Advertisment

ଭୂସ୍ଖଳନ ଛଡ଼େଇ ନେଲା ସବୁ ଆଶା, ସ୍ବପ୍ନ; କେରଳରୁ ଓଡ଼ିଶା ଆସୁଛି ବିଷ୍ଣୁଙ୍କ ମରଶରୀର...

କେରଳରୁ ଓଡ଼ିଶା ଆସୁଛି ଓଡ଼ିଆ ଡାକ୍ତର ବିଷ୍ଣୁଙ୍କ ମରଶରୀର । ଜନ୍ମମାଟି ପୁରୀ ଜିଲ୍ଲା ଗୋପରେ ହେବ ଡାକ୍ତର ବିଷ୍ଣୁଙ୍କ ଶେଷକୃତ୍ୟ । ମେପ୍ପାଡ଼ିରେ ଚିକିତ୍ସାଧୀନ ପତ୍ନୀ ପ୍ରିୟଦର୍ଶିନୀ ଓ ବାନ୍ଧବୀ ସ୍ବୀକୃତି । ସାଙ୍ଗରେ ଯାଇଥିବା ଡାକ୍ତର ସ୍ବାଧୀନ ପଣ୍ଡାଙ୍କର ମିଳୁନି ପତ୍ତା ।

ଅଦ୍ୟତନ ହୋଇଛି
Kerala Landslides

Kerala Landslides

Advertisment

କେରଳର ୱାୟନାଡ୍କୁ ବୁଲିବାକୁ ଯାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ୪ ଓଡ଼ିଆ । ସେମାନଙ୍କ ମଧ୍ୟରୁ ବିଷ୍ଣୁପ୍ରସାଦ ଚିନ୍ନାରାଙ୍କ ମୃତଦେହ ଆଜି ଓଡ଼ିଶା ଅଣାଯାଉଥିବା ବେଳେ, ସ୍ବାଧୀନ ପଣ୍ଡା ଏବେବି ନିଖୋଜ ଅଛନ୍ତି। ତେବେ ମେପ୍ପାଡ଼ିସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବିଷ୍ଣୁଙ୍କ ପତ୍ନୀ ପ୍ରିୟଦର୍ଶିନୀ ଏବଂ ସେମାନଙ୍କର ଅନ୍ୟଜଣେ ବାନ୍ଧବୀ ସ୍ବୀକୃତି ମହାପାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ହସ୍ପିଟାଲକୁ ଯାଇ ସେମାନଙ୍କ ସଂପର୍କୀୟ ଏବଂ ଓଡ଼ିଶାରୁ କେରଳ ଯାଇଥିବା ସରକାରୀ ଅଧିକାରୀଙ୍କ ସହ ଏ ସଂପର୍କରେ ଅଧିକ ଆଲୋଚନା କରିଛି ଓଟିଭି।

Advertisment

ସୁଖର ସଂସାରକୁ ଭାଙ୍ଗି ଚୂନା କରିଦେଲା । ୱାୟନାଡ଼ର ଭୂସ୍ଖଳନ। ନିଦ ଭାଙ୍ଗିବା ଆଗରୁ ରାତିର ଅନ୍ଧାର ଛଡ଼େଇ ନେଲା ସବୁ ଆଶା, ସବୁ ସ୍ବପ୍ନ । ପତ୍ନୀଙ୍କୁ ସାଥିରେ ଧରି ନିଜ ବର୍ଥଡେ' ଟ୍ରିପ୍‌ରେ କେରଳ ଯାଇଥିଲେ ଡାକ୍ତର ବିଷ୍ଣୁପ୍ରସାଦ ଚିନ୍ନାରା । ହେଲେ ଭାଗ୍ୟର ବିଡ଼ମ୍ବନା । ଏବେ ଆମ୍ବୁଲାନ୍ସରେ ଓଡ଼ିଶା ଫେରୁଛନ୍ତି ନିର୍ଜୀବ ହୋଇ । ନିସ୍ତେଜ ହୋଇ । ବିମାନରେ ମୃତଦେହ ଆଣିବା ସମ୍ଭବ ନହେବାରୁ, ଓଡ଼ିଶା ଓ କେରଳ ସରକାରଙ୍କ ମିଳିତ ଉଦ୍ୟମରେ ସଡ଼କ ପଥରେ ଅଣାଯାଉଛି ବିଷ୍ଣୁପ୍ରସାଦଙ୍କ ମରଶରୀର। ଏହାକୁ ପୈତୃକ ଗାଁ ପୁରୀ ଜିଲ୍ଲା ଗୋପ ବ୍ଲକର ପରାଳକୁ ନିଆଯାଇ ଅନ୍ତିମ ସଂସ୍କାର କରାଯିବ। ଏପଟେ ଡାକ୍ତର ପୁଅକୁ ହରାଇ ଭାଙ୍ଗିପଡ଼ିଛି ପୂରା ପରିବାର।

ବିଷ୍ଣୁପ୍ରସାଦଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ୍ କେରଳ ମେପ୍ପାଡିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ, ସ୍ବାମୀଙ୍କ ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ମ୍ରିୟମାଣ । ତାଙ୍କ ମୁହଁରେ ଆଘାତ ଲାଗି କିଛି କ୍ଷତ ସୃଷ୍ଟି ହୋଇଛି। ସେ ଆଜି କିମ୍ବା ଆସନ୍ତାକାଲି ଡିସଚାର୍ଜ ହୋଇପାରନ୍ତି । ମେପ୍ପାଡ଼ି ହସ୍ପିଟାଲରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା କଥା ପଚାରି ବୁଝିଛି ଓଟିଭି ଟିମ୍। ଏଥିସହ ପ୍ରିୟଦର୍ଶିନୀଙ୍କ ବାପା ଏବଂ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ସେଠାକୁ ଯାଇଥିବା ୨ ଓଡ଼ିଆ ଅଧିକାରୀଙ୍କ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।

Advertisment

ହସ୍ପିଟାଲ ବେଡ୍‌ରେ ଏବେବି ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ୱାୟନାଡ଼ ଭୂସ୍ଖଳନରେ ଗୁରୁତର ଆହତ ହୋଇଥିବା ଝାରସୁଗୁଡାର ଡାକ୍ତର ସ୍ବୀକୃତି ମହାପାତ୍ର । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଭୂସ୍ଖଳନ ପରେ ତାଙ୍କ ଫୁସଫୁସରେ ମାଟିକାଦୁଅ ଜମା ହୋଇଯାଇଥିଲା। ବ୍ରୋଙ୍କସ୍କୋପି ଜରିଆରେ ଅଧିକାଂଶ କଢାସରିଥିଲେ ବି, ସେ ସଂପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ସେପଟେ ଦିନ ଗଡ଼ିବା ସହ ଶଙ୍କା ବଢ଼ିଚାଲିଛି କଟକ SCBରେ ସ୍ତ୍ରୀ  ରୋଗ ବିଶେଷଜ୍ଞ ଡାକ୍ତର ସ୍ବାଧୀନ ପଣ୍ଡାଙ୍କୁ ନେଇ। ଅଘଟଣ ପରଠୁ ତାଙ୍କର ପତ୍ତା ମିଳୁନି। 

Landslides Kerala Landslide Kerala Landslide Death Toll Kerala Landslide Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