Odia Artist
ଅଯୋଧ୍ୟା ରାମମନ୍ଦିରରେ ଝଲସୁଛି ଓଡ଼ିଆ ଶିଳ୍ପୀଙ୍କ ଭାସ୍କର୍ଯ୍ୟ କଳା । ବାଲେଶ୍ୱର ଓ କୋଣାର୍କ ଅଞ୍ଚଳର ଶତାଧିକ ଭାସ୍କର୍ଯ୍ୟ ଶିଳ୍ପୀ ରାମ ମନ୍ଦିର ନିର୍ମାଣରେ ନିଜର ଛାପ ଛାଡ଼ିଛନ୍ତି । ଆସନ୍ତା ୨୨ରେ ପ୍ରାଣପ୍ରତିଷ୍ଠା ଉତ୍ସବ ଥିବା ବେଳେ ତାପୂର୍ବରୁ ନିଜ ଦାୟିତ୍ୱ ନିର୍ବାହ କରି ଘରକୁ ଫେରିଛନ୍ତି ଶିଳ୍ପୀ । ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପାଇଁ ସେମାନେ ଯେତେ ଉତ୍ସାହିତ, ଗାଁରେ ତାଠୁ ବଳିକି ଉତ୍ସାହ ।
ବାଲେଶ୍ୱର ଜିଲ୍ଲା ସୋର ବ୍ଲକର ମଙ୍ଗଳପୁର, ମାଣିପୁର, ଗୋହିରାପଦା, ମାଣତ୍ରୀ ଓ ଋଷ ଗାଁ । ରାମମନ୍ଦିର ପ୍ରାଣପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସାହ ଥିବାବେଳେ, ଏହି ଗାଁ ମାନଙ୍କରେ କିନ୍ତୁ ଦୁଇଗୁଣା ଉତ୍ସାହର ମାହୋଲ । କାହିଁକି ନା ଶ୍ରୀରାମଙ୍କ ମନ୍ଦିର ପାଇଁ ଶ୍ରମଦାନ କରିଛନ୍ତି ଗାଁର ପୁଅ । ରାମମନ୍ଦିରର ବିଭିନ୍ନ ଶିଳାକୁ ଜୀବନ୍ତ କରିଛି ଏମାନଙ୍କ ନିହାଣ ମୁନ ଓ କଠୋର ପରିଶ୍ରମ । ଭବ୍ୟ ଶ୍ରୀରାମ ମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ ପୂର୍ବରୁ ସେମାନଙ୍କ ମଧ୍ୟରୁ କିଛି ଗାଁକୁ ଫେରିଛନ୍ତି । ଗାଁଲୋକ ଓ ପରିବାର ଆଗରେ ବଖାଣିଛନ୍ତି ମନ୍ଦିର ତିଆରି ବେଳର ଦିବ୍ୟ ଅନୁଭୂତି । ଗାଁ ଲୋକ ବି ନିଜ ମାଟିର ପୁଅକୁ ଏତେ ବଡ ସୌଭାଗ୍ୟ ମିଳିଥିବାରୁ ବେଶ ଗର୍ବିତ ଅନୁଭବ କରିଛନ୍ତି ।
ରାମମନ୍ଦିରକୁ ସରସ ସୁନ୍ଦର କରିବାରେ ଏ କାରିଗର ମାନଙ୍କ ରହିଛି ପ୍ରମୁଖ ଭୂମିକା । ରାମମନ୍ଦିରରେ ଲାଗିଥିବା ହାତୀଙ୍କ ମୂର୍ତ୍ତି, ହନୁମାନ, ଗଣେଶ, ନାରାୟଣ, ନାଗ କନ୍ୟା, ସରସ୍ୱତୀ ଓ ତୋରଣ ଆଦି ତିଆରି କରିଛନ୍ତି ସୋର ଅଞ୍ଚଳର ଏ କାରିଗର ମାନେ । ଅଯୋଧ୍ୟାରେ କାମ ବେଳର ଭିଡିଓ ନିଜ ମୋବାଇଲରେ କଏଦ କରିଥିବା ବେଳେ, ଗାଁ ଲୋକ ଏ ଐତିହାସିକ ମୂହୂର୍ତ୍ତ ଦେଖିବାକୁ ଭିଡ଼ ଲଗାଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705726059.jpg)