ଓମିକ୍ରନ ଆକ୍ରାନ୍ତଙ୍କୁ ଜାଲ RTPCR ରିପୋର୍ଟ ବଳରେ ଦେଶ ବାହାରକୁ ପଠାଇଦେଲେ, ୪ ଜଣଙ୍କୁ ଗିରଫ କଲା ପୋଲିସ୍

ଜଣେ ଦକ୍ଷିଣ ଆଫ୍ରିକୀୟଙ୍କୁ ଜାଲ୍ RTPCR ରିପୋର୍ଟ ଯୋଗାଇଥିଲେ ୪ ଅଭିଯୁକ୍ତ । ଆଉ ବିଦେଶୀ ଜଣକ ନିଜ ଦେଶ ଫେରିବାକୁ ନକଲି ରିପୋର୍ଟ ଦାଖଲ କରିଥିଲେ ।

ସାଙ୍କେତିକ ଚିତ୍ର

News Summary

ଜଣେ ଦକ୍ଷିଣ ଆଫ୍ରିକୀୟଙ୍କୁ ଜାଲ୍ RTPCR ରିପୋର୍ଟ ଯୋଗାଇଥିଲେ

ବିଦେଶୀ ଜଣକ ନିଜ ଦେଶ ଫେରିବାକୁ ନକଲି ରିପୋର୍ଟ ଦାଖଲ କରିଥିଲେ

ପରେ ସଂପୃକ୍ତ ବ୍ୟକ୍ତି ଜଣକ ଭାରତର ପ୍ରଥମ ଓମିକ୍ରନ ଆକ୍ରାନ୍ତ ଜଣାପଡ଼ିଥିଲେ

ବେଙ୍ଗାଲୁରୁ : ଓମିକ୍ରନ ଆକ୍ରାନ୍ତଙ୍କୁ ଜାଲ RTPCR । ଓମିକ୍ରନ ଆକ୍ରାନ୍ତଙ୍କୁ ଜାଲ RTPCR ରିପୋର୍ଟ ଯୋଗାଇ ଫେରାର କରିବାରେ ସାହାଯ୍ୟ କରିଥିବା ୪ ଅଭିଯୁକ୍ତଙ୍କୁ ସୋମବାର ଦିନ ଗିରଫ୍ କରିଛି ବେଙ୍ଗାଲୁରୁ ପୋଲିସ । ବିଦେଶୀ ଜଣକ ନିଜ ଦେଶ ଫେରିବାକୁ ନକଲି ରିପୋର୍ଟ ଦାଖଲ କରିଥିଲେ । ଆଉ ନକଲି ରିପୋର୍ଟ ବଳରେ ଦୁବାଇ ଦେଇ ଖସିଯିବାକୁ ସକ୍ଷମ ହୋଇଥିଲେ । ୬୬ ବର୍ଷ ବୟସ୍କ ଦକ୍ଷିଣ ଆଫ୍ରିକୀୟ ବ୍ୟକ୍ତିଙ୍କୁ( ଯିଏକି ଦେଶର ପ୍ରଥମ ଓମିକ୍ରନ୍ ରୋଗୀ) ନକଲି କରୋନା ନେଗେଟିଭ୍ ସାର୍ଟିଫିକେଟ୍ ମାଧ୍ୟମରେ ଦେଶ ବାହାରକୁ ଯିବାରେ ସାହାଯ୍ୟ କରିଥିଲେ ୪ ଅଭିଯୁକ୍ତ ।

ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇଜଣ ବାଙ୍ଗାଲୋରର ଏକ ଘରୋଇ ଲ୍ୟାବର କର୍ମଚାରୀ । ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ନିର୍ଦ୍ଦେଶକ ଥିବା ଏକ ଘରୋଇ କମ୍ପାନୀରେ କାମ କରୁଥିବା ଦୁଇ ଜଣ କର୍ମଚାରୀ ମଧ୍ୟ ଏହି ଅପରାଧରେ ସାମିଲ ଅଛନ୍ତି । ନକଲି ସାର୍ଟିଫିକେଟ୍ ସାହାଯ୍ୟରେ ସଂକ୍ରମିତ ଦେଶ ଛାଡି ଚାଲିଯିବା ବିଷୟରେ ସରକାର ସୂଚନା ଦେବା ପରେ ଡିସେମ୍ବର ୫ ତାରିଖରେ ପୋଲିସ ଏକ ମାମଲା ରୁଜୁ କରିଥିଲା । ଆଉ ଅଭିଯୋଗ ଆଧାରରେ ବିମାନବନ୍ଦର ରୋଡରେ ଥିବା ଲ୍ୟାବର ଦୁଇ ଜଣ କର୍ମଚାରୀଙ୍କୁ ନକଲି ରିପୋର୍ଟ ପ୍ରସ୍ତୁତ କରିବା ଅଭିଯୋଗରେ ଗିରଫ କରାଯାଇଥିଲା ।

