ଟିକସ ଆଦାୟ ହୁଏନି
ରାଜନୈତିକ ଅସ୍ଥିରତା ଏବଂ ରଣନୈତିକ ଆବଶ୍ୟକତା ଓ ଜନମତ ସଂଗ୍ରହ ଆଧାରରେ ୧୯୭୫ ରେ ଭାରତ ସହିତ ସିକ୍କିମର ମିଶ୍ରଣ ହୋଇଥିଲା। ଚୋଗ୍ୟାଲଙ୍କ ବିରୋଧ ମଧ୍ୟରେ ସେନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହା ଭାରତର ସୁରକ୍ଷା ଏବଂ ଗଣତନ୍ତ୍ର ଦିଗରେ ଏକ ବଡ଼ ପଦକ୍ଷେପ ଥିଲା । ହିମାଳୟର କୋଳରେ ଥିବା ଭାରତର ଏକ ସୁନ୍ଦର ଏବଂ ଛୋଟ ରାଜ୍ୟ ସିକ୍କିମ ୫୦ ବର୍ଷ ପୂର୍ବେ ଭାରତୀୟ ଗଣରାଜ୍ୟର ୨୨ ତମ ରାଜ୍ୟ ହୋଇଗଲା। କିନ୍ତୁ ମେ ୧୬, ୧୯୭୫ ରେ ଘଟିଥିବା ଏହି ମିଶ୍ରଣ ଏତେ ସହଜ ନଥିଲା। ଏଥିରେ ରାଜନୀତି, କୂଟନୀତି ଏବଂ ସାମରିକ ଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଭାରତରେ ସିକ୍କିମର ବିଲୟ ଏକ ଲମ୍ବା ଏବଂ ଜଟିଳ ପ୍ରକ୍ରିୟା ଥିଲା, ଯେଉଁଥିରେ ସାମରିକ ରଣନୀତି ଏବଂ ଅନ୍ତର୍ଜାତୀୟ ଚାପ ଅନ୍ତର୍ଭୁକ୍ତ ଥିଲା।
ସିକ୍କିମର ଐତିହାସିକ ପୃଷ୍ଠଭୂମି
ବହୁତ ପୁରୁଣା ସିକ୍କିମର ଇତିହାସ । ଅଷ୍ଟମ ଶତାବ୍ଦୀରେ ବୌଦ୍ଧ ଭିକ୍ଷୁ ଗୁରୁ ରିନପୋଚେ ସିକ୍କିମ ଗସ୍ତ କରିଥିଲେ ଏବଂ ସେଠାରେ ବୌଦ୍ଧ ଧର୍ମର ପ୍ରଚାର କରିଥିଲେ। ୧୬୪୨ ମସିହାରେ ଫୁଙ୍ଗସୋଙ୍ଗ ନାମଗ୍ୟାଲଙ୍କୁ ସିକ୍କିମର ପ୍ରଥମ ଚୋଗ୍ୟାଲ (ରାଜା) କରାଯାଇଥିଲା, ଏହାସହ ନାମଗ୍ୟାଲ ରାଜବଂଶର ଆରମ୍ଭ ହୋଇଥିଲା । ଏହି ରାଜବଂଶ ସିକ୍କିମକୁ ୩୩୩ ବର୍ଷ ଧରି ଶାସନ କରିଥିଲା। ୧୯ତମ ଶତାବ୍ଦୀରେ ବ୍ରିଟିଶ ଶାସନ ସମୟରେ ସିକ୍କିମ, ଭାରତ ଏବଂ ଚୀନ ମଧ୍ୟରେ ଏକ ରଣନୈତିକ ଅଞ୍ଚଳ ଥିଲା। ୧୮୬୧ ମସିହାର ତୁମଲଙ୍ଗ ଚୁକ୍ତି ଅନୁଯାୟୀ ସିକ୍କିମ ଉପରେ ବ୍ରିଟିଶ ନିୟନ୍ତ୍ରଣ ବୃଦ୍ଧି ପାଇଲା, କିନ୍ତୁ ଚୋଗ୍ୟାଲ ଶାସନ ଜାରି ରହିଥିଲା।
୧୯୪୭ ମସିହାରେ ଭାରତ ସ୍ୱାଧୀନ ହେବା ପରେ ଏକ ଜନମତ ସଂଗ୍ରହରେ ଭାରତ ସହିତ ମିଶ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲା ସିକ୍କିମ । ପରବର୍ତ୍ତୀ ସମୟର ଭାରତ ଏବଂ ସିକ୍କିମ ୧୯୫୦ ମସିହାରେ ଏକ ଚୁକ୍ତି ସ୍ୱାକ୍ଷର କରିଥିଲେ, ଯାହା ଅଧୀନରେ ସିକ୍କିମ ଭାରତର ଏକ ସଂରକ୍ଷିତ ରାଜ୍ୟ ହୋଇଥିଲା। ସିକ୍କିମର ପ୍ରତିରକ୍ଷା, ବୈଦେଶିକ ନୀତି ଏବଂ ଯୋଗାଯୋଗର ଦାୟିତ୍ୱ ନେଇଥିଲା ଭାରତ, କିନ୍ତୁ ସିକ୍କିମ ଆଭ୍ୟନ୍ତରୀଣ ସ୍ୱାୟତ୍ତତା ବଜାୟ ରଖିଥିଲା।
