ଖୁବଶୀଘ୍ର ବନ୍ଦ ହୋଇଯିବ ଏହି ବିମାନର ଟିକେଟ ବୁକିଂ, ଏୟାର ଇଣ୍ଡିଆ ସହ ହେବ ମିଶ୍ରଣ

ସେପ୍ଟେମ୍ବର ୩ ପରେ ଯାତ୍ରୀମାନେ ଭିସ୍ତାରାରେ ଟିକେଟ ବୁକିଂ କରିପାରିବେ ନାହିଁ । ଏୟାର ଇଣ୍ଡିଆ ସହିତ ଭିସ୍ତାରା ଏୟାରଲାଇନ୍ସର ବିଲୟ ପ୍ରକ୍ରିୟା ଆରମ୍ଭ ହେବାପରେ କମ୍ପାନୀର ନିଷ୍ପତ୍ତି ।

Vistara Airlines

ଦେଶର ବିମାନ ଚଳାଚଳ ବିଭାଗରେ ଆଜିକାଲି ବଡ଼ ହଲଚଲ ଦେଖିବାକୁ ମିଳୁଛି । ଏକଦା ଆକାଶରେ ରାଜ୍ କରୁଥିବା ସ୍ପାଇସଜେଟକୁ ଉଡ଼ାଣ ଅନୁମତି ମିଳିଛି କି ନାହିଁ ଏପଟେ ଭିସ୍ତାରା ବିମାନର ଟିକେଟ ବୁକିଂ ଉପରେ ରୋକ୍ ଲାଗିବାକୁ ଯାଉଛି । ବିମାନ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏହା ବଡ଼ ଝଟକା ହୋଇପାରେ । ଭିସ୍ତାରା କମ୍ପାନୀ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ, ସେପ୍ଟେମ୍ବର ୩ ପରେ ଯାତ୍ରୀମାନେ ଭିସ୍ତାରାରେ ଟିକେଟ ବୁକିଂ କରିପାରିବେ ନାହିଁ । କମ୍ପାନୀର ଏହି ନିଷ୍ପତ୍ତି ପରେ ଯାତ୍ରୀଙ୍କ ଉପର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । 

ଏୟାର ଇଣ୍ଡିଆ ସହିତ ଭିସ୍ତାରା ଏୟାରଲାଇନ୍ସର ବିଲୟ ପ୍ରକ୍ରିୟା ଆରମ୍ଭ ହେବାପରେ କମ୍ପାନୀ ଏହି ନିଷ୍ପତ୍ତି ନେଇଛି । ଭିସ୍ତାରାର ସିଇଓ ବିନୋଦ କନ୍ନନ ଶୁକ୍ରବାର କହିଛନ୍ତି ଯେ, ୨୦୨୪ ସେପ୍ଟେମ୍ବର ୩ ପରେ ଯାତ୍ରୀମାନେ ଆଉ ଭିସ୍ତାରା ଫ୍ଲାଇଟ୍ ବୁକିଂ କରିପାରିବେ ନାହିଁ । ଏହାବ୍ୟତୀତ ଭିସ୍ତାରାର ସମସ୍ତ ସେବା ଏବେ ଏୟାର ଇଣ୍ଡିଆର ୱେବସାଇଟରେ ମିଳିବ ଓ ଯାତ୍ରୀଙ୍କୁ ସମସ୍ତ ଅପଡେଟ୍ ଉପଲବ୍ଧ ହେବ । ଏଥିସହ ଗତ ୧୦ ବର୍ଷ ଧରି ଭିସ୍ତାରାର ସେବା ଉପରେ ଭରସା କରିଥିବା ଯାତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କମ୍ପାନୀର ସିଇଓ ।

କେବେ ଭିସ୍ତାରାର ଶେଷ ଉଡ଼ାଣ ?

