ଫେବୃଆରୀ ପହିଲାରେ ସାଧାରଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୫-୨୬ ବଜେଟରେ କେନ୍ଦ୍ର ସରକାର ଦେଶର ଗରିବ, ଚାଷୀ, ମହିଳା ଓ ଯୁବିପିଢ଼ିଙ୍କୁ ପ୍ରାଧାନ୍ୟ ଦେଇଥିବା କୁହାଯାଉଛି । ଚଳିତ ବଜେଟରେ ନୂତନ ଟିକସ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ବଜେଟରେ ୨୦୪୭ ସୁଦ୍ଧା ବିକଶିତ ଭାରତ ଲାଗି ମୂଳଦୁଆ ପଡ଼ିବ । ସଡ଼କ, ଜଳ ଯୋଗାଣ ଓ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ। ବଜେଟ ୨୦୨୫ରେ ମଧ୍ୟବିତ୍ତ ଲୋକଙ୍କୁ ଆରାମ ଦେବା ସହ ଏହା ଭାରତୀୟ ଅର୍ଥନୀତିକୁ ପ୍ରେରଣା ଯୋଗାଇବ। ଟିକସ ଛାଡ଼ ଏବଂ ସ୍ଲାବରେ ପରିବର୍ତ୍ତନ ହେତୁ ଲୋକଙ୍କ ହାତରେ ଅଧିକ ଟଙ୍କା ରହିବ, ଯାହା ସେମାନେ ଖର୍ଚ୍ଚ କରିପାରିବେ। ଏହା ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧି ଘଟାଇବ ବୋଲି ଆଶା କରାଯାଉଛି।
ପ୍ରତିବର୍ଷ ଦେଶର ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ କରନ୍ତି । ତେବେ ବଜେଟ ସମ୍ପର୍କରେ ଅନେକ ରୋଚକ ତଥ୍ୟ ରହିଛି, ଯାହା ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ । ଯେପରିକି ପୂର୍ବରୁ ଫେବୃଆରୀ ମାସର ଶେଷ ଦିନରେ ଅପରାହ୍ନ ୫ଟାରେ ବଜେଟ୍ ଉପସ୍ଥାପନ ହେଉଥିଲା । ଭାରତରେ ଯେତେବେଳେ ବ୍ରିଟିଶ ଶାସନ ଚାଲିଥିଲା ସେତେବେଳେ ଏହି ଧାରା ଚାଲିଥିଲା, ସେହି ସମୟରେ ଲଣ୍ଡନ ଏବଂ ଭାରତରେ ଏକ ସମୟରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଉଥିଲା। ଭାରତ ଓ ବ୍ରିଟିଶ ସମୟ ମଧ୍ୟରେ ୫ ଘଣ୍ଟା ୩୦ ମିନିଟର ଅନ୍ତର ରହୁଛି, ତେଣୁ ଭାରତରେ ଅପରାହ୍ନ ୫ ଟାରେ ବଜେଟ୍ ଉପସ୍ଥାପନ କରାଯାଉଥିଲା ।
କିନ୍ତୁ ୧୯୯୯ ମସିହାରେ ଏହି ପ୍ରଥା ପରିବର୍ତ୍ତିତ ହୋଇଥିଲା । ଅଟଳ ବିହାରୀ ବାଜପାୟୀ ସରକାରର ତତ୍କାଳୀନ ଅର୍ଥମନ୍ତ୍ରୀ ଯଶୱନ୍ତ ସିହ୍ନା ସକାଳ ୧୧ ଟାରେ ବଜେଟ୍ ଉପସ୍ଥାପନ କରିଥିଲେ ଏବଂ ସେହି ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ଟା ସମୟରେ ବଜେଟ୍ ଉପସ୍ଥାପିତ ହୋଇଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ବର୍ତ୍ତମାନର ଅର୍ଥମନ୍ତ୍ରୀ ସୀତାରମଣ ଦୀର୍ଘତମ ବଜେଟ୍ ଭାଷଣ ଦେଇ ରେକର୍ଡ କରିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ଅର୍ଥମନ୍ତ୍ରୀଙ୍କ ସମ୍ପର୍କରେ, ଯେଉଁମାନେ ସର୍ବାଧିକ ଥର ବଜେଟ୍ ଉପସ୍ଥାପନ କରି ରେକର୍ଡ କରିଛନ୍ତି ।
