ମହାମାରୀ କରୋନାର ଲମ୍ବଡିଆଁ; ମାସ ଶେଷ ସୁଦ୍ଧା ରାଜ୍ୟରେ ପିକ୍‌ ଛୁଇଁବ ସଂକ୍ରମଣ

ରାଜ୍ୟରେ ୨୪ ଘଣ୍ଟାରେ ୩୪୬ ନୂଆ ଆକ୍ରାନ୍ତ ଚିହ୍ନଟ । କେବଳ ଖୋର୍ଦ୍ଧା ଓ କଟକରୁ ଦୈନିକ ସଂକ୍ରମଣର ୭୦% ଚିହ୍ନଟ ।

Covid 19

ରାଜ୍ୟରେ ଆଜି ଲମ୍ବଡିଆଁ ମାରିଛି ମହାମାରୀ କରୋନା । ଗତକାଲି ଦୈନିକ ସଂକ୍ରମଣ ୨୩୧ ଥିବା ବେଳେ ଆଜି ଏହା ୩୪୬ରେ ପହଞ୍ଚିଛି । ତେବେ ଦୈନିକ ସଂକ୍ରମଣର ୭୦ ଭାଗ କେବଳ ଖୋର୍ଦ୍ଧା ଓ କଟକରୁ ଚିହ୍ନଟ ହୋଇଥିବାରୁ ତତ୍ପର ହୋଇଛନ୍ତି ସରକାର । ଉଭୟ ବିଏମ୍ସି ଓ ସିଏମ୍ସିରେ ଟେଷ୍ଟିଂ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି ।

ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସବୁ ସରକାରୀ ହସ୍ପିଟାଲରେ ସ୍ୱତନ୍ତ୍ର କୋଭିଡ୍ ୟୁନିଟ୍ ପ୍ରସ୍ତୁତ ରଖିଛନ୍ତି ସରକାର । ଏପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ, ୨ ସପ୍ତାହ ଭିତରେ ରାଜ୍ୟରେ ପିକ୍ ଛୁଇଁବ ସଂକ୍ରମଣ । ଏଣୁ ଲୋକମାନେ କୋଭିଡ୍ ନିୟମକୁ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

କୋଭିଡ୍ ସଂକ୍ରମଣ ବୃଦ୍ଧି ଯୋଗୁଁ ବିଏମ୍ସି ଓ ସିଏମସିରେ ମାସ୍କ ବାଧ୍ୟତାମୂଳକ ହୋଇଥିବା ସତ୍ତ୍ୱେ କେତେ ସଚେତନ ରହିଛନ୍ତି ଲୋକମାନେ । ଭୁବନେଶ୍ୱରର ୟୁନିଟ୍-୨ ମାର୍କେଟ୍ ବିଲଡିଂ ଓ କଟକ ବାଦାମବାଡି ଭଳି ଜନଗହଳି ସ୍ଥାନରେ ବିନା ମାସ୍କରେ ବିନ୍ଦାସରେ ବୁଲୁଛନ୍ତି ଲୋକମାନେ । କାହାରି ଖାତିର୍ ନାହିଁ, ଡର ବି ନାହିଁ । କିନ୍ତୁ ଗତ ୨୪ ଘଣ୍ଟାରେ ୫୦ ପ୍ରତିଶତ ବଢ଼ିଯାଇଛି ରାଜ୍ୟରେ ଦୈନିକ ସଂକ୍ରମଣ । ମୋଟ ଚିହ୍ନଟ ହୋଇଛନ୍ତି ୩୪୬ ନୂଆ କରୋନା ସଂକ୍ରମିତ । ଆଉ ଚିହ୍ନଟ ଏହି ନୂଆ କୋଭିଡ୍ ରୋଗୀଙ୍କ ମଧ୍ୟରୁ ୭୦ ଭାଗ କେବଳ ଖୋର୍ଦ୍ଧା ଓ କଟକ ଜିଲ୍ଲାର ।

 

