RBI mandates Rs00-200 In ATM
ଏଣିକି ଖୁଚୁରା ପାଇଁ ଆଉ ଟେନସନ ନାହିଁ । କାରଣ ଏଟିଏମରେ ଏଥର ଉପଲବ୍ଧ ହେବ ୧୦୦ ଓ ୨୦୦ ଟଙ୍କିଆ ନୋଟ୍ । ପୂର୍ବରୁ ଏଟିଏମରେ ମୁଖ୍ୟତଃ ୫୦୦ ଟଙ୍କିଆ ନୋଟ୍ ବାହାରୁଥିଲା। ଯେଉଁଥିପାଇଁ ଗ୍ରାହକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା । ଯାହାକୁ ନଜରରେ ରଖି ବଡ଼ ନିଷ୍ପତ୍ତି ନେଇଛି RBI । ଗୋଟିଏ ATM ରେ ୪ଟି କ୍ୟାସେଟରେ ନୋଟ୍ ରଖାଯାଉଥିବାବେଳେ ଅତ୍ କମ୍ରେ ଗୋଟିଏ କ୍ୟାସେଟ୍ରେ ୧୦୦-୨୦୦ ଟଙ୍କିଆ ନୋଟ୍ ରଖିବାକୁ ସମସ୍ତ ବ୍ୟାଙ୍କକୁ କଡ଼ା ନିର୍ଦ୍ଦେଶ ଦେଇଛି ରିଜର୍ଭ ବ୍ୟାଙ୍କ । ବ୍ୟାଙ୍କ ଅଧୀନରେ ଥିବା ଏଟିଏମ ସହ ଘରୋଇ ସଂସ୍ଥା ପରିଚାଳନା କରୁଥିବା ହ୍ୱାଇଟ୍ ଏଟିଏମ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ ।
୩୦ ସେପ୍ଟେମ୍ବର ଭିତରେ ୭୫ ପ୍ରତିଶତ ଏଟିଏମରେ ଓ ଆସନ୍ତା ବର୍ଷ ୩୧ ମାର୍ଚ୍ଚ ସୁଧା ୯୦ ପ୍ରତିଶତ ଏଟିଏମରେ ୧୦୦ ଓ ୨୦୦ ଟଙ୍କିଆ ନୋଟ୍ ରଖିବା ପାଇଁ ଆରବିଆଇ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ତେବେ ବଡ଼ କଥା ହେଉଛି, ଏଥିପାଇଁ ଏଟିଏମ ମେସିନ ଗୁଡ଼ିକ ପ୍ରସ୍ତୁତ କରାଯିବ । କାରଣ କେବଳ ୫୦୦ ଟଙ୍କିଆ ରହୁଥିବା ATMର ଡିଜାଇନ ଭିନ୍ନ ରହିଥାଏ । ସେଥିରେ ଥିବା କ୍ୟାସେଟ୍ ଗୁଡ଼ିକର ଆକାର ସେହି ହିସାବରେ ଡିଜାଇନ ହୋଇଥାଏ । ୧୦୦-୨୦୦ ଟଙ୍କିଆ ନୋଟ୍ ପାଇଁ ଏହି ଆକାରରେ ପରିବର୍ତ୍ତନ କରାଯିବ । ଏହାସହ ଛୋଟ ନୋଟ୍ ଯଦି ଶୀଘ୍ର ଶେଷ ହୋଇଯାଏ ତେବେ ତାହାକୁ ପୁଣି ଭର୍ତ୍ତି କରାଯିବ । ଗ୍ରାହକମାନଙ୍କ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ସୀମା ରହିବ । କାରଣ ବାରମ୍ବାର ଟଙ୍କା ଉଠାଇବା ଦ୍ୱାରା ମାସିକ ମାଗଣା ଉଠାଣ ସୀମା ଶେଷ ହୋଇଯିବ । ଯାହା ଦ୍ୱାରା ଗ୍ରାହକଙ୍କୁ ଚାର୍ଜ ଦେବାକୁ ପଡ଼ିବ ।
ଡିଜିଟାଲ ପେମେଣ୍ଟ ଉପରେ ଏହାର ପ୍ରଭାବ ପଡିପାରେ । କାରଣ ଛୋଟ ନୋଟ୍ ପାଖରେ ରହିବା ଦ୍ୱାରା ଗ୍ରାହକମାନେ ଡିଜିଟାଲ ପେମେଣ୍ଟ ପାଇଁ ସେତେଟା ମନ ବଳାଇବେ ନାହିଁ ବୋଲି ଅର୍ଥନୀତି ବିଶେଷଜ୍ଞ କହିଛନ୍ତି । ସେପଟେ ଆରବିଆଇର ଏହି ନିର୍ଦ୍ଦେଶ ପରେ ୫୦୦ଟଙ୍କିଆ ବନ୍ଦ ହୋଇଯିବ ବୋଲି ଗୁଜବ ଉଠିଥିଲା । ଯାହାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି । ଏନେଇ RBI କୌଣସି ନୋଟିସ ଜାରି କରି ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us