ଏବେବି ରହସ୍ୟ ଘେରରେ ସମ୍ବଲପୁର ସୁନାପାଲି ଅଞ୍ଚଳରେ ବନ୍ଦ ଘରୁ ୩ଟି ମୃତଦେହ ଉଦ୍ଧାର ଘଟଣା। ସାଜିୟା ପରୱିନ୍, ତାଙ୍କର ୮ ବର୍ଷୀୟ ପୁଅ ଅବଦୁଲ ରେହମାନ ଏବଂ ୬ ବର୍ଷୀୟା ଝିଅ ହୁମେରା ତାୟିବାଙ୍କ ମୃତ୍ୟୁ କେମିତି ହେଲେ ସେ ସମ୍ପର୍କରେ ଜଣାପଡ଼ିନି। ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ପାରିପାର୍ଶ୍ୱିକ ସ୍ଥିତି ଯାଞ୍ଚ କରିବା ସହ ନମୁନା ସଂଗ୍ରହ କରାଯାଇଛି।
ଗତ ୩ /୪ ଦିନ ହେଲାଣି ବନ୍ଦ ଘରେ ୩ ଜଣଙ୍କ ମୃତଦେହ ପଡ଼ି ରହିଥିଲା। ଗତକାଲି ଦୁର୍ଗନ୍ଧ ବାହାରିବା ପରେ ଲୋକେ ଜାଣିପାରି ପୋଲିସକୁ ଖବର ଦେଇଥିଲେ। ଏହାପରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଘରର ତାଲା ଭଙ୍ଗା ଯାଇଥିଲା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ସେନେଇ ସ୍ପଷ୍ଟ ହୋଇନଥିଲେ ବି ପାରିପାର୍ଶ୍ୱିକ ସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ପୋଲିସ ଆଶଙ୍କା କରାଯାଉଛି।
ସୂଚନାଥାଉ କି, ମୃତ ମହିଳାଙ୍କ ସ୍ୱାମୀ ଗତ ୨ ବର୍ଷ ତଳେ ପ୍ରାଣ ହରାଇଛନ୍ତି। ସମ୍ପୃକ୍ତ ମହିଳାଙ୍କ ଘରକୁ ଯିବା ଆସିବା କରୁଥିବା ଜଣେ ଯୁବକଙ୍କ ଏଯାଏ ପତ୍ତା ମିଳୁନଥିବାରୁ ଏହି ଘଟଣା ପଛରେ ତାଙ୍କର ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି।