ମିଛ କହୁଛନ୍ତି କି ରାଜ୍ୟ ସରକାର ! ଯଦି ମୃତ୍ୟୁ ସଂଖ୍ୟା ୨୮୮, ତେବେ ଆଉ ୧୨୦ ଗଲେ କୁଆଡ଼େ ?

ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପରେ ପରେ ବିହାରର ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ । ଉଭୟଙ୍କ ଅଭିଯୋଗ, ଦୁର୍ଘଟଣା ପରଠୁ ତାଙ୍କର ଅନେକ ଲୋକ ନିଖୋଜ । ମମତାଙ୍କ ଅଭିଯୋଗ ଏବେବି ପଶ୍ଚିମ ବଙ୍ଗର ୩୧ ଜଣ ଲୋକଙ୍କ କୌଣସି ଖୋଜଖବର ନାହିଁ । ନା ଆହତଙ୍କ ମଧ୍ୟରେ ଚିକିତ୍ସିତ ହେଉଛନ୍ତି ନା ମୃତଦେହ ମଧ୍ୟରେ ଚିହ୍ନଟ ହୋଇଛନ୍ତି।

ଟ୍ରେନ୍‌ ଟ୍ରାଜେଡି

ବାହାନଗା ଟ୍ରେନ୍ ଟ୍ରାଜେଡିରେ ପଶ୍ଚିମବଙ୍ଗ ଓ ବିହାରର ଅନେକ ଯାତ୍ରୀ ପ୍ରାଣ ହରାଇଛନ୍ତି, ଶତାଧିକ ଆହତ ହୋଇଛନ୍ତି । ଉଭୟ ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ଏବେ ବି ପ୍ରାୟ ୧୨୦ ଜଣ ଯାତ୍ରୀଙ୍କର ପତ୍ତା ମିଳୁନାହିଁ । ଏପଟେ ନିଖୋଜଙ୍କୁ ଖୋଜିବା ପାଇଁ ସେମାନଙ୍କ ସଂପର୍କୀୟମାନେ ସବୁ ହସପିଟାଲ ବୁଲି ସାରିବା ପରେ ଶେଷରେ ଡିଏନଏ ଟେଷ୍ଟ ପାଇଁ ସାଂପୁଲ ଦେଉଛନ୍ତି ।

ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପରେ ପରେ ବିହାରର ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ । ଉଭୟଙ୍କ ଅଭିଯୋଗ, ଦୁର୍ଘଟଣା ପରଠୁ ତାଙ୍କର ଅନେକ ଲୋକ ନିଖୋଜ । ମମତାଙ୍କ ଅଭିଯୋଗ ଏବେବି ପଶ୍ଚିମ ବଙ୍ଗର ୩୧ ଜଣ ଲୋକଙ୍କ କୌଣସି ଖୋଜଖବର ନାହିଁ । ନା ଆହତଙ୍କ ମଧ୍ୟରେ ଚିକିତ୍ସିତ ହେଉଛନ୍ତି ନା ମୃତଦେହ ମଧ୍ୟରେ ଚିହ୍ନଟ ହୋଇଛନ୍ତି । ସେପଟେ ଘଟଣାର ୫ ଦିନ ପରେ ବିହାର ସରକାର ମୁହଁ ଖୋଲିଛନ୍ତି । ସେଠାକାର ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ଶାହନୱାଜ ଆଲମ କହିଛନ୍ତି, ଟ୍ରେନ୍ ଦୁର୍ଘଟଣାରେ ବିହାରର ୪୩ ଜଣ ପ୍ରାଣ ହରାଇଥିବା ବେଳେ ୪୪ ଜଣ ଆହତ ହୋଇଛନ୍ତି । ଆହୁରି ୮୮ ଜଣ ଯାତ୍ରୀ ନିଖୋଜ ଅଛନ୍ତି ।

