୋଗ କରିଛନ୍ତି ସମ୍ପର୍କୀୟ ।

ଅପରପକ୍ଷେ, ନରବଳି ଅଭିଯୋଗକୁ ନେଇ ଏବେ ତଦନ୍ତ ଚାଲିଛି । ମୃତଦେହରୁ ଗାଏବ ଥିବା ଅଙ୍ଗ କ୍ରାଇମ୍ ସ୍ପଟରୁ ମିଳିଛି, ସେସବୁକୁ ନେଇ ଏବେ ଖୋଳତାଡ଼ କରାଯାଉଛି ବୋଲି ଅନୁଗୁଳ ଏସପି କହିଛନ୍ତି ।

ଅଭିଯୋଗ ଅନୁସାରେ, ମୃତକ ସଞ୍ଜୀବ ଅସୁସ୍ଥ ଥିବାରୁ ଅନୁଗୁଳ ଟୁସର ସ୍ଥିତ ଏକ ମଙ୍ଗଳା କୋଠିକୁ ତାଙ୍କୁ ଆଣିଥିଲେ ପରିବାର ଲୋକେ । ସେଠାରେ ନିଜକୁ ସାଧିକା ବୋଲାଉଥିବା ଗୀତାଞ୍ଜଳି ବାଘ ଗତ ଶନିବାର ସନ୍ଧ୍ୟାରେ ପୂଜାର୍ଚ୍ଚନା ପରେ, ସଞ୍ଜୀବଙ୍କ ମାଆଙ୍କୁ ବାରଣ୍ଡାରେ ଶୋଇବାକୁ କହିଥିଲା । ସଞ୍ଜୀବଙ୍କୁ ମଙ୍ଗଳା କୋଠି ଭିତରକୁ ନେଇଯାଇଥିଲେ ଗୀତାଞ୍ଜଳି । ଆଉ ସକାଳ ହେଲା ବେଳକୁ ପୁଅ ନିଖୋଜ ହୋଇଯାଇଥିଲା ।