ଭାରତ ସହିତ ମିଶ୍ରଣ ପ୍ରକ୍ରିୟା
ଅନେକ କାରଣ ଯୋଗୁଁ ସିକ୍କିମର ଭାରତ ସହିତ ମିଶ୍ରଣ ଆବଶ୍ୟକ ହୋଇପଡ଼ିଥିଲା। ୧୯୬୨ ମସିହାର ଭାରତ-ଚୀନ୍ ଯୁଦ୍ଧ ପରେ ଭାରତ ଏହାର ଉତ୍ତର-ପୂର୍ବ ସୀମାର ସୁରକ୍ଷା ପ୍ରତି ଗମ୍ଭୀରତା ଦେଖାଇଲା। ଚୀନର ଚୁମ୍ବି ଉପତ୍ୟକା ଏବଂ ସିଲିଗୁଡ଼ି କରିଡର ନିକଟରେ ସ୍ଥିତ ସିକ୍କିମ ରଣନୈତିକ ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ସିଲିଗୁଡ଼ି କରିଡର, ଯାହା 'ଚିକେନ୍ ନେକ' ନାମରେ ମଧ୍ୟ ଜଣାଶୁଣା, ଭାରତର ମୁଖ୍ୟଭୂମିକୁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସହିତ ସଂଯୋଗ କରେ। ସାମରିକ ବିଶେଷଜ୍ଞମାନେ ବିଶ୍ୱାସ କରୁଥିଲେ, ସିକ୍କିମ ଚୀନ ଅଧୀନକୁ ଚାଲିଗଲେ ସିଲିଗୁଡ଼ି କରିଡର ପ୍ରତି ବିପଦ ସୃଷ୍ଟି ହେବ । ଯଦ୍ୱାରା ଭାରତର ଉତ୍ତର-ପୂର୍ବ ଅଂଶ ବିଚ୍ଛିନ୍ନ ହେବାରେ ଅନେକ ସମ୍ଭାବନା ରହିଥିଲା ।
୧୯୭୩ ବିଦ୍ରୋହ: ୧୯୭୩ ମସିହାରେ ସିକ୍କିମର ଚୋଗ୍ୟାଲ ରାଜବଂଶ ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ ଜନସାଧାରଣ । ସିକ୍କିମର ୭୫% ଜନସଂଖ୍ୟା ନେପାଳୀ ବଂଶୋଦ୍ଭବ ଥିଲେ, ଯେଉଁମାନେ ରାଜତନ୍ତ୍ର ପ୍ରତି ଅସନ୍ତୁଷ୍ଟ ଥିଲେ ଏବଂ ଗଣତାନ୍ତ୍ରିକ ଅଧିକାର ଚାହୁଁଥିଲେ। ସିକ୍କିମ ଜାତୀୟ କଂଗ୍ରେସ ନେତା କାଜି ଲେନ୍ଦୁପ ଦୋର୍ଜି ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଏବଂ ଭାରତ ଠାରୁ ସିକ୍କିମର ସୁରକ୍ଷା ଦାବି କରିଥିଲେ। ଏହା ପରେ ଭାରତ ସିକ୍କିମରେ ନିଜର ସ୍ଥିତିକୁ ମଜବୁତ କରିବା ଆରମ୍ଭ କରିଥିଲା।
୧୯୭୪ ସମ୍ବିଧାନ ଏବଂ ଜନମତ: ୧୯୭୪ ମସିହାରେ, ସିକ୍କିମରେ ଏକ ନୂତନ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା, ଯାହା ଚୋଗ୍ୟାଲଙ୍କ କ୍ଷମତାକୁ ନାମମାତ୍ରକୁ ହ୍ରାସ କରିଥିଲା। ସେହି ବର୍ଷ ନିର୍ବାଚନରେ ବିଜୟୀ ହୋଇଥିଲା ସିକ୍କିମ ଜାତୀୟ କଂଗ୍ରେସ । ୧୪ ଏପ୍ରିଲ ୧୯୭୫ରେ ସିକ୍କିମରେ ଏକ ଐତିହାସିକ ଜନମତ ସଂଗ୍ରହ କରାଯାଇଥିଲା, ଯେଉଁଥିରେ ୯୭.୫୫% ଭୋଟର ଭାରତ ସହିତ ମିଶ୍ରଣ ସପକ୍ଷରେ ମତ ଦେଇଥିଲେ। ଏହି ଜନମତ ସଂଗ୍ରହରେ ମୋଟ ୯୭,୦୦୦ ଲୋକ ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରୁ ୬୧,୧୩୩ ଜଣ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ, ଯେଉଁଥିରେ ୫୯,୬୩୭ ଜଣ ଭାରତରେ ମିଶିବା ସପକ୍ଷରେ ଏବଂ କେବଳ ୧,୪୯୬ ଜଣ ବିପକ୍ଷରେ ଭୋଟ ଦେଇଥିଲେ।
