‘ମୁଁ ବିଶ୍ୱାସ କରିପାରିଲିନି, ମୋ ଆଖି ସାମ୍ନାରେ ଶ୍ରୀରାମଙ୍କ ଚେହେରା ବଦଳିଗଲା’ !

‘ମୁଁ ନିଜକୁ ବିଶ୍ୱାସ କରିପାରିଲିନି ଯେ ମୁଁ ଗଢ଼ିଥିବା ମୂର୍ତ୍ତି ଏତେ ସୁନ୍ଦର କେମିତି ହେଲା । ସେହି ସମୟରେ ମୋ ପାଖରେ ଯେଉଁମାନେ ଥିଲେ ମୁଁ ତାଙ୍କୁ ଏକଥା ସଙ୍ଗେ ସଙ୍ଗେ ଜଣେଇଛି ।’

Arun Yogiraj

‘ମୁଁ ନିଜେ ଗଢ଼ିଥିବା ମୂର୍ତ୍ତିକୁ ଚିହ୍ନି ପାରିଲି ନାହିଁ । ମୋ ଆଖି ସାମ୍ନାରେ ଥିଲେ ବି ତାହା କେମିତି ବଦଳିଗଲା, ମୁଁ ଜାଣିପାରିଲି ନାହିଁ । ବାଲକ ରାମଙ୍କୁ ଗର୍ଭଗୃହରେ ତାଙ୍କ ଆସ୍ଥାନରେ ବସାଇବା ପରେ ଯେବେ ପ୍ରାଣ ପ୍ରତିଷ୍ଠା କରାଗଲା, ସେତେବେଳେ ତାହା ବଦଳିଗଲା । ତାଙ୍କ ଆଖିର ଠାଣୀ, ତାଙ୍କ ହସ, ସବୁ କିଛି ବଦଳିଗଲା । ଯାହାଫଳରେ ମୁଁ ବି ଚିହ୍ନି ପାରିଲିନି । ମୁଁ ନିଜକୁ ବିଶ୍ୱାସ କରିପାରିଲିନି ଯେ ମୁଁ ଗଢ଼ିଥିବା ମୂର୍ତ୍ତି ଏତେ ସୁନ୍ଦର କେମିତି ହେଲା । ସେହି ସମୟରେ ମୋ ପାଖରେ ଯେଉଁମାନେ ଥିଲେ ମୁଁ ତାଙ୍କୁ ଏକଥା ସଙ୍ଗେ ସଙ୍ଗେ ଜଣେଇଛି । ଆଉ କହିଛି ମୁଁ ମୋ ମୂର୍ତ୍ତିକୁ ବି ଚିହ୍ନି ପାରିଲିନି ।’

ଏଭଳି କହିଛନ୍ତି ଅଯୋଧ୍ୟା ରାମ ମନ୍ଦିରରେ ସ୍ଥାପିତ ହୋଇଥିବା ବାଲକ ରାମଙ୍କ ମୂର୍ତ୍ତି ଗଢ଼ିଥିବା ସ୍ଥପତି ଅରୁଣ ଯୋଗୀରାଜ । ସେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ଏଭଳି କହିଛନ୍ତି । ଆଉ ଏହା କହିବା ବେଳେ ସେ ଖୁବ୍‌ ଭାବବିହ୍ୱଳ ମଧ୍ୟ ହୋଇପଡ଼ିଥିବା ଦେଖିବାକୁ ମିଳିଛି ।

 ଅଧିକ ପଢ଼ନ୍ତୁ: ‘ମୁଁ ଏବେ ବି ସ୍ୱପ୍ନର ଦୁନିଆରେ, ମୋତେ ଏବେ ବି ବିଶ୍ୱାସ ହେଉନି’

ତେବେ କିଏ ଏହି ଅରୁଣ ଯୋଗୀରାଜ । ରାତାରାତି ଷ୍ଟାର ପାଲଟିଥିବା ଏହି ସ୍ଥପତି ଜଣକ କିଏ ? 

