Advertisment

ବନ କର୍ମଚାରୀ କାଟିଦେଲେ ଦନ୍ତାର ଦାନ୍ତ

ଶିମିଳିପାଳ ଘଟଣା ରାଜ୍ୟରେ ସିରିଜ୍ ହାତୀ କଙ୍କାଳ ମିଳିବା ରହସ୍ୟର ସତ ପଦାକୁ ଆଣିବା ଆଶା କରାଯାଉଛି।

similipal sanctuary

similipal sanctuary

Advertisment

ବାଡ ଯଦି ଫସଲ ଖାଏ କହିବା କାହାକୁ। ରାଜ୍ୟରେ ନିୟମିତ ହାତୀ କଙ୍କାଳ ମିଳୁଥିବା ବେଳେ ଶିମିଳିପାଳରୁ ଏଭଳି ଅଭିଯୋଗ ଆସିଛି, ଯାହାକୁ ଶୁଣିବା ପରେ ବନ କର୍ମଚାରୀଙ୍କ ପାଇଁ ଆପଣ ଏହା ହିଁ କହିବେ। କାରଣ ଅଭୟାରଣ୍ୟ ଭିତରେ ରହୁଥିବା ଗାଁ ଲୋକେ ଯେଉଁ ଅଭିଯୋଗ ଆଣିଛନ୍ତି, ତାହା ରାଜ୍ୟରେ ନିୟମିତ ହାତୀ କଙ୍କାଳ ମିଳିବା ପଛର ସତ ପଦାକୁ ଆଣିବ ବୋଲି ଆଶା କରାଯାଉଛି। ବନ କର୍ମଚାରୀ ଦାନ୍ତ କାଟିନେବା ପରେ ହାତୀକୁ ପୋଡି, ପାଉଁଶକୁ ପାଣିରେ ଭସାଇ ଦେଇଥିବା କହିଛନ୍ତି ସ୍ଥାନୀୟ ଲୋକେ। ତେବେ ତଦନ୍ତ ରିପୋର୍ଟ ଆସିବା ପରେ ପ୍ରକୃତ କଥା ସ୍ପଷ୍ଟ ହେବ ବୋଲି କହିଛନ୍ତି ଶିମିଳିପାଳ ଅଭୟାରଣ୍ୟ ଉପନିର୍ଦ୍ଦେଶକ।

Advertisment

ଶିମିଳିପାଳ ଅଭୟାରଣ୍ୟ ଭିତରେ ରହୁଥିବା ବକୁଆ ଓ ଅନ୍ୟ ଗାଁ ଲୋକଙ୍କ ଏଭଳି ସଂଗୀନ ଅଭିଯୋଗକୁ ନେଇ ହଇଚଇ। ଜେନାବିଲ ରେଞ୍ଜର କିଛି ବନ କର୍ମଚାରୀଙ୍କ ନାଁରେ ସିଧାସଳଖ ଅଭିଯୋଗ ଆଣିଛନ୍ତି ଗାଁ ଲୋକେ ଘଟଣାକୁ ନେଇ ଜେନାବିଲ ରେଞ୍ଜର ଭାରପ୍ରାପ୍ତ ରେଞ୍ଜର ଓ ଦୁଇ ଫରେଷ୍ଟ ଗାର୍ଡଙ୍କୁ ସସପେଣ୍ଡ କରାଯାଇଛି। ଅଭିଯୋଗର ତଦନ୍ତ ଲାଗି ୫୦ ଜଣିଆ ଟିମ୍ ଗଠନ କରାଯିବା ସହ ନଈରୁ ପାଉଁଶ ଉଦ୍ଧାର କରାଯାଇ ପରୀକ୍ଷା ଲାଗି ଓୟୁଏଟି ପଠାଯାଇଛି। ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିମିଳିପାଳ ଅଭୟାରଣ୍ୟ ଉପନିର୍ଦ୍ଦେଶକ କହିଛନ୍ତି।

ଶିମିଳିପାଳ ଘଟଣା ରାଜ୍ୟରେ ସିରିଜ୍ ହାତୀ କଙ୍କାଳ ମିଳିବା ରହସ୍ୟର ସତ ପଦାକୁ ଆଣିବା ଆଶା କରାଯାଉଛି। କାରଣ କିଛି ମାସ ମଧ୍ୟରେ ଆଠଗଡ଼ ବନଖଣ୍ଡରେ ମାଟି ତଳୁ ୪ଟି ହାତୀଙ୍କ କଙ୍କାଳ ଉଦ୍ଧାର ହୋଇଥିଲା। ତେବେ ନରସିଂହପୁର ପୂର୍ବ ରେଞ୍ଜରେ ଗୁଳିବିଦ୍ଧ ଦନ୍ତାର ମୃତ୍ୟୁ ପରେ ବନ ବିଭାଗ କର୍ମଚାରୀଙ୍କ ଉପରେ ସନ୍ଦେହ ଘନୀଭୂତ କରିଥିଲା। ବନ କର୍ମଚାରୀଙ୍କ ସହଯୋଗରେ ଶିକାରୀ ଦାନ୍ତ ଲାଗି ହାତୀଙ୍କୁ ହତ୍ୟା କରୁଥିବା ସନ୍ଦେହ କରାଯାଉଥିଲା ମାତ୍ର ଶିମିଳିପାଳ ଘଟଣା ପୁରା ଚିତ୍ରକୁ ବଦଳାଇ ଦେଇଛି ସମସ୍ତ ଘଟଣାରେ ବନ କର୍ମଚାରୀ ସିଧାସଳଖ ସଂପୃକ୍ତ ନୁହନ୍ତି ତ? ରକ୍ଷକ ଭକ୍ଷକ ସାଜି ହାତୀ ବଂଶ ବୁଡାଇପାରେ ଲାଗି ନାହାନ୍ତି ତ? ଅଭୟାରଣ୍ୟ ସୁରକ୍ଷିତ ସ୍ଥାନ ହୋଇଥିବାରୁ ଶିକାରୀ ହାତୀ ଶିକାର କରିବା ସମ୍ଭାବନା କମ୍ ବୋଲି ମତ ଦେଇଛନ୍ତି ବନପ୍ରାଣୀ ବିଶେଷଜ୍ଞ।

Advertisment

ନିକଟରେ ସରକାର ବିଧାନସଭାରେ ରଖିଥିବା ତଥ୍ୟ ଅନୁସାରେ ଗତ ୧୦ ବର୍ଷରେ ରାଜ୍ୟରେ ୭୮୪ ହାତୀଙ୍କର ମୃତ୍ୟୁ ହୋଇଛି। ତେବେ ୨୦୧୯-୨୦୨୨, ୩ ବର୍ଷରେ ୨ହଜାର ୪୫ଟି ହାତୀଙ୍କ ଜୀବନ ଗଲାଣି। ଏଥିମଧ୍ୟରୁ ୬ଟି ହାତୀକୁ ଶିକାର କରାଯାଇଥିବା ସରକାର ସ୍ୱୀକାର କରିଛନ୍ତି। ହାତୀ ମୃତ୍ୟୁ ମାମଲାର ତ୍ୱରିତ୍ ବିଚାର କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଲେ ହିଁ ହାତୀ ଶିକାରୀ ରୋକାଯାଇ ପାରିବ ବୋଲି କହିଛନ୍ତି ବିଶେଷଜ୍ଞ।

(ବାରିପଦାରୁ ମାନିକ୍ ଲାଲ୍ ପାଣି, ନିଳଗିରିରୁ ବିଶ୍ୱମ୍ବର ଦାସଙ୍କ ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ) 

Advertisment
Similipal Sanctuary
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