୧୬ ମେ ୧୯୭୫: ଜନମତ ସଂଗ୍ରହର ଫଳାଫଳ ଉପରେ ଆଧାରରେ ସିକ୍କିମକୁ ଭାରତର ୨୨ତମ ରାଜ୍ୟ କରିବା ପାଇଁ ୨୩ ଏପ୍ରିଲ ୧୯୭୫ରେ ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍ ଉପସ୍ଥାପିତ ହୋଇଥିଲା ଏବଂ ୨୯୯-୧୧ ଭୋଟରେ ଗୃହୀତ ହୋଇଥିଲା। ୨୬ ଏପ୍ରିଲରେ ରାଜ୍ୟସଭାରେ ଏହି ବିଲ୍ ଗୃହୀତ ହୋଇଥିଲା ଏବଂ ୧୫ ମେ ୧୯୭୫ରେ ତତ୍କାଳୀନ ରାଷ୍ଟ୍ରପତି ଫଖରୁଦ୍ଦିନ ଅଲି ଅହମ୍ମଦଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା। ଏହା ସହିତ ସିକ୍କିମ ମେ ୧୬ ,୧୯୭୫ରେ ଆନୁଷ୍ଠାନିକ ଭାବରେ ଭାରତର ଅଂଶ ହୋଇ ନାମଗ୍ୟାଲ ରାଜବଂଶର ଶାସନ ସମାପ୍ତ ହୋଇଥିଲା।
ସିକ୍କିମରେ ସେନାର ଆବଶ୍ୟକତା କାହିଁକି ଥିଲା?
ସିକ୍କିମର ମିଶ୍ରଣରେ ଭାରତୀୟ ସେନାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ୬ ଏପ୍ରିଲ ୧୯୭୫ରେ ଭାରତୀୟ ସେନା ସିକ୍କିମର ରାଜପ୍ରାସାଦକୁ ଘେରି ଚୋଗ୍ୟାଲ ପାଲଡେନ ଥୋଣ୍ଡୁପ ନାମଗ୍ୟାଲଙ୍କୁ ଗୃହବନ୍ଦୀ କରିଥିଲା । ରାଜପ୍ରାସାଦ ନିୟୋଜିତ ୨୪୩ ଜଣ ପ୍ରହରୀଙ୍କୁ ତୁରନ୍ତ କାବୁ କରାଯାଇଥିଲା । ଏହି ସାମରିକ କାର୍ଯ୍ୟାନୁଷ୍ଠାନର ଅନେକ ଆବଶ୍ୟକ ଥିଲା, କାରଣ ଚୋଗ୍ୟାଲ ଭାରତ ସହିତ ମିଶ୍ରଣ ବିରୋଧରେ ଥିଲେ ଏବଂ ତାଙ୍କ ସରକାରରେ ଅସ୍ଥିରତା ବୃଦ୍ଧି ପାଉଥିଲା। ଏହା ବ୍ୟତୀତ ଚୀନର ସାମ୍ରାଜ୍ୟବାଦୀ ନୀତି ଏବଂ ସିକ୍କିମ ପ୍ରତି ମନୋଭାବକୁ ଦୃଷ୍ଟିରେ ରଖି ଭାରତକୁ ନିଶ୍ଚିତ କରିବାକୁ ପଡ଼ିଥିଲା, ଯେପରି ସିକ୍କିମ ରଣନୈତିକ ଭାବରେ ସୁରକ୍ଷିତ ରହିପାରିବ।
ସାମରିକ କାର୍ଯ୍ୟାନୁଷ୍ଠାନସହ ଜନମତ ସଂଗ୍ରହ ଏବଂ ମିଶ୍ରଣ ପ୍ରକ୍ରିୟାର କୌଣସି ହିଂସାତ୍ମକ ବିରୋଧ ନହେବାକୁ ପ୍ରଥମେ ପ୍ରାଥମିକତା ପ୍ରଦାନ କରାଯାଇଥିଲା । ଭାରତର ଜଇଡ ମଧ୍ୟ ଏହି ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିର୍ଦ୍ଦେଶରେ ଜଇଡ ପ୍ରତିଷ୍ଠାତା ଆର.ଏନ. କାଓ ୪ ଦିନ ମଧ୍ୟରେ ସିକ୍କିମର ମିଶ୍ରଣ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ।
ପୂର୍ବରୁ ସିକ୍କିମକୁ କିଏ ଶାସନ କରୁଥିଲେ?
