Advertisment

Mahul Flower Business Issues: ମହକୁଛି ମହୁଲ...ମୂଲ ପାଉନି ଗୋଟାଳି, ମାଲେମାଲ ଦଲାଲ୍

ଏହି ଚୋରା ଚାଲାଣ ଉପରେ ଅବକାରୀ ବିଭାଗ ନଜର ରଖିବାକୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଥିବା ବେଳେ ଆଗକୁ ମଣ୍ଡି ବ୍ୟବସ୍ଥା ପାଇଁ କେନ୍ଦ୍ରକୁ ଜଣାଇବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି l ସେପଟେ ବରଗଡ଼ ଅବକାରୀ ଅଧିକ୍ଷକ କହିଛନ୍ତି ମହୁଲଫୁଲର ଅଭାବୀ ବିକ୍ରି ନାହିଁ l

ଅଦ୍ୟତନ ହୋଇଛି
ମହୁଲ ଫୁଲର ଅଭାବୀ ବିକ୍ରି

ମହୁଲ ଫୁଲର ଅଭାବୀ ବିକ୍ରି

Advertisment

ଜଙ୍ଗଲ ଆଖପାଖ ଓ ଆଦିବାସୀଙ୍କ ଜୀବନ ଜୀବିକା ସହିତ ଗଭୀର ଭାବରେ ଜଡ଼ିତ ମହୁଲ ଫୁଲ । ଏଠି ମହୁଲ ଫୁଲ ଲୋକଙ୍କ ପାଇଁ ଏକ ଅର୍ଥକାରୀ ଦ୍ରବ୍ୟ ସାଙ୍ଗକୁ କ୍ଷୁଧା ମଧ୍ୟ ମେଣ୍ଟାଇ ଆସିଛି । ହେଲେ ଏହି ମହୁଲ ଫୁଲର ସଠିକ ନିୟନ୍ତ୍ରିତ ବଜାର, ପ୍ରୋସେସିଂ ୟୁନିଟ ଓ ସରକାରୀ ନୀତି ନିୟମ କଡାକଡି ନ ଥିବା ଯୋଗୁଁ ଉଚିତ୍ ମୂଲ୍ୟ ମିଳୁନି l ବେପାରୀ ଓ ମଧ୍ୟସ୍ଥି ମହୁଲ ଗୋଟାଳୀଙ୍କ ଠାରୁ ୧୫ ରୁ ୨୦ ଟଙ୍କାରେ କିଣି ପଡୋଶୀ ରାଜ୍ୟ ଛତିଶଗଡକୁ ଚାଲାଣ କରୁଛନ୍ତି। ଫଳରେ ସରକାର ମଣ୍ଡି ବ୍ୟବସ୍ଥା କରିବାକୁ ଦାବି ହୋଇଛି l ଦେଖନ୍ତୁ ଆମର ଗ୍ରାଉଣ୍ଡ ଜିରୋ ରିପୋର୍ଟ , ମହକୁଛି ମହୁଲ, ମୂଲ ପାଉନି ଗୋଟାଳି- ମାଲେମାଲ ଦଲାଲ l

Advertisment

ଜଙ୍ଗଲ ହେଉଛି ଆଦିବାସୀଙ୍କ ଜୀବନ ରେଖା l ଜଙ୍ଗଲରୁ ଉତ୍ପାଦିତ ହେଉଥ‌ିବା ଲଘୁ ବନଜାତ ଦ୍ରବ୍ୟ ବିକ୍ରି କରି ଆଦିବାସୀ ଓ ଜଙ୍ଗଲ ଆଖପାଖରେ ରହୁଥିବା ଲୋକେ ପରିବାର ପ୍ରତିପୋଷଣ କରନ୍ତି । ବିଶେଷ ଭାବେ ଝୁଣା ଲାଖ ମହୁଲ, କେନ୍ଦୁ ଭଳି ବିଭିନ୍ନ ଦ୍ରବ୍ୟ ସଂଗ୍ରହ କରୁଥ‌ିବା ବେଳେ ଫାଲଗୁନ ଓ ଚୈତ୍ର ଦୁଇମାସ ମହୁଲ ଫୁଲ ସଂଗ୍ରହ କରନ୍ତି । ହେଲେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଓ ଭଟଲୀ ଅଂଚଳରେ ମହୁଲ ଫୁଲର ଅଭାବୀ ବିକ୍ରି ଯୋଗୁଁ ସଂଗ୍ରହକାରୀଙ୍କୁ ସହିବାକୁ ପଡୁଛି କ୍ଷତି। ପଦ୍ମପୁର ନିର୍ବାଚନ ମଣ୍ଡଳୀର ପଦ୍ମପୁର, ପାଇକମାଳ, ଝାରବନ୍ଧ ଅଞ୍ଚଳ ଓ ଭଟଲୀ ନିର୍ବାଚନ ମଣ୍ଡଳୀର ଭଟଲୀ, ସୋହେଲା, ଅମ୍ଭାଭୋନା ଅଞ୍ଚଳ ଜଙ୍ଗଲରେ ପରିପୂର୍ଣ୍ଣ l