ଖୋର୍ଦ୍ଧାରୁ ସର୍ବାଧିକ ୧୮୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ଚିହ୍ନଟ ହୋଇଛନ୍ତି ୫୧ ଜଣ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଦେଶରେ ତଥା ରାଜ୍ୟରେ ଚତୁର୍ଥ ଲହର ଆସିସାରିଛି । ଆଗାମୀ ଦୁଇ ସପ୍ତାହ ପରେ ସଂକ୍ରମଣ ପିକ୍ ଛୁଇଁ ମାସ ଶେଷ ବେଳକୁ ଧୀରେ ଧୀରେ କମିବା ଆରମ୍ଭ କରିବ । ତେଣୁ ଏବେ ହିଁ ଲୋକମାନଙ୍କୁ ସତର୍କ ରହିବାକୁ ପଡ଼ିବ । ମାସ୍କ ପିନ୍ଧିବା ସହ ଭିଡ଼ ସ୍ଥାନକୁ ଏଡ଼ାଇବା ଉଚିତ୍ । କିନ୍ତୁ ପ୍ରତି ଲହରରେ ହଟ୍‌ସ୍ପଟ୍‌ ପାଲଟୁଥିବା ରାଜଧାନୀ ଭୁବନେଶ୍ୱରରେ ସଂକ୍ରମଣ କମାଇବା ଲାଗି ସରକାର କଠୋର ରଣନୀତି ଆପଣେଇବା ଉଚିତ । 

ସ୍ୱାସ୍ଥ୍ୟ ବିଭାଗର କହିବା କଥା, ରାଜ୍ୟରେ ୧୦-୧୫ ଦିନ ହେବ ସଂକ୍ରମଣ ବଢ଼ିବାରେ ଲାଗିଛି । କିନ୍ତୁ ରୋଗୀ ଗୁରୁତର ହେଉନାହାନ୍ତି ବା ଡାକ୍ତରଖାନାରେ ଭର୍ତ୍ତି ହେଉନାହାନ୍ତି । ଏମିତିକି ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ସଂକ୍ରମଣ ହାର କମ୍ ରହିଛି । ସେହିପରି କେହି ମୃତ୍ୟୁମୁଖରେ ମଧ୍ୟ ପଡୁନାହାଁନ୍ତି । ସଂକ୍ରମଣକୁ ରୋକିବା ଲାଗି ବିଭାଗ ପକ୍ଷରୁ ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଉଛି ।

ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଭୁବନେଶ୍ୱର ଓ କଟକ ମହାନଗର ନିଗମରେ ସଂକ୍ରମଣ ଅଧିକ ବଢ଼ୁଥିବାରୁ ଏହି ଦୁଇ ମହାନଗର ନିଗମରେ ଟେଷ୍ଟିଂ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି । ଆଜି ଏନେଇ ବିଏମ୍ସି ପକ୍ଷରୁ ୨୫ଟି କୋଭିଡ୍ ଟେଷ୍ଟିଂ ସେଣ୍ଟରର ତାଲିକା ପ୍ରକାଶ ପାଇଛି । ସବୁ ସରକାରୀ ହସ୍ପିଟାଲରେ ୨୦ ଶଯ୍ୟା ବିଶିଷ୍ଟ କୋଭିଡ୍ ୟୁନିଟ୍ ପ୍ରସ୍ତୁତ ରଖାଯାଇଛି । ଆବଶ୍ୟକ ପଡ଼ିଲେ ଘରୋଇ ହସ୍ପିଟାଲରେ ମଧ୍ୟ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲାଯିବ ବୋଲି ରାଜ୍ୟ ସରକାର କହିଛନ୍ତି । 

କିନ୍ତୁ କୋଭିଡ୍‌କୁ ରୋକିବାକୁ ହେଲେ, ଲୋକମାନେ କୋଭିଡ୍ ନିୟମ ପାଳନ କରନ୍ତୁ, ଯେଉଁମାନେ ଟିକା ନେଇନାହାନ୍ତି, ତୁରନ୍ତ ଟିକା ନିଅନ୍ତୁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬ ହଜାର ୧୦୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୩୧ ଜଣଙ୍କ ଜୀବନ ନେଇଛି ମହାମାରୀ । ଏଥିସହ ଦେଶରେ ମୋଟ ସକ୍ରିୟ ମାମଲା ୧ ଲକ୍ଷ ୧୧ ହଜାର ୭୧୧ରେ ପହଞ୍ଚିଛି ।