ଭାରତରେ ମିଶିବା ପୂର୍ବରୁ ସିକ୍କିମରେ ନାମଗ୍ୟାଲ ରାଜବଂଶ ଶାସନ କରୁଥିଲା, ଯାହାର ରାଜାଙ୍କୁ ଚୋଗ୍ୟାଲ କୁହାଯାଉଥିଲା। ୧୬୪୨ ମସିହାରେ ଫୁଙ୍ଗସୋଙ୍ଗ ନାମଗ୍ୟାଲଙ୍କୁ ପ୍ରଥମ ଚୋଗ୍ୟାଲ କରାଯାଇଥିଲା। ୧୯୭୫ ମସିହାରେ ମିଶ୍ରଣ ସମୟରେ ଚୋଗ୍ୟାଲ ପାଲଡେନ ଥୋଣ୍ଡୁପ ନାମଗ୍ୟାଲ ସିକିମର ଶାସକ ଥିଲେ। ତାଙ୍କ ଆମେରିକୀୟ ପତ୍ନୀ ହୋପ କୁକ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ରହୁଥିଲେ , ଯିଏ ଚୋଗ୍ୟାଲଙ୍କ ଅଭ୍ୟାସରେ ବିରକ୍ତ ହୋଇ ୧୯୭୫ ମସିହାରେ ତାଙ୍କ ପିଲାମାନଙ୍କ ସହିତ ଆମେରିକା ଫେରି ଆସିଥିଲେ। ଚୋଗ୍ୟାଲଙ୍କ ଶାସନ ତିବ୍ବତୀ ମୂଳର ଥିଲା ଏବଂ ସିକ୍କିମର ସଂସ୍କୃତିରେ ବୌଦ୍ଧ ଧର୍ମର ଗଭୀର ପ୍ରଭାବ ଥିଲା।
ଆନ୍ତର୍ଜାତୀୟ ପ୍ରତିକ୍ରିୟା କ’ଣ ଥିଲା ?
ଭାରତ ସହିତ ସିକ୍କିମର ମିଶ୍ରଣକୁ ସର୍ବାଧିକ ବିରୋଧ କରିଥିଲା ଚୀନ୍ । ଚୀନ୍ ଏହାକୁ ଭାରତର ସାମ୍ରାଜ୍ୟବାଦୀ ନୀତି ବୋଲି କହିଥିଲା ଏବଂ ଆଜି ମଧ୍ୟ ସିକ୍କିମର ସୀମାକୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ରହିଛି। ନେପାଳରେ ମଧ୍ୟ କିଛି ବିରୋଧ ଥିଲା, କାରଣ ସିକ୍କିମର ଜନସଂଖ୍ୟାର ୭୫% ନେପାଳୀ ବଂଶୋଦ୍ଭବ ଥିଲେ, କିନ୍ତୁ ସେଠାକାର ସରକାର ଏହାକୁ ବିଶେଷ ଧ୍ୟାନ ଦେଇ ନଥିଲେ। ଏହିପରି ଭାବରେ ଭାରତ ସହିତ ସିକ୍କିମର ମିଶ୍ରଣ ଏକ ଐତିହାସିକ ଏବଂ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା। ଏହା କେବଳ ଭାରତର ସୁରକ୍ଷା ପାଇଁ ଆବଶ୍ୟକ ନଥିଲା ବରଂ ସିକ୍କିମର ଲୋକଙ୍କ ଗଣତାନ୍ତ୍ରିକ ଦାବିର ପରିଣାମ ମଧ୍ୟ ଥିଲା।
ସିକ୍କିମରୁ ଟିକସ ଆଦାୟ କରନ୍ତି ନାହିଁ ସରକାର
ସିକ୍କିମ ଦେଶର ଏକମାତ୍ର ରାଜ୍ୟ, ଯେଉଁଠାରେ କୌଣସି ବ୍ୟକ୍ତିଙ୍କୁ ଟିକସ ଦେବାକୁ ପଡ଼େ ନାହିଁ। ଏଥିପାଇଁ ଏକ ଆଇନ ଏବଂ ସର୍ତ୍ତାବଳୀ ଅଛି। ଭାରତୀୟ ଆୟକର ଆଇନର ଧାରା ୧୦ (26AAA) ଅନୁସାରେ ଉତ୍ତର-ପୂର୍ବ ରାଜ୍ୟ ସିକ୍କିମକୁ ଟିକସ ଦେବାରୁ ମୁକ୍ତ କରାଯାଇଛି।