ଏଠିକାର ଅଧିକାଂଶ ଲୋକେ ଜଙ୍ଗଲ ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାଇଥାନ୍ତି । ବିଶେଷ କରି ଏସବୁ ଅଞ୍ଚଳର ଲୋକେ ଏହି ଦୁଇ ମାସରେ ଜଙ୍ଗଲରେ ହେଉଥ‌ିବା ମହୁଲକୁ ସଂଗ୍ରହ କରି ଭଲ ଦୁଇ ପଇସା ରୋଜଗାର କରିଥାନ୍ତି । ଏହି ମହୁଲ ସଂଗ୍ରହ କରିବା ପାଇଁ କିନ୍ତୁ ଅନେକ କଷ୍ଟ କରିବାକୁ ପଡିଥାଏ l ବଡ଼ି ଭୋରରୁ ମହୁଲ ଗୋଟାଇବାକୁ ଯାଇଥାନ୍ତି ଜଙ୍ଗଲ ଭିତରକୁ । ମହୁଲ ସଂଗ୍ରହ ପରେ ଏହାକୁ ତିନି ରୁ ଚାରି ଦିନ ଖରାରେ ଶୁଖାଇ ବସ୍ତାରେ ପୁରାଇ ବିକ୍ରି ପାଇଁ ରଖିଥାନ୍ତି l ହେଲେ ଏବେ ଦେଖିବାକୁ ମିଳିଛି ମହୁଲ ଫୁଲର ଅଭାବୀ ବିକ୍ରି l ଚାଷୀ ମାତ୍ର ୧୫ ରୁ ୨୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି l ମଣ୍ଡି ବ୍ୟବସ୍ଥା ନଥିବାରୁ ଏଭଳି କ୍ଷତି ସହୁଛି ଚାଷୀ l ଫଳରେ ସରକାର ମଣ୍ଡି ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି l

Advertisment

ଗରିବ ଲୋକଙ୍କ ପାଇଁ ମହୁଲ ସଂଗ୍ରହ ଜୀବନ ଜୀବିକା ପାଲଟିଥିବାବେଳେ ଦଲାଲଙ୍କ ଯୋଗୁଁ ଉପଯୁକ୍ତ ମୂଲ୍ୟ ପାଉ ନାହାନ୍ତି। ଗ୍ରାମାଞ୍ଚଳରେ ମଦଭାଟି ମାଲିକମାନେ ଓ ଗୋଦାମ କରିଥିବା ମାଲିକ ମାନେ କିଛି ଲୋକଙ୍କୁ ରଖି ଆଗୁଆ କମ ଦରରେ ମହୁଲ କିଣି ଗଚ୍ଛିତ ରଖୁଛନ୍ତି। ସେପଟେ ଦଲାଲଙ୍କ ଗୋଦାମରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଉ ନାହିଁ । ଓଲଟା ସେମାନଙ୍କ ଠାରୁ ହାତଗୁଞ୍ଜା ନେଇ ଦେଶୀ ମଦଭାଟିକୁ ସୁହାଇଲା ଭଳି କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଚର୍ଚ୍ଚା ଜୋର ଧରିଛି । ବରଗଡ଼ ଜିଲ୍ଲାରେ ଦିନକୁ ଦିନ ମଦଭାଟି ସଂଖ୍ୟା ବୃଦ୍ଧି ପାଇବା ସହିତ ମଦରୁ କୋଟି କୋଟି ଟଙ୍କା ରାଜସ୍ୱ ଆଦାୟ ହେଉଛି। ହେଲେ ଚାଷୀ ପାଇଁ କିଛି ନାହିଁ l

