Advertisment

ସରପଞ୍ଚଙ୍କ ଦୁର୍ଘଟଣାରେ ମୃତ୍ୟୁ ପଛରେ ରହିଛି କି ବଡ଼ ଷଡ଼ଯନ୍ତ୍ର ?

ଗତକାଲି ଜଣେ ସଂପର୍କୀୟଙ୍କ ଘରୁ ଭାଇ ସହ ଭୋଜିଖାଇ ଫେରିବାବେଳେ ହାଇୱା ଧକ୍କାରେ ବୀରରାମଚନ୍ଦ୍ରପୁର ସରପଞ୍ଚ ଦୀପା ବେହେରାଙ୍କ ମୃତ୍ୟୁ ହୋଇଛି। ଏହା ପଛରେ ଷଡ଼ଯନ୍ତ୍ର ଥିବା ପରିବାର ଲୋକେ କହିଥିବାବେଳେ ଭୋଜିକୁ ଯିବା ପୂର୍ବରୁ ଦୀପାଙ୍କ ଶେଷ ଇନଷ୍ଟା ରିଲସ ଚର୍ଚ୍ଚାର ବିଷୟ ହୋଇଛି।

ଅଦ୍ୟତନ ହୋଇଛି
undefined

Accident

Advertisment

୫ବର୍ଷ ଭିତରେ ଗୋଟିଏ ରାଜନୈତିକ ପରିବାରର ୩ ଭାଇଙ୍କୁ ହତ୍ୟା,ଜଣେ ଭାଇଙ୍କ ରହସ୍ୟଜନକ ମୃତ୍ୟୁ ଏବଂ ଗତକାଲି ସେହି ପରିବାର ସରପଞ୍ଚ ଥିବା ବୋହୂଙ୍କ ଅକାଳ ମୃତ୍ୟୁକୁ ନେଇ ଏବେ ପୁରୀ ସତ୍ୟବାଦୀ ଅଞ୍ଚଳରେ ଜୋରଦାର ଚର୍ଚ୍ଚା । ଗତକାଲି ଜଣେ ସଂପର୍କୀୟଙ୍କ ଘରୁ ଭାଇ ସହ ଭୋଜିଖାଇ ଫେରିବାବେଳେ ହାଇୱା ଧକ୍କାରେ ବୀରରାମଚନ୍ଦ୍ରପୁର ସରପଞ୍ଚ ଦୀପା ବେହେରାଙ୍କ ମୃତ୍ୟୁ ହୋଇଛି। ଏହା ପଛରେ ଷଡ଼ଯନ୍ତ୍ର ଥିବା ପରିବାର ଲୋକେ କହିଥିବାବେଳେ ଭୋଜିକୁ ଯିବା ପୂର୍ବରୁ ଦୀପାଙ୍କ ଶେଷ ଇନଷ୍ଟା ରିଲସ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ପୁରୀ ଜିଲ୍ଲା ବୀରରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ଦୀପା ବେହେରା। ଜନତାଙ୍କ ସେବା କରୁଥିଲେ,ପରିବାରର ଭଲମନ୍ଦ କଥା ବୁଝୁଥିଲେ,ଅବସର ମିଳିଲେ ସୋସିଆଲ୍ ମିଡ଼ିଆରେ ରିଲସ କରି ମନକୁ ଟିକିଏ ହାଲୁକା କରୁଥିଲେ। ଶନିବାର ନିଜ ଭାଇ ଏବଂ ଜଣେ ସଂପର୍କୀୟଙ୍କ ସହ ନିମାପଡ଼ାକୁ ଭୋଜି ଖାଇବାକୁ ଯିବା ପୂର୍ବରୁ ରିଲସ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ ଦୀପା। ସେ ଜାଣିନଥିଲେ ଏହା ହେଉଛି ତାଙ୍କ ଜୀବନର ଶେଷ ରିଲସ ବୋଲି।