ମୋରାରଜୀ ଦେଶାଇ (୧୯୫୯-୧୯୬୩, ୧୯୬୭-୬୯)
ଅର୍ଥମନ୍ତ୍ରୀ ଭାବରେ ସର୍ବାଧିକ ଥର ବଜେଟ ଉପସ୍ଥାପନ କରିଛନ୍ତି ମୋରାରଜୀ ଦେଶାଇ । ସର୍ବାଧିକ ଥର ବଜେଟ୍ ଉପସ୍ଥାପନ କରିବାର ରେକର୍ଡ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ନାମରେ ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସରକାର ସମୟରେ ସେ ଅର୍ଥମନ୍ତ୍ରୀ ଭାବେ ମୋଟ ୧୦ ଥର ବଜେଟ୍ ଉପସ୍ଥାପନ କରିଥିଲେ। ୧୯୫୯ ଫେବୃଆରୀ ୨୮ରେ ମୋରାରଜୀ ଦେଶାଇ ତାଙ୍କର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ, ଏହାପରେ ଲଗାତାର ୨ ଥର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଥିଲେ । ୧୯୬୨ ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ, ତା’ପରେ ଆଉ ଦୁଇଟି ପୂର୍ଣ୍ଣାଙ୍ଗ ବଜେଟ୍ କରିଥିଲେ । ଏହାପରେ ୧୯୬୭ରେ କାମଚଳା ବଜେଟ, ସେହି ବର୍ଷ ପୂର୍ଣ୍ଣାଙ୍ଗ ବଜେଟ ଓ ୧୯୬୮ ଏବଂ ୧୯୬୯ ରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରି ମୋଟ ୧୦ଥର କେନ୍ଦ୍ରୀୟ ବଜେଟ୍ ସଂସଦରେ ଉପସ୍ଥାପନ କରିଥିଲେ ।
ପି ଚିଦାମ୍ବରମ( ୧୯୯୬-୧୯୯୮, ୨୦୦୪-୨୦୦୮,୨୦୧୩-୨୦୧୪)
ଏହି ପ୍ରସଙ୍ଗରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ୯ ଥର ବଜେଟ୍ ଉପସ୍ଥାପନ କରିଥିଲେ । ପ୍ରଥମ ଥର ପାଇଁ ୧୯ ମାର୍ଚ୍ଚ ୧୯୯୬ ରେ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡ଼ାଙ୍କ ନେତୃତ୍ୱରେ ସଂଯୁକ୍ତ ମୋର୍ଚ୍ଚା ସରକାରରେ ବଜେଟ୍ ଉପସ୍ଥାପନ କରିଥିଲେ। ପରବର୍ତ୍ତୀ ବର୍ଷ ସେ ସମାନ ସରକାର ଅଧୀନରେ ଆଉ ଏକ ବଜେଟ୍ ଉପସ୍ଥାପନ କରିଥିଲେ ଏବଂ ୨୦୧୪ ରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ କ୍ଷମତାକୁ ଆସିବା ପରେ ସେ ଏହି ପଦବୀରେ ରହିଥିଲେ । ୨୦୦୪ ରୁ ୨୦୦୮ ମଧ୍ୟରେ ସେ ପାଞ୍ଚଟି ବଜେଟ୍ ଉପସ୍ଥାପନ କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରିବା ପରେ ସେ ଅର୍ଥ ମନ୍ତ୍ରଣାଳୟକୁ ଫେରି ୨୦୧୩ ଏବଂ ୨୦୧୪ ରେ ବଜେଟ୍ ଉପସ୍ଥାପନ କରିଥିଲେ ।
ପ୍ରଣବ ମୁଖାର୍ଜୀ (୧୯୮୨–୧୯୮୪, ୨୦୦୯–୨୦୧୨)
