INR VS USD: ଟ୍ରମ୍ପ ଜିତିବା ପରେ… ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା

ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା। ଭାରତୀୟ ଷ୍ଟକ୍ ମାର୍କେଟରୁ ଫରେନ୍ ପୋର୍ଟଫୋଲିଓ ଇନଭେଷ୍ଟମେଣ୍ଟ ଶେୟାର୍ ବିକ୍ରି ବଢିଚାଲିଛି । ଏଥିରେ ହସ୍ତକ୍ଷେପ କରିପାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ।

ଡଲାର ତୁଳନାରେ ଟଙ୍କା ଦୁର୍ବଳ

ଆମେରିକାର ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ପାଉଛି । ଡଲାର ତୁଳନାରେ ରେକର୍ଡ ନିମ୍ନସ୍ତର ୮୪.୩୯ରେ ପହଞ୍ଚିଲାଣି ଟଙ୍କା । ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଓ ଏଫପିଆଇ (ଫରେନ୍ ପୋର୍ଟଫୋଲିଓ ଇନଭେଷ୍ଟମେଣ୍ଟ) ପ୍ରଭାବିତ ହୋଇଥିବା କାରଣରୁ ଏପରି ହୋଇଥିବାର ଚର୍ଚ୍ଚା ହେଉଛି । ଗତ ସୋମବାର ଦିନ ଟଙ୍କାର ମୂଲ୍ୟ ରେକର୍ଡ ନିମ୍ନରେ ପହଞ୍ଚିଛି । ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ବିଜୟ ଲାଭ କରିବା ଓ ନିବେଶକମାନଙ୍କ ଦ୍ୱାରା ବିକ୍ରି ବଢୁଥିବାରୁ ଏହି ଅବସ୍ଥା ସୃଷ୍ଟି ହୋଇଛି । ଇଣ୍ଟର ବ୍ୟାଙ୍କ ଫୋରେକ୍ସ ମାର୍କେଟରେ ଟଙ୍କା ସୋମବାର ଦିନ ୮୪.୩୯ରେ ବନ୍ଦ ହୋଇଥିଲା । ଗତ ଶୁକ୍ରବାର ତୁଳନାରେ ଏହା ସାମାନ୍ୟ ଦୁର୍ବଳ ଥିଲା । ଶୁକ୍ରବାର ଦିନ ଏହା ଥିଲା ୮୪.୩୮ ।

ଅଧିକ ପଢ଼ନ୍ତୁ: US Election Results 2024: ଜିତିଲେ Donald Trump, ଭାରତୀୟ ସେୟାର ବଜାରରେ କ’ଣ ରହିବ ଏହାର ପ୍ରଭାବ ?

ଫୋରେକ୍ସ ମାର୍କେଟରେ ସ୍ଥିରତା ଆଣିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ କରିପାରେ ବୋଲି ଅର୍ଥନୀତିଜ୍ଞମାନେ ଆଶା ପ୍ରକାଶ କରୁଛନ୍ତି । ଏହା ଦ୍ୱାରା ଟଙ୍କାର ହ୍ରାସରେ ରୋକ୍ ଲାଗିପାରିବ । ରିଜର୍ଭ ବ୍ୟାଙ୍କର ଆଭିମୁଖ୍ୟ ସଂପର୍କରେ କିଛି ସ୍ପଷ୍ଟ ଜଣାପଡିନଥିଲେ ମଧ୍ୟ ମାର୍କେଟରେ ଅନ୍ୟ ମୁଦ୍ରା ତୁଳନାରେ ଟଙ୍କାକୁ କିଛି ସପୋର୍ଟ ଦେଇପାରେ । ସାମଗ୍ରୀକ ଭାବେ ଡଲାରର ଶକ୍ତି ବୃଦ୍ଧି ଡଲାର ଇଣ୍ଡେକ୍ସରେ ସ୍ପଷ୍ଟ ଭାବେ ଜଣାପଡୁଛି । ଏହି ଡଲାର ଇଣ୍ଡେକ୍ସ ହିଁ ଅନ୍ୟ ୬ଟି ମୁଦ୍ରା ତୁଳନାରେ ଡଲାରର ମୂଲ୍ୟାୟନ କରିଥାଏ । ଏହି ଡଲାର ଇଣ୍ଡେକ୍ସ ଗତ ସୋମବାର ଦିନ .୫୬ ପ୍ରତିଶତ ବଢି ୧୦୫.୫୮ରେ ପହଞ୍ଚିଛି । ଏ ବର୍ଷ ଏହା ୪.୨୦ ପ୍ରତିଶତ ବଢିଛି ।

ଅନ୍ୟ ଏକ ବଡ କାରଣ ହେଲା ଭାରତୀୟ ଷ୍ଟକ୍ ମାର୍କେଟରୁ ଫରେନ୍ ପୋର୍ଟଫୋଲିଓ ଇନଭେଷ୍ଟମେଣ୍ଟ ବିକ୍ରି ଜାରି ରହିଛି । ଗତ ସୋମବାର ୨୩୦୬ କୋଟି ଟଙ୍କାର ଫରେନ୍ ଇନଭେଷ୍ଟମେଣ୍ଟ ଶେୟାର୍ ବିକ୍ରି ହୋଇଛି । ନଭେମ୍ୱର ସୁଦ୍ଧା ମୋଟ ବିକ୍ରି ପାଖାପାଖି ୨.୮୦ ବିଲିଅନ୍ ରେ ପହଞ୍ଚିଛି । ଗତ ଅକ୍ଟୋବର ମାସରେ ଏହି ଏଫପିଆଇ ଶେୟାର୍ ବିକ୍ରି ୧୧.୧୯ ବିଲିଅନ୍ ଥିଲା । ଯଦି ଏଫପିଆଇ ବିକ୍ରି ମନ୍ଥର ହେବ, ତେବେ ଟଙ୍କା ଉପରୁ ଚାପ କମିଯିବ । ଏବେ ଟ୍ରେଡର୍ସମାନେ ଉଭୟ ଆମେରିକା ଓ ଭାରତର ମୁଦ୍ରାସ୍ଫୀତି ତଥ୍ୟ ଉପରେ ନଜର ରଖିଛନ୍ତି । ଏହା ମୁଦ୍ରା ଉପରେ ପ୍ରଭାବ ପକାଇପାରେ । ଅର୍ଥନୀତି ବିଶାରଦମାନେ ଆଶା କରୁଛନ୍ତି ଯେ, କିଛି ଦିନ ପାଇଁ ଟଙ୍କା ଦୁର୍ବଳ ରହିବ । ରିଜର୍ଭ ବ୍ୟାଙ୍କର ପଦକ୍ଷେପ ପୁଣି ଟଙ୍କାକୁ ଶକ୍ତିଶାଳୀ କରାଇବ । ସରକାରୀ ବ୍ୟାଙ୍କ ଜରିଆରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଡଲାର୍ ବିକ୍ରି କରୁଛି । କିନ୍ତୁ ଏହା କେତେ ପରିମାଣର ବିକ୍ରି ହେଉଛି ତାହା ସଠିକ ଭାବେ ଜଣାପଡିନି । କିନ୍ତୁ ମାର୍କେଟରେ ଟଙ୍କା ଭଲ ପ୍ରଦର୍ଶନ କରିବା ପାଇଁ ଏହା ସହାୟକ ହେଉଛି । ଏହା ସତ୍ତ୍ୱେ ଏହି ପନ୍ଥା ଭାରତର ଫରେନ୍ ଏକ୍ସଚେଞ୍ଜ୍ ରିଜର୍ଭକୁ କମାଉଛି ।