ଏପଟେ ଦୁର୍ଘଟଣାଠୁ ବଳିଯାଇଛି ନିଖୋଜ ଲୋକଙ୍କୁ ଖୋଜିବାର କଷ୍ଟ । ବାହାନଗା ଟ୍ରାଜେଡିକୁ ୬ ଦିନ ବିତିଯାଇଥଲେ ମଧ୍ୟ ଏ ପର୍ଯ୍ୟନ୍ତ ଅନେକ ଜାଣିପାରୁନାହାନ୍ତି ସେମାନଙ୍କର ଆତ୍ମୀୟସ୍ୱଜନ ଏବେ କେଉଁଠି । ବିହାରର ଅଖିଳେଶ ଯାଦବ ଆଜିକୁ ଠିକ୍ ମାସକ ତଳେ ବାହାଘର ହୋଇଥିଲା । କାମଧନ୍ଦା ପାଇଁ କରମଣ୍ଡଳ ଏକ୍ସପ୍ରେସରେ ଚେନ୍ନାଇ ବାହାରିଥିଲେ । କିନ୍ତୁ ଦୁର୍ଘଟଣା ପରଠାରୁ ତାଙ୍କର କୌଣସି ଖୋଜଖବର ନାହିଁ । ଅଖିଳେଶଙ୍କ ବାପା ଓ ସଂପର୍କୀୟ ଗାଁ ଲୋକଙ୍କଠାରୁ ଧାର ଉଦ୍ଧାର କରି ୫ ଦିନ ହେଲା ଭୁବନେଶ୍ୱରରେ ଅଛନ୍ତି । ହେଲେ ପୁଅର କୌଣସି ପତ୍ତା ନମିଳିବା ପରେ ଆଜି ଏମସ୍‌ରେ ଦେଇଛନ୍ତି ଡିଏନ୍ଏ ସାଂପୁଲ ।

ସେହିଭଳି ପଶ୍ଚିମବଙ୍ଗର ଜଣେ ମହିଳା ବହୁ ଖୋଜାଖୋଜି ପରେ ମୃତ ଦେହର ଫଟୋ ମଧ୍ୟରେ ନିଜର ଶାଶୁଙ୍କୁ ଖୋଜି ପାଇଥିବା କହିଛନ୍ତି । ହେଲେ ଭାଗ୍ୟର ବିଡମ୍ବନା ମୃତ ଶରୀରକୁ 
ତାଲିକାଭୁକ୍ତ କରାଯିବା ବେଳେ ତାହା ମହିଳା ସ୍ଥାନରେ ପୁରୁଷ ବୋଲି ଚିହ୍ନଟ କରାଯାଇଛି । ଯେଉଁଥି ପାଇଁ ଶାଶୁଙ୍କ ଶବକୁ ଦେଖିଲେ ମଧ୍ୟ ଘରକୁ ନେଇ ଯାଇ ପାରୁ ନାହିଁ ବୋହୂ ।

ସେହିଭଳି ଅରୁଣାଞ୍ଚଳ ପ୍ରଦେଶରେ ରହୁଥିବା ପଶ୍ଚିମବଙ୍ଗର ଶିବକାନ୍ତ ରାୟ ଦୌଡି ଆସିଛନ୍ତି ନିଜ ୨୨ ବର୍ଷିୟ ପୁଅକୁ ଖୋଜିବା ପାଇଁ । ଏମିତିକି ପୁଅର ମୃତ୍ୟ ହୋଇଯାଇଥିବା ବେଳର ଫଟୋ ମୋବାଇଲରେ ଧରି ବୁଲୁଛନ୍ତି । ନିଜ ଆଖି ଆଗରେ ତାଙ୍କ ପୁଅର ମୃତଦେହକୁ ବିହାରର ଜଣେ ବ୍ୟକ୍ତି ନେଇ ଚାଲି ଯାଇଥିବା ଅଭିଯୋଗ କରିଛନ୍ତି ଶିବକାନ୍ତ । ଶେଷ ଆଶା ସ୍ୱରୁପ ଡିଏନଏ ରିପୋର୍ଟର ରେଜଲଟକୁ ଅପେକ୍ଷା କରି ଏମସ୍‌ରେ ପଡି ରହିଛନ୍ତି ସେ । ଆଖି ଲୁହ ଆଖିରେ ଶୁଖିଲାଣି । ଘର ଲୋକି ବି ଖବର ଶୁଣିବା ପାଇଁ ବାରମ୍ବାର ଫୋନ୍ କରୁଛନ୍ତି ।

ପ୍ରଥମ ଦଫାରେ ୩୩ ସାମ୍ପୁଲ ଦିଲ୍ଲୀ ଯାଇଛି । ଡିଏନଏ ରିପୋର୍ଟ ଆସିବା ପାଇଁ ଆହୁରି ୨ ଦିନ ଲାଗିବ । ତା’ପରେ ଯାଇ ବିବାଦରେ ଥିବା କି ଚିହ୍ନଟ ହୋଇପାରିନଥିବା ମୃତଦେହ ଦେବା ସମ୍ଭବ ହେବ ।