ମହୁଲ କ୍ରୟ ଓ ବିକ୍ରୟ ଉପରେ ପଂଚାୟତର ଜନପ୍ରତିନିଧ୍ ଓ କିଛି ସରକାରୀ କର୍ମଚାରୀଙ୍କୁ ନେଇ କମିଟି ହେବାକୁ ବ୍ୟବସ୍ଥା ଥ‌ିବାବେଳେ ଏଥିରେ ବି ବ୍ୟତିକ୍ରମ ଦେଖାଦେଇଛି । ସେହି କମିଟିରେ ମୂଲ୍ୟ ଧାର୍ଯ୍ୟ ନିଷ୍ପତି ହେବା ପରେ ନିର୍ଦ୍ଦେଶନାମା ଜାରି କରିବା ନିୟମ ରହିଛି ଏବଂ ଏଥିପାଇଁ କ୍ରେତାମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯିବା ଉଚିତ । ମାତ୍ର ସେପରି ହେଉନାହିଁ ।ଏହି ଘଟଣାକୁ ନେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି ମହୁଲ ଫୁଲ ବିକ୍ରି ପାଇଁ କୌଣସି ମଣ୍ଡି ବ୍ୟବସ୍ଥା ନଥିବାରୁ ମଧ୍ୟସ୍ଥି ଓ ଦଲାଲଙ୍କୁ କମ ଦରରେ ବିକିବାକୁ ମହୁଲ ଗୋଟାଳି ମାନେ ବାଧ୍ୟ ହେଉଛନ୍ତି l ସେହିପରି କିଛି ବ୍ୟବସାୟୀ ଅତ୍ୟଧିକ ମହୁଲ ଫୁଲ ଗଚ୍ଛିତ ରଖି ଅଧିକ ଦରରେ ଛତିଶଗଡ଼କୁ ପାର କରୁଛନ୍ତି l

Advertisment

ଏହି ଚୋରା ଚାଲାଣ ଉପରେ ଅବକାରୀ ବିଭାଗ ନଜର ରଖିବାକୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଥିବା ବେଳେ ଆଗକୁ ମଣ୍ଡି ବ୍ୟବସ୍ଥା ପାଇଁ କେନ୍ଦ୍ରକୁ ଜଣାଇବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି l ସେପଟେ ବରଗଡ଼ ଅବକାରୀ ଅଧିକ୍ଷକ କହିଛନ୍ତି ମହୁଲଫୁଲର ଅଭାବୀ ବିକ୍ରି ନାହିଁ l ଯେଉଁ ବ୍ଲକରେ ଯେତେ ଅଧିକ ପରିମାଣର ମହୁଲ ହେବ ତାର ଦର୍ କମିବ ଓ କମ ପରିମାଣର ହେଲେ ଦର ବଢିବ l ଏହି ଦରକୁ ପଞ୍ଚାୟତିରାଜ ବିଭାଗ ସ୍ଥିର କରୁଛି l ଏବେ ବରଗଡ଼ ଜିଲ୍ଲାରେ ଦର ୪୦ ରୁ ୫୦ ଟଙ୍କା ଥିବା କହିଛନ୍ତି ଅବକାରୀ ଅଧିକ୍ଷକ l ମହୁଲ ଫୁଲ ଜବତ ସହ ଅସାଧୁ ବେପାରୀଙ୍କୁ ଗିରଫ କରାଯାଉଥିବା ମଧ୍ୟ ଅବକାରୀ ଅଧିକ୍ଷକ କହୁଛନ୍ତି l ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ।

(ରିପୋର୍ଟ- ଧର୍ମଦତ୍ତ,ବରଗଡ଼)

Farmers' Issues Business Baragarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