ଅନ୍ୟପଟେ ଆଉ ଦୁଇ ଜଣଙ୍କୁ ସଂକ୍ରମିତଙ୍କୁ ଜାଲ ପ୍ରମାଣପତ୍ର ପ୍ରସ୍ତୁତ କରାଇବା ଅଭିଯୋଗରେ ଗିରଫ କରାଯାଇଛି। ବର୍ତ୍ତମାନ ଚାରି ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ୍ । ନକଲି ସାର୍ଟିଫିକେଟ୍ ତିଆରି କରିବା ପଛରେ ଏକ ବଡ଼ ରାକେଟ କାମ କରୁଛି କି ପ୍ରଶ୍ନ ଉଠୁଥିବା ବେଳେ ଯାଂଚ ପରେ ଜଣାପଡ଼ିବ ବୋଲି ଅଧିକାରୀ କହିଛନ୍ତି ।

ସଂକ୍ରମିତ ଜଣକ ୨୦ ନଭେମ୍ବରରେ ବେଙ୍ଗାଲୁରୁ ପହଞ୍ଚିଥିଲେ । ପରୀକ୍ଷା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଏକ ହୋଟଲରେ ସେ ନିଜକୁ ଆଇସୋଲେଟ୍ କରି ରଖିଥିଲେ । ଚିକିତ୍ସା ପାଇଁ ଯେତେବେଳେ ସରକାରୀ ଡାକ୍ତରମାନେ ଆସିଲେ, ତାଙ୍କ ଠାରେ କୌଣସି ଲକ୍ଷଣ ନଥିବା ଜାଣିବାକୁ ପାଇଲେ । ଏହା ପରେ ମଧ୍ୟ ସେ ଆଇସୋଲେଟ୍ ହୋଇ ରହିଥିଲେ । କିନ୍ତୁ ନଭେମ୍ବର ୨୪ରେ ସଂକ୍ରମିତ ଜଣକ ଏକ ବୋର୍ଡ ମିଟିଂକୁ ଯାଇଥିବା ପୋଲିସକୁ ସୂଚନା ମିଳିଥିଲା ।

ବିପଦପୂର୍ଣ୍ଣ ଦେଶରୁ ଆସିଥିବାରୁ ତାଙ୍କ ନମୁନା ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ନଭେମ୍ବର ୨୩ରେ ସେ ଏକ ଘରୋଇ ଲ୍ୟାବରେ ପରୀକ୍ଷା କରାଇଥିଲେ ଏବଂ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ନଭେମ୍ବର ୨୭ରେ କର୍ତ୍ତୃପକ୍ଷଙ୍କୁ ନଜଣାଇ ସେ ଦେଶ ଛାଡିଥିଲେ ।

ଦକ୍ଷିଣ ଆଫ୍ରିକୀୟ ବ୍ୟକ୍ତିଙ୍କ ଅନୁସନ୍ଧାନ ଦାୟିତ୍ୱ ଦିଆଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ୨୭ ନଭେମ୍ବରରେ ସ୍ୱାସ୍ଥ୍ୟ ବିଭାଗ ରୋଗୀଙ୍କୁ ଖୋଜିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ସେହି ରାତିରେ ତାଙ୍କୁ ଟ୍ରାକିଂ କରାଯାଇଥିଲା । ହେଲେ ସେତେବେଳକୁ ସେ ଦୁବାଇ ଅଭିମୁଖେ ଉଡ଼ାଣ ଭରିସାରିଥିଲେ । ଡିସେମ୍ବର ୨ ରେ ସ୍ୱାସ୍ଥ୍ୟ ବିଭାଗ ତାଙ୍କୁ ଦେଶର ପ୍ରଥମ ଓମିକ୍ରନ୍ ସଂକ୍ରମିତ ବୋଲି ଚିହ୍ନଟ କରିଥିଲା ।