ଭୋଜି ଖାଇ ଏହି ବୁଲେଟରେ ଫେରୁଥିଲେ ୩ ଜଣ । ବୁଲେଟ ଚଲାଉଥିଲେ ଦୀପାଙ୍କ ସାନ ଭାଇ,ମଝିରେ ବସିଥିଲେ ତାଙ୍କ ମା’। ଆଉ ପଛରେ ନିଜେ ଦୀପା ବସିଥିଲେ । ଦୀପାଙ୍କ ସାନ ଭାଇଙ୍କ କହିବା କଥା,ନିମାପଡ଼ା-ବଳଙ୍ଗା ରାସ୍ତା ନକ୍ଷତ୍ର ମଣ୍ଡପ ପାଖରେ ବାଲିରେ ସ୍ଲିପ୍ ହେବାରୁ ବାଇକରୁ ଖସିପଡ଼ିଥିଲେ ଦୀପା। ସେତିକିବେଳକୁ ହାଇୱାଟି ମାଡ଼ି ଆସି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଦୀପାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାପରେ କିଛି ସମୟ ଧରି ଲାଗିରହିଥିଲା ଉତ୍ତେଜନା।

Advertisment

୨୦୧୮ରେ ବୀରରାମଚନ୍ଦ୍ରପୁର ସରପଞ୍ଚ ଥିବା ସ୍ୱାମୀ ଅଜୟ ବେହେରାଙ୍କ ମିଳିଥିଲା ଖଣ୍ଡ ବିଖଣ୍ଡିତ ମୃତଦେହ । ୨୦୧୯ ଜୁଲାଇ ୧୪ରେ ଦୀପାଙ୍କ ଦେଢ଼ଶୂର କୃଷ୍ଣଚନ୍ଦ୍ର ବେହେରା,ଦିଅର ପଞ୍ଚୁ ବେହେରା ଏବଂ ସମ୍ପର୍କୀୟ ଦିଅର ପୂର୍ଣ୍ଣ ବେହେରାଙ୍କୁ ପଟ୍ଟନାୟିକିଆ ଛକରେ ହତ୍ୟା କରାଯାଇଥିଲା।

ରଥଯାତ୍ରା ଅବସରରେ ମହାପ୍ରଭୁଙ୍କ ଅଧରପଣା ନୀତି ଦିନ ଘଟିଥିଲା ରକ୍ତରଂଜିତ ଅପରାଧ। କୁହାଯାଉଥିଲା କୌଣସି ଜମିବାଡ଼ି ବିବାଦରୁ ଘଟିଥିଲା ଅପରାଧ। ଆଉ ଏବେ ସେହି ପରିବାରର ସରପଞ୍ଚ ବୋହୂ ତଥା ପୂର୍ବତନ ସରପଞ୍ଚ ଅଜୟ ବେହେରାଙ୍କ ପତ୍ନୀ ଦୀପା ବେହେରାଙ୍କ ଘଟିଛି ଅକାଳ ବିୟୋଗ। ତେବେ ଏହା ଆକସ୍ମିକ ଦୁର୍ଘଟଣା ନା ଏହା ପଛରେ ରହିଛି କୌଣସି ଷଡ଼ଯନ୍ତ୍ର ? ସେନେଇ କୌଣସି ସ୍ପଷ୍ଟତା ଆସିନଥିଲେ ବି ପରିବାର ଲୋକେ କିନ୍ତୁ ଷଡ଼ଯନ୍ତ୍ର ଆଶଙ୍କା କରିଛନ୍ତି। ସେପଟେ ଦୁର୍ଘଟଣା ପରଠୁ ଫେରାର ଥିବା ହାଇୱା ଡ୍ରାଇଭରଙ୍କ ବି ଏଯାଏଁ ପତ୍ତା ମିଳୁନି। ନିମାପଡ଼ା ପୋଲିସ ହାଇୱାକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Advertisment

ଅଘଟଣ ପଛର କାରଣ ଯାହା ବି ଥାଉ,ହୁଏତ ତଦନ୍ତ ପରେ ସ୍ପଷ୍ଟ ହୋଇପାରେ । କିନ୍ତୁ ୫ ବର୍ଷ ଭିତରେ ଗୋଟିଏ ରାଜନୈତିକ ପରିବାରରେ ଅଘଟଣରୁ ପାଞ୍ଚ ପାଞ୍ଚ ଜଣଙ୍କ ପ୍ରାଣହାନୀ,ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

(ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି ଓ ପିପିଲିରୁ ଦ୍ୱିତୀକୃଷ୍ଣ ପଟ୍ଟନାୟକ)

Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