ସିକ୍କିମ ୩୩୦ ବର୍ଷରୁ ଅଧିକ ସମୟ ପାଇଁ ଏକ ଗଡ଼ଜାତ ରାଜ୍ୟ ଥିଲା, କିନ୍ତୁ ଏହା ୧୯୭୫ ମସିହାରେ ଭାରତ ସହିତ ମିଶ୍ରଣ ହୋଇଥିଲା। ମିଶ୍ରଣର ସର୍ତ୍ତ ଥିଲା,ଭାରତରେ ଯୋଗଦାନ କରିବା ପରେ ମଧ୍ୟ ଏଠାରେ ପୁରୁଣା ଟିକସ ବ୍ୟବସ୍ଥା ବଜାୟ ରହିବ। ନିୟମ ଅନୁଯାୟୀ, ଏଠାରେ ସରକାରୀ ବାସିନ୍ଦାଙ୍କୁ ସେମାନଙ୍କର ଆୟ ଯାହା ହେଉନା କାହିଁକି କେନ୍ଦ୍ରକୁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ।
ଆୟକର ଆଇନର ଧାରା 10 (26AAA) ଅନୁସାରେ, ଏଠାରେ ବାସିନ୍ଦାଙ୍କ କୌଣସି ଉତ୍ସରୁ ଆୟ କିମ୍ବା ସୁଧ ଉପରେ କୌଣସି ପ୍ରକାରର କୌଣସି ଟିକସ ଲାଗୁ ହେବ ନାହିଁ। ୨୬ ଏପ୍ରିଲ ୧୯୭୫ ପର୍ଯ୍ୟନ୍ତ ସିକ୍କିମ ରାଜ୍ୟର ନାଗରିକ ଥିବା ବ୍ୟକ୍ତିଙ୍କୁ ଟିକସ ଦେବାରୁ ମୁକ୍ତ କରାଯିବ। ଭାରତୀୟ ସମ୍ବିଧାନର ଧାରା ୩୭୧(F)) ଅନୁଯାୟୀ ସିକ୍କିମର ସ୍ୱତନ୍ତ୍ର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ମାନ୍ୟତା ଦିଆଯାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତୀୟ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ ପାଇଁ ସିକ୍କିମର ନାଗରିକମାନଙ୍କୁ ପାନ୍ କାର୍ଡ ପ୍ରଦାନ କରିବା ଆବଶ୍ୟକ ନୁହେଁ।
କେତେବେଳେ କୌଣସି ଛାଡ଼ ମିଳିବ ନାହିଁ ?
ନିୟମରେ ଅନୁସାରେ ଏଠାକାର କୌଣସି ରାଜ୍ୟ ବାହାରେ ସମ୍ପତ୍ତିରୁ ରୋଜଗାର କରୁଥିଲେ, ତାଙ୍କୁ ଆୟ ଉପରେ ଟିକସ ଛାଡ଼ ମିଳିବ ନାହିଁ। ଏହି ନିୟମ ସିକ୍କିମର ସେହି ମହିଳାମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ ନାହିଁ ଯେଉଁମାନେ ୧ ଏପ୍ରିଲ ୨୦୦୮ ପରେ ବିଦେଶୀ ରାଜ୍ୟର ବାସିନ୍ଦାଙ୍କୁ ବିବାହ କରନ୍ତି । ଅର୍ଥାତ୍ ସେମାନଙ୍କୁ ଏହି ସୁବିଧା ମିଳିବ ନାହିଁ । ଯଦିଓ ଏହି ମାମଲାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା, କିନ୍ତୁ ସୁପ୍ରିମକୋର୍ଟ ୨୦୦୮ରେ ପୁରୁଣା ନିୟମକୁ ବଜାୟ ରଖିବା ସପକ୍ଷରେ ରାୟ ଶୁଣାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748605331.jpg)