ଆଦି ଶଙ୍କରାଚାର୍ଯ୍ୟ, ନେତାଜୀ ଆଉ ଏବେ ସ୍ୱୟଂ ଶ୍ରୀରାମ । ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ବିଗ୍ରହ ନିର୍ମାଣ କରିଥିବା ଅରୁଣ ଯୋଗୀରାଜଙ୍କ କଳାର ଏ ଆଉ ଏକ ବଡ଼ ଯାତ୍ରା । ରାମଲାଲାଙ୍କ ବିଗ୍ରହ ନିର୍ମାଣ କରିଥିବା ବ୍ୟକ୍ତି ଏବେ ଦେଶର ସବୁଠୁ ଚର୍ଚ୍ଚିତ ବ୍ୟକ୍ତି, ସବୁଠୁ ଚର୍ଚ୍ଚିତ ସ୍ଥପତି ।

ଅରୁଣଙ୍କ ପରିବାରର ୫ ପିଢ଼ି ଧରି ମୂର୍ତ୍ତିରେ ଜୀବନ ଦେଇ ଆସିଛନ୍ତି । ଅରୁଣଙ୍କ ଜେଜେବାପା ମହିଶୂର ରାଜବଂଶ ପାଇଁ ପଥରରେ ମୂର୍ତ୍ତି ନିର୍ମାଣ କରୁଥିଲେ । ଅରୁଣ ମହିଶୂରର ପ୍ରସିଦ୍ଧ ୧୨ ଫୁଟର ହନୁମାନ, ପ୍ରସିଦ୍ଧ ନନ୍ଦି ନିର୍ମାଣ କରି ସାରା ଦକ୍ଷିଣ ଭାରତରେ ପ୍ରମୁଖ ସ୍ଥପତି ଭାବେ ପରିଚୟ ସୃଷ୍ଟି କରିଥିଲେ । ହେଲେ ଦିଲ୍ଲୀ ଅମର ଯବାନ ଜ୍ୟୋତି ପାଖରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତି ବେଳକୁ ସାରା ଦେଶରେ ପ୍ରମୁଖ ଚେହେରା ଭାବେ ସେ ସାମ୍ନାକୁ ଆସିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସବୁଠୁ ପସନ୍ଦର ମୂର୍ତ୍ତି ନିର୍ମାଣ କରି ହଟ୍ ଫେଭରେଟ୍ ପାଲଟିଥିଲେ ଅରୁଣ । ଅମର ଯବାନ ଜ୍ୟୋତି ପାଖରେ ୩୦ ଫୁଟର ନେତାଜୀ ମୂର୍ତ୍ତି ପରେ କେଦାରନାଥ ପୀଠରେ ୧୨ ଫୁଟର ଆଦି ଶଙ୍କରାଚାର୍ଯ୍ୟଙ୍କ ବିଗ୍ରହ ବି ଅରୁଣଙ୍କ ହାତର କମାଲ୍ । ଏବେ ତାଙ୍କ ହାତରେ ତିଆରି ମୂର୍ତ୍ତି ଶ୍ରୀରାମ ମନ୍ଦିରରେ ଅବସ୍ଥାନ ଖବର ଶୁଣିବା ପରେ କର୍ଣ୍ଣାଟକ ଓ ତାଙ୍କ ଘରେ ଖୁସିର ଲହରୀ ।

ଏହା କେବଳ ବିଗ୍ରହ ନିର୍ମାଣରେ ସୀମିତ ନୁହେଁ ଶ୍ରୀରାମଙ୍କ ସହ ହନୁମାନଙ୍କ ମିଳନ ସଦୃଶ୍ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି । ଯେହେତୁ ଅରୁଣ ଯୋଗୀରାଜ କର୍ଣ୍ଣାଟକରୁ ଏବଂ ବିଶ୍ୱାସ ରହିଛି ହନୁମାନଙ୍କ ଜନ୍ମ ବି ବର୍ତ୍ତମାନର କର୍ଣ୍ଣାଟକରେ ତେଣୁ ଏହା ଶ୍ରୀରାମଙ୍କ ସହ ହନୁମାନଙ୍କ ସମ୍ପର୍କ ବୋଲି ସେ ଦର୍ଶାଇଛନ୍ତି ।