ଆଜିକାଲି ଯୁବ ପିଢ଼ିଙ୍କୁ ବାୟା କରିଛି ମୋବାଇଲ । ମୋବାଇଲକୁ ମୁହୂର୍ତ୍ତେ ବି ଛାଡ଼ି ପାରୁନାହାନ୍ତି । କିଏ ରିଲ୍ସ ଦେଖି ସମୟ ବିତାଉଛି, ତ ଆଉ କିଏ ରିଲ୍ସ ବନେଇବାରେ ବ୍ୟସ୍ତ । ଆଉ କିଏ ବିଭିନ୍ନ ପ୍ରକାର ଅନ୍ଲାଇନ୍ ଗେମ୍ ଖେଳିବାରେ କାଟୁଛି ସମୟ । ପିଲାମାନେ ମୋବାଇଲ ପାଇଗଲେ ସତେ ଯେମିତି ସାରା ଦୁନିଆକୁ ଭୁଲି ଯାଆନ୍ତି । ଏମିତିକି ପାଖରେ କ’ଣ ଘଟୁଛି ତାକୁ ବି ସେମାନେ ଜାଣନ୍ତି ନାହିଁ । ସେମାନେ ସାଧାରଣ ଦୁନିଆରୁ ବାହାରି ସମ୍ପୂର୍ଣ୍ଣ ରୂପେ ମୋବାଇଲ ଦୁନିଆରେ ନିଜକୁ ହଜେଇ ଦିଅନ୍ତି ।
Also Read
ଆଉ ଏଭଳି ଅଭ୍ୟାସ ଯୋଗୁଁ, ସାଂଘାତିକ ପରିଣାମ ଭୋଗିଛନ୍ତି ଜଣେ ୨୦ ବର୍ଷର ଛାତ୍ର । କାନରେ ଇଅର ଫୋନ୍ ଲଗାଇ ସେ ବସିଥିଲେ ଟ୍ରେନ୍ଲାଇନ୍ରେ । ଭାବିଥିଲେ ସେଇ ପଟ୍ରିରେ ଆସୁନାହିଁ ଟ୍ରେନ୍ । ଆଉ ଆରାମରେ ବସି କାନରେ ଇଅର ଫୋନ୍ ଲଗାଇ ମୋବାଇଲ ଦୁନିଆରେ ହଜିଯାଇଥିଲେ ।
ହେଲେ ଦୁର୍ଭାଗ୍ୟବଶତଃ କିଛି ସମୟ ପରେ ସେହି ପଟ୍ରିରେ ଆସିଥିଲା ଟ୍ରେନ୍ । ହର୍ଣ୍ଣ ବି ମାରିଥିଲା । ଟ୍ରେନ୍ର ଗର୍ଜନ ବି କିଛି କମ୍ ନଥିଲା । କିନ୍ତୁ ଉକ୍ତ ଛାତ୍ରଙ୍କୁ କିଛି ଶୁଭିନଥିଲା । ସେ ମୋବାଇଲ ଦୁନିଆରେ ମଗ୍ନ ଥିଲେ । ଆଉ ଟ୍ରେନ୍ ଆସି ତାଙ୍କୁ ଚାପିଦେଇଥିଲା । ନିମିଷକ ମଧ୍ୟରେ ଚାଲିଗଲା ଜୀବନ । ଛିନ୍ଛତ୍ର ହୋଇଗଲା ପୂରା ଶରୀର । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ଭୋପାଳରେ ।
ସ୍ଥାନୀୟ ପୋଲିସ ଅଧିକାରୀଙ୍କ କହିବା କଥା, ମୃତ ଛାତ୍ର ଜଣଙ୍କ ହେଲେ ମନରାଜ ତୋମାର । ସେ ବିବିଏ ପାଠ ପଢ଼ୁଥିଲେ । ସେହିଦିନ ଛାତ୍ର ଜଣକ ନିଜ ସାଙ୍ଗମାନଙ୍କ ସହ ସେହି ରେଲୱେ ଟ୍ରାକ୍ରେ ବସିଥିଲେ । ସମସ୍ତେ ସାମନ୍ୟ ଦୂରତାରେ ବସି ମୋବାଇଲ୍ରେ କିଛି ନା କିଛି ଦେଖୁଥିଲେ । କିନ୍ତୁ ତୋମାର କାନରେ ଇଅରଫୋନ୍ ଲଗାଇଥିଲେ ଆଉ ମୋବାଇଲ ସ୍କ୍ରଲ କରିବାରେ ବ୍ୟସ୍ତ ଥିଲେ ।
କିଛି ସମୟ ପରେ ଟ୍ରେନ୍ ଆସିଲା । କିନ୍ତୁ ଇଅରଫୋନ୍ ଲଗାଇଥିବା ଯୋଗୁଁ ଟ୍ରେନ୍ ଶବ୍ଦ ଶୁଣିପାରିନଥିଲେ ତୋମାର । ହେଲେ ଅନ୍ୟ ସାଙ୍ଗମାନେ ସତର୍କ ହୋଇଥିଲେ । ଆଉ ଟ୍ରେନ୍ ଲାଇନ୍ରୁ ଉଠିଯାଇଥିଲେ । ତୋମାରଙ୍କୁ ଡାକିଥିଲେ ବି ସେ ଶୁଣିପାରିନଥିଲେ । ଆଉ ତାଙ୍କ ଉପରେ ମାଡ଼ିଯାଇଥିଲା ଟ୍ରେନ୍ । ଘଟଣାସ୍ଥଳରେ ହିଁ ତାଙ୍କର ଚାଲିଯାଇଥିଲା ଜୀବନ ।
ବାପା ମାଆଙ୍କର ଗୋଟିଏ ବୋଲି ସନ୍ତାନ ଥିଲେ ତୋମାର । ଦୁର୍ଘଟଣାର ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଆଉ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ସାଙ୍ଗମାନଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ତୋମାର ବଡି ବିଲ୍ଡିଂରେ ରୁଚି ରଖନ୍ତି । ଆଉ ରିଲ୍ସ ବନେଇବାକୁ ଖୁବ୍ ପସନ୍ଦ କରନ୍ତି । ସେ ସୋସିଆଲ ମିଡିଆରେ ଖବୁ ଆକ୍ଟିଭ୍ ଥିଲେ ।