ସର୍ବାଧିକ ଥର ବଜେଟ ଉପସ୍ଥାପନ କରିବାରେ ତୃତୀୟ ସ୍ଥାନରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ଭେଟେରାନ ଭାରତୀୟ ରାଜନେତା ପ୍ରଣବ ମୁଖାର୍ଜୀ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଅର୍ଥମନ୍ତ୍ରୀ ଭାବରେ ୮ ଥର ବଜେଟ ଉପସ୍ଥାପନ କରିଛନ୍ତି । ୧୯୮୨ରୁ ୧୯୮୪ ପ ର୍ଯ୍ୟନ୍ତ ସେ ଅର୍ଥମନ୍ତ୍ରୀ ଥିଲେ ।ତାଙ୍କ ପ୍ରସ୍ତାବିତ ଅର୍ଥନୀତି ଯୋଗୁଁ ଇନ୍ଦିରା ସରକାର ଆନ୍ତର୍ଜାତିକ ମୁଦ୍ରାପାଣ୍ଠି(ଆ.ଏମ.ଏଫ୍.)କୁ ଦେଶର ପ୍ରଥମ ଋଣ ପୈଠର ଅନ୍ତିମ କିସ୍ତି କରିବାରେ ସଫଳ ହେଇଥିଲା । ଏହି ସମୟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଭାବେ ଡଃ ମନମୋହନ ସିଂହଙ୍କ ନିଯୁକ୍ତି ପତ୍ରରେ ପ୍ରଣବ ଅର୍ଥମନ୍ତ୍ରୀ ଭାବେ ଦସ୍ତଖତ କରିଥିଲେ । ତା’ପରେ ୨୦୦୯-୨୦୧୨ ଯାଏ ପୁଣି ଅର୍ଥମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ଭାରତର ଆର୍ଥନୀତିରେ ତାଙ୍କର ଅବଦାନ ୧୯୮୦ ଦଶକରୁ ଆରମ୍ଭ କରି ୧୯୮୦ ଦଶକରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରରେ କାର୍ଯ୍ୟକାଳ ପର୍ଯ୍ୟନ୍ତ ରହିଥିଲା ।
ଯଶୱନ୍ତ ସିହ୍ନା (୧୯୯୮–୨୦୦୨)
ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଯଶୱନ୍ତ ସିହ୍ନା । ୭ ଥର ବଜେଟ ଉପସ୍ଥାପନ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ଯଶୋବନ୍ତ ସିହ୍ନା । ଅଟଳ ବିହାରୀ ବାଜପେୟୀ ରାଷ୍ଟ୍ରପତି ଥିବା ସମୟରେ ଯଶଓ୍ବନ୍ତ ସିହ୍ନା ୧୯୯୮ରୁ ୨୦୦୨ ମଧ୍ୟରେ ସାତ ଥର ବଜେଟ ଉପସ୍ଥାପନ କରିଥିଲେ।
ସି.ଡି ଦେଶମୁଖ (୧୯୫୧-୧୯୫୬):
ଭାରତୀୟ ପ୍ରଶାସନିକ ସେବାJL ଯୋଗ ଦେବା ସହ ନିଜ କ୍ୟାରିୟର ଆରମ୍ଭ କରିଥିଲେ ସି.ଡି ଦେଶମୁଖ। ୧୯୪୩ରେ ସେ ଆରବିଆଇର ପ୍ରଥମ ଭାରତୀୟ ଗଭର୍ଣ୍ଣର ହୋଇଥିଲା । ପ୍ରଥମ ଭାରତୀୟ ଆରବିଆଇ ଗଭର୍ଣ୍ଣର ଭାବରେ ସେ ୭ ଟି ବଜେଟ୍ ଉପସ୍ଥାପନ କରିଥିଲେ। ଜାତୀୟ ବିକାଶ ପାଇଁ ସେ ସ୍ୱାଧୀନତା ପରବର୍ତ୍ତୀ ଅର୍ଥନୈତିକ ନୀତି ଗଠନ ପାଇଁ କାର୍ଯ୍ୟ କରିଥିଲେ।
ନିର୍ମଳା ସୀତାରମଣ (୨୦୧୯-୨୦୨୪):
୨୦୧୯ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟ ପାଳିରେ ଅର୍ଥମନ୍ତ୍ରୀ ଦାୟିତ୍ବ ପାଇଥିଲେ ନିର୍ମଳା ସୀତାରମଣ । ସେହି ବର୍ଷ ଠାରୁ ଲଗାତାର ୭ ଟି ବଜେଟ୍ ଉପସ୍ଥାପନ କରିବା ସେ ରେକର୍ଡ ସୃଷ୍ଟି କରିଛନ୍ତି। ଚଳିତ ବର୍ଷ ସେ କ୍ରମାଗତ ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ। ଏଥର ଅଷ୍ଟମ ଥର ପାଇଁ ବଜେଟ ଉପସ୍ଥାପନ କରି ନୂଆ ରେକର୍ଡ କରିବାକୁ ଯାଉଛନ୍ତି ନିର୍ମଳା ସୀତାରମଣ ।