ଭିସ୍ତାରା ଓ ଏୟାର ଇଣ୍ଡିଆର ମିଶ୍ରଣ ନେଇ ସମସ୍ତ ନିୟମକୁ ମଞ୍ଜୁରୀ ମିଳିସାରିଛି । ସେପ୍ଟେମ୍ବର ୩ରୁ ଦୁଇ କମ୍ପାନୀର ପରିଚାଳନା ଏୟାର ଇଣ୍ଡିଆ କରିବ । ନଭେମ୍ବର ୧୧ ରେ ଭିସ୍ତାରାର ଶେଷ ବିମାନ ଉଡ଼ାଣ ଭରିବ । ଏହାପରେ ସମସ୍ତ ଉଡ଼ାଣ ଏୟାର ଇଣ୍ଡିଆ ଅଧିନରେ ପରିଚାଳିତ ହେବ ।

ସୂଚନାଯୋଗ୍ୟ ଯେ ନିକଟରେ ଟାଟା ଗ୍ରୁପ ଏୟାର ଇଣ୍ଡିଆକୁ ସରକାରଙ୍କ ଠାରୁ କିଣିଛି । ଫଳରେ ଏବେ ଉଭୟ ଏୟାର ଇଣ୍ଡିଆ ଓ ଭିସ୍ତାରାର ପରିଚାଳନା ଟାଟା ଗ୍ରୁପ କରିବ । ଭିସ୍ତାରା ପକ୍ଷରୁ କୁହାଯାଇଛି ଯେ ସେପ୍ଟେମ୍ବର ୩ ପରେ କୌଣସି ବୁକିଂ ହେବନାହିଁ ଏବଂ ନଭେମ୍ବର ୧୨ ପରେ ଭିସ୍ତାରା ପକ୍ଷରୁ କୌଣସି ବିମାନ ଉଡ଼ାଣ ହେବନାହିଁ ।

ତେବେ ଯେଉଁ ଯାତ୍ରୀମାନେ ସେପ୍ଟେମ୍ବର ୩ ପୂର୍ବରୁ ଟିକେଟ ବୁକିଂ କରିଛନ୍ତି କିମ୍ବା କରିବେ ସେମାନଙ୍କୁ ନଭେମ୍ବର ୧୧ ପର୍ଯ୍ୟନ୍ତ ଉଡ଼ାଣ ଅନୁମତି ରହିଛି ବୋଲି କମ୍ପାନୀ ସ୍ପଷ୍ଟ କରିଛି । ଏହାପରେ ଭିସ୍ତାରା ପକ୍ଷରୁ ଆଉ କୌଣସି ବିମାନ ଉଡ଼ାଣ ଭରିବ ନାହିଁ । ଭିସ୍ତାରାର ସିଇଓଙ୍କ କହିବା ଅନୁଯାୟୀ ଏହି ମିଶ୍ରଣ ଫଳରେ ଯାତ୍ରୀଙ୍କୁ ଏୟାର ଇଣ୍ଡିଆର ବଡ଼ ନେଟୱାର୍କ ମିଳିବ । ଏହି ନୂଆ ଆରମ୍ଭ ପାଇଁ ସମସ୍ତେ ଉତ୍ସାହିତ ।

ସିଙ୍ଗାପୁର ଏୟାରଲାଇନ୍ସ ଭାରତରୁ FDI ଅନୁମତି ହାସଲ କରିବାପରେ ଦୁଇ ପ୍ରତିଷ୍ଠିତ ଏୟାରଲାଇନ୍ସ ଏୟାର ଇଣ୍ଡିଆ ଓ ଭିସ୍ତାରା ମିଶ୍ରଣ ପାଇଁ ତାରିଖ ଘୋଷଣା ହୋଇଛି । ଭିସ୍ତାରାରେ ୪୯% ପ୍ରତିଶତ ମାଲିକାନା ଅଂଶୀଦାର ରହିଛି ସିଙ୍ଗାପୁର ଏୟାରଲାଇନ୍ସର । ଏୟାର ଇଣ୍ଡିଆ ସହ ମିଶ୍ରଣ ହେବାପରେ ଆହୁରି ୨୫.୧% ପ୍ରତିଶତ ଅଂଶୀଦାର ହାସଲ କରିବ । ଏଥିପାଇଁ ୨୦୫୯ କୋଟି ଟଙ୍କା ନିବେଶ କରିଛି SIA ।