ଇଏ କି କଥା ! ପୁଅ କହିଲେ, ଝିଅ ଦେଲେ !

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଛି।

Baby Swapping Surface

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ । ପୁଅ ହୋଇଛି କହି ଝିଅ ଦେଇଥିବା ପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ରାଜକନିକା ଅଞ୍ଚଳର ଜଣେ ବ୍ୟକ୍ତି । ଗତକାଲି ରାତି ସାଢ଼େ ୧୦ରେ ପୁଅ ହେଲା ବୋଲି ସୂଚନା ଦିଆଯାଇଥିଲା । ମାତ୍ର ଫଟୋ ଉଠାଇବା ବେଳେ ଝିଅ ହୋଇଥିବା ଦେଖିଥିଲେ । ଏଥିପାଇଁ ସେ DNA ଟେଷ୍ଟ ପାଇଁ ଦାବି କରିଛନ୍ତି । ରିପୋର୍ଟ ନ ଆସିବା ଯାଏଁ ମା’ ଛୁଆଙ୍କୁ ନେବିନାହି ବୋଲି ସେ କହିଛନ୍ତି ।

ସେ ଆହୁରି କରିଛନ୍ତି, ଗତକାଲି ରାତି ୧୦ଟାରେ ମୋ ପୁଅ ହେଲା ବୋଲି ମେଡିକାଲ କର୍ମଚାରୀ କହିଥିଲେ । ପରେ ଛୁଆକୁ ନର୍ସ ଆଣି ମୋ ଶାଶୁକୁ ଦେଇଥିଲେ । ମୁଁ ଛୁଆର ଫଟୋ ଉଠାଇଲା ବେଳେ ପୁଅ ନୁହେଁ ଝିଅ ବୋଲି ଜଣାପଡ଼ିଥିଲା । ମୁଁ ନର୍ସଙ୍କୁ ଏହି ବିଷୟରେ ପଚାରିଥିଲି । ମୋର ପୁଅ ହୋଇଥିଲା, ଝିଅ କ’ଣ ଦେଲେ ବୋଲି ପ୍ରଶ୍ନ କରିଥିଲି । ହେଲେ ସେ କିଛି ନ କହି ପଳାଇ ଯାଇଥିଲେ । କିଛି ସମୟ ପରେ ଡାକ୍ତର ଆସି କହିଥିଲେ ତୁମର ଝିଅ ହୋଇଛି । ଅନ୍ୟ ଜଣଙ୍କର ପୁଅ ହୋଇଛି । ନର୍ସ ଭୁଲରେ ପୁଅ ହୋଇଛି ବୋଲି କହିଥିଲେ ।

ଏନେଇ ସେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ସୁପରିଣ୍ଟେଣ୍ଡେଣ୍ଟଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ତଦନ୍ତ କରିବ । ଦରକାର ପଡ଼ିଲେ DNA ଟେଷ୍ଟ କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତ ।