ଅନାଥ ଶିଶୁଙ୍କ ପାଇଁ ନୂଆ ଯୋଜନା ‘ଯଶୋଦା’; ଖର୍ଚ୍ଚ ହେବ ୮୩ କୋଟି...

ଅନାଥ ଶିଶୁଙ୍କ ପାଇଁ ବଜେଟରେ ନୂଆ ଯୋଜନା ହୋଇଛି ‘ଯଶୋଦା’ । ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ‘ଯଶୋଦା’ ଯୋଜନା କରାଯାଇଛି ।

Jashoda Yojana

ଓଡ଼ିଶାରେ ଅନାଥ ଶିଶୁଙ୍କ ଆସିଲା ନୂଆ ଯୋଜନା । ଅନାଥ ଶିଶୁଙ୍କ ପାଇଁ ବଜେଟରେ ନୂଆ ଯୋଜନା ହୋଇଛି ‘ଯଶୋଦା’ । ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ‘ଯଶୋଦା’  ଯୋଜନା କରାଯାଇଛି । ଯଶୋଦା ଯୋଜନା ପାଇଁ ବଜେଟରେ ୮୩ କୋଟିର ବ୍ୟୟବରାଦ କରାଯାଇଛି ।

ସେହିପରି ଓଡ଼ିଶାରେ ଚାଷୀମାନଙ୍କ ପାଇଁ ଆସିଲା ନୂଆ ଯୋଜନା ସିଏମ୍‌ କିଷାନ । ଏହି ଯୋଜନା ପାଇଁ ବଜେଟ୍‌ରେ ୧୯୩୫ କୋଟି ବ୍ୟୟବରାଦ କରାଯାଇଛି । ବଜେଟରେ ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ଯୋଜନା ମଧ୍ୟ ଘୋଷଣା କରାଯାଇଛି । ସମୃଦ୍ଧ କୃଷକ ଯୋଜନା ପାଇଁ ୫ ହଜାର କୋଟି ବ୍ୟୟବରାଦ ହୋଇଛି । ସେହିପରି ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି ବ୍ୟୟବରାଦ କରାଯାଇଛି ।

ପଢନ୍ତୁ ଏହି ଖବର: BSKY ଜାଗାରେ GJAY ! ମାଗଣା ଚକ୍ଷୁ ଚିକିତ୍ସା ପାଇଁ ଦିବ୍ୟଦୃଷ୍ଟି ଯୋଜନା...

ସେପଟେ କୃଷି ପାଇଁ ପୂର୍ବ ବର୍ଷ ତୁଳନାରେ ବଜେଟ ଆକାର ବଢ଼ିଲା । ଗତବର୍ଷ କୃଷି ବଜେଟ ଥିଲା ୨୪, ୮୨୯ କୋଟି । ଚଳିତ ବର୍ଷ କୃଷି ବଜେଟ ପରିମାଣ ୩୩, ୯୧୯ କୋଟି କରିଛନ୍ତି ମୋହନ ସରକାର । ସେପଟେ ଧାନ କୁଇଣ୍ଟାଲ ପିଛା ୩୧ଶହ ଟଙ୍କାରେ କିଣାଯିବ । ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ଏଭଳି ସୂଚନା ଦେଇଛନ୍ତି। ଧାର୍ଯ୍ୟ MSPଠାରୁ ୮ଶହ ଟଙ୍କା ଅଧିକ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ସୁଭଦ୍ରା ଯୋଜନା ପାଇଁ ମଧ୍ୟ ବଜେଟରେ ୧୦ ହଜାର କୋଟିର ବ୍ୟୟବରାଦ କରାଯାଇଛି । ସୂଚନାଯୋଗ୍ୟ, ନିର୍ବାଚନ ଇସ୍ତାହାରରେ ସୁଭଦ୍ରା ଯୋଜନା ବାବଦରେ ଘୋଷଣା ହୋଇଥିଲା ।

ଆଜି ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ ପୂର୍ବରୁ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। କ୍ଷମତାକୁ ଆସିବା ପରେ ବିଜେପି ସରକାରର ଏହା ପ୍ରଥମ ବଜେଟ ହୋଇଥିବାରୁ ସାରା ରାଜ୍ୟର ନଜର ଏହି ବଜେଟ୍ ଉପରେ ରହିଥିଲା ।

ପ୍ରଥମ ବଜେଟ୍‌ରେ ଶ୍ରୀମନ୍ଦିର ପାଇଁ ୫୦୦ କୋଟିର କର୍ପସ ଫଣ୍ଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ବିନା ଓଡ଼ିଆ ଜାତିର ପରିକଳ୍ପନା କରାଯାଇପାରିବ ନାହିଁ । ଗତ ସରକାର ୨ ଲକ୍ଷ ୫୫ ହଜାର ଟଙ୍କାର ବଜେଟ୍‌ କରିଥିବା ବେଳେ ଏଥର ମୋହନ ସରକାର ୨ ଲକ୍ଷ ୬୫ ହଜାର କୋଟିର ବଜେଟ କରିଛନ୍ତି । ୨୦୨୩-୨୪ ତୁଳନାରେ ଏହି ବଜେଟର ପରିମାଣ ୧୫% ଅଧିକ ।

ଅନ୍ୟପଟେ ଓଡ଼ିଶାରେ ଆସିବ ରାଜ୍ୟ ସମବାୟ ନୀତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ମହାନଦୀ ନବୀକରଣ ପାଇଁ ବୈଷୟିକ କମିଟି ଗଠନ କରାଯିବ । ଡ୍ୟାମ ସୁରକ୍ଷା ଉନ୍ନତୀକରଣ ଯୋଜନା ପାଇଁ ୨ଶହ କୋଟି ଖର୍ଚ୍ଚ ହେବ । ସେହିଭଳି ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୭ ସୁଦ୍ଧା ରାଜ୍ୟରେ ସୃଷ୍ଟି ହେବେ ୨୫ ଲକ୍ଷ ଲକ୍ଷପତି ଦିଦି । ମହିଳା ଓ ଶିଶୁ ବିକାଶ ପାଇଁ ବଜେଟରେ ୧୭, ୯୪୨ କୋଟି ବ୍ୟୟବରାଦ କରାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।

ପଢନ୍ତୁ ଏହି ଖବର: ୨ ଲକ୍ଷ ୬୫ ହଜାର କୋଟିର ବଜେଟ ! CM କିଶାନ ପାଇଁ ଖର୍ଚ୍ଚ ହେବ ୧୯୩୫ କୋଟି