ଆମେ ବଞ୍ଚିଗଲୁ ସତ ହେଲେ ଆଖି ସାମ୍ନାରେ ଶହଶହ ଲୋକ ପ୍ରାଣ ହରାଇଥିଲେ । ଅନ୍ଧାର ରାତିରେ ଖାଲି ଶୁଭୁଥିଲା ଚିତ୍କାର...ହୋହଲ୍ଲା । କାଳ ରାତିରେ ଖାଲି ଶୁଭୁଥିଲା...ବଞ୍ଚାଅ ବଞ୍ଚାଅର ଶବ୍ଦ । କିନ୍ତୁ ଆମେ ନିଜେ ଏମିତି ଫସିଥିଲୁ ଯେ ବଞ୍ଚିବା କଷ୍ଟକର ହୋଇ ପଡିଥିଲା । ହେଲେ ନିଜେ କେମିତି ବଗିରୁ ବାହାରିବୁ ସେନେଇ ଚିନ୍ତାରେ ଥିଲୁ । ଡାକ୍ତର ଦେଖାଇବାକୁ ଯାଉଥିବା ଜଣେ ବ୍ୟକ୍ତି କିଛି ଏମିତି ଢଙ୍ଗରେ ବଖାଣିଛନ୍ତି କରମଣ୍ଡଳର ସେହି କଳାରାତିର କାହାଣୀକୁ ।
ସମୟ ସଂଧ୍ୟା ୭ଟା...ସ୍ଥାନ-ବାଲେଶ୍ୱର ବାହାନଗା । ସଂଧ୍ୟା ହୋଇଥିବାରୁ ପ୍ରାୟ ସମସ୍ତେ ଚାହିଁଥିଲେ...ଉଭୟ ଉଭୟଙ୍କ ସହ କଥାବାର୍ତ୍ତା ହେଉଥିଲେ । ଆଉ ଏତିକି ବେଳେ ହଠାତ୍ ଶୁଭିଥିଲା ଭୟଙ୍କର ଶବ୍ଦ । ଦୋହଲି ଯାଇଥିଲା ବଗି । ଚାହୁଁଚାହୁଁ ସବୁକିଛି ସରିଗଲା । ଯୁଆଡେ ଦେଖିବେ ସିଆଡେ ଦିଶୁଥିଲା ଶବ ଆଉ ଶବ...ଅନେକ ଲୋକଙ୍କର ଜୀବନ ଚାଲିଗଲା । ଆଉ ଯେଉଁମାନେ ବଂଚିଗଲେ ସେମାନେ ସେ ଦୃଶ୍ୟକୁ ଯେମିତି ବର୍ଣ୍ଣନା କରୁଛନ୍ତି ତାହା ଶୁଣିଲେ ଆଖିରୁ ବୋହି ଆସିବ ଧାରଧାର ଲୁହ ।
ଝିଅର ବ୍ରେନ୍ ଟ୍ୟୁମର ହୋଇଥିଲା । ଅପରେସନ୍ ପାଇଁ ସ୍ତ୍ରୀ, ଦୁଇ ପୁଅ ଓ ସ୍ତ୍ରୀଙ୍କୁ ନେଇ କରମଣ୍ଡଳରେ ଚେନ୍ନାଇ ଯାଉଥିଲେ ଶାଲିମାର ବାସିନ୍ଦା ଅଟଳ ବିହାରୀ । ପୂରା ପରିବାର ସହିତ S2 କୋଚ୍ରେ ବସି କରୁଥିଲେ ଯାତ୍ରା । ହେଲେ ଯାତ୍ରାର ପ୍ରାୟ ୨୫୦ କିଲୋମିଟର ପରେ ଯେଉଁ ବଡ଼ ଦୁର୍ଘଟଣା ହେଲା ତାହା ଖାଲି ଓଡିଶା ନୁହେଁ ବରଂ ବିଶ୍ୱକୁ ଦୋହଲାଇ ଦେଲା । ଏମିତି ଛିନଛତର ହୋଇ ଡବା ଗୁଡିକ ପଡିଥିଲା ଯେ ସେଥିରୁ ବାହାରିବା ବି ବଡ଼ କଷ୍ଟଥିଲା । କିନ୍ତୁ ପରିବାର ବଞ୍ଚାଇବାକୁ ବଡ଼ କଷ୍ଟରେ ଟ୍ରେନ୍ରୁ ବାହାରିଥିଲୁ ବୋଲି କହିଛନ୍ତି ଅଟଳ ।
Also Read
ଖାଲି ଅଟଳ ନୁହନ୍ତି ବରଂ ଶହଶହ ଯାତ୍ରୀ ଏମିତି ଅଳ୍ପକେ ବର୍ତ୍ତିଯାଇଛନ୍ତି । ଆଉ ଯେଉଁମାନେ ମୃତ୍ୟୁମୁଖର ବଞ୍ଚିଯାଇଛନ୍ତି ସେମାନେ କିଛି ଏମିତି ଢଙ୍ଗରେ ବଖାଣୁଛନ୍ତି କଳାରାତିର କଳାକାହାଣୀ॥..କଥାରେ ଅଛି ରଖେ ହରି ତ ମାରେ କିଏ? ଆଉ ଏହି କଥା ପ୍ରମାଣ ହୋଇଛି ଅଟଳଙ୍କ କ୍ଷେତ୍